ଧର୍ମ ପଚାରି ଦୁଇ ମହିଳା ସାମ୍ୱାଦିକଙ୍କୁ ମାଡ଼!
ଯେଉଁ ଉଦଘାଟନ ଉତ୍ସବକୁ ଯାଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ସେମାନେ ସାଇକଲ ଦୁର୍ନୀତି ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିବାକୁ ପ୍ରୟାସ କରିଥିଲେ। ଏହାଦେଖି ପୁଲିସ କର୍ମୀ ସେମାନଙ୍କୁ ଟାଣିନେଇଥିଲେ।

ଧର୍ମ ପଚାରି ମହିଳା ସାମ୍ୱାଦିକାଙ୍କୁ ମାଡ଼! ଦୁଇ ମହିଳା ସାମ୍ୱାଦିକା ଶାହିନ ଖାନ୍ ଓ ନଫିସା ଖାନଙ୍କୁ ପୁଲିସ ହେପାଜତରେ ନିସ୍ତୁକ ମାଡ଼ର ଅଭିଯୋଗ। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ପ୍ରଶ୍ନ ପଚାରିବାରୁ କୁଆଡ଼େ ପୁଲିସ ଜୁଲୁମର ଶୀକାର ହେଲେ ବୋଲି ସଙ୍ଗୀନ ଆରୋପ ଲଦିଛନ୍ତି। ଅଭିଯୋଗ ଅନୁସାରେ, ପୁଲିସ ସେମାନଙ୍କୁ ଜବରଦସ୍ତି ସାକେତ ଥାନାକୁ ନେଇଯାଇଥିଲା। ଆଉ କୋଠରୀରେ ବନ୍ଦ କରି ନିର୍ଧୁମ ପିଟିଥିଲା। ଦୁଇ ସାମ୍ୱାଦିକା କହିଛନ୍ତି ଯେ, ତାଙ୍କ ସାଙ୍ଗିଆ ଖାନ୍ ଜାଣିବା ପରେ ପୁଲିସର ଆଚରଣ ଆହୁରି ଅଧିକ ହିଂସ୍ରିକ ହୋଇଯାଇଥିଲା। ମ୍ୟାକ୍ସ ହସ୍ପିଟାଲର ନୂଆ ଶାଖା ଉଦଘାଟନ ଭେନ୍ୟୁ ପାଖରେ ସେମାନଙ୍କୁ ଆଗ ପୁଲିସ ଅଟକ ରଖିଥିଲା। ଏହା ପରେ ସାକେତ ଥାନାକୁ ନେଇ ନିର୍ଯାତନା ଦେଇଥିଲା। ଯେଉଁ ଉଦଘାଟନ ଉତ୍ସବକୁ ଯାଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ସେମାନେ ସାଇକଲ ଦୁର୍ନୀତି ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିବାକୁ ପ୍ରୟାସ କରିଥିଲେ। ଏହାଦେଖି ପୁଲିସ କର୍ମୀ ସେମାନଙ୍କୁ ଟାଣିନେଇଥିଲେ। ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ପ୍ରସାରିତ ହୋଇଛି। ଯେଉଁଠି ସେମାନଙ୍କ କାନ୍ଧ, ଗୋଡ଼ରେ ଗମ୍ଭୀର ଆଘାତର ଚିହ୍ନ ଦିଶୁଛି। ଆଉ ଏକ ଭିଡ଼ିଓରେ ତଳେ ଅଚେତ ହୋଇ ପଡ଼ିରହିଛନ୍ତି ସାହିନ୍। ଆଉ ନାଫିସା ଚାଲିବାକୁ ସକ୍ଷମ ହୋଇପାରୁନାହାନ୍ତି। ଅନ୍ୟମାନଙ୍କ ସାହାଯ୍ୟରେ ସେମାନଙ୍କୁ ନିଆଯାଉଛି। ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ଦିଲ୍ଲୀ ପୁଲିସ। ଏହାକୁ ଭୁଲ୍ ଓ ସମ୍ପୂର୍ଣ୍ଣ ଭ୍ରମିତ ବୋଲି କହିଛି। ଏହି ଦୁଇ ମହିଳା ଭେନ୍ୟୁ ପାଖରେ ସେମାନଙ୍କ ସ୍କୁଟିକୁ ପାର୍କିଂ କରିଥିଲେ। ଭିଭିଆଇପି ରୁଟ୍ କୁ ଯାହା ପ୍ରତିରୋଧ କରୁଥିଲା। ସେମାନେ ଦୁଇ ସାମ୍ୱାଦିକାଙ୍କୁ ସେଠାରୁ ଗାଡ଼ି ହଟାଇବାକୁ କହିଥିଲେ। ହେଲେ ସେମାନେ ମନା କରିଦେଇଥିଲେ। ଭିଭିଆଇପି ସୁରକ୍ଷା ଓ ନିରାପତ୍ତା ପ୍ରୋଟୋକଲକୁ ଦୃଷ୍ଟିରେ ରଖି ତଦନ୍ତ ଲାଗି ଦୁହିଁଙ୍କୁ ସାକେତ ଥାନାକୁ ନିଆଯାଇଥିଲା। ଡିସିପି (ସାଉଥ) ଅନନ୍ତ ମିତ୍ତଲ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାରୁ ପୁଲିସ ମାଡ଼ ମାରିଲା ବୋଲି ଆସିଥିବା ଆରୋପ ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ। ଏହା ସହ ଡିସିପି ଅପିଲ କରିଛନ୍ତି, ଏଭଳି କୌଣସି ବିଭ୍ରାନ୍ତିକର ସୂଚନା ଓ ଭିଡ଼ିଓରୁ ଲୋକେ ଓ ସୋସିଆଲ ମିଡିଆ ୟୁଜର୍ସ ଦୂରେଇ ରୁହନ୍ତୁ। ଏଭଳି ଘଟଣାକୁ ନେଇ ରାଜନୀତି ବି ତେଜିଛି। କଂଗ୍ରେସ ଓ ଆପ୍ ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଜେପି ସରକାରରେ ଏଭଳି ଭାବେ ସାମ୍ୱାଦିକାଙ୍କୁ ମାଡ଼ ବିଲକୁଲ ଗ୍ରହଣୀୟ ନୁହେଁ। ଦୋଷୀ ପୁଲିସ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯାନୁଷ୍ଠାନ ନିଆଯାଉ। ବିଜେପି ସରକାରରେ ପ୍ରଶ୍ନ ପଚାରିବା ଅପରାଧ। ପ୍ରେସ କ୍ଲବ ଅଫ ଇଣ୍ଡିଆ, ଇଣ୍ଡିଆନ ଓ୍ୱିମେନ୍ସ ପ୍ରେସ କର୍ପୋରେସନ, ଦିଲ୍ଲୀ ୟୁନିଅନ ଜର୍ଣ୍ଣାଲିଷ୍ଟସ, ପ୍ରେସ ଆସୋସିଏସନ, କେରଳ ୟୁନିଅନ ଅଫ ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ମିଳିତ ପ୍ରେସବିବୃତ୍ତି ଜାରି କରି ଏ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ଘଟଣାର ଅବାଧ ଓ ନିରପେକ୍ଷ ତଦନ୍ତ ଲାଗି ଦିଲ୍ଲୀ ପୁଲିସ କମିଶନର ଅନୁରାଗ କୁମାରଙ୍କୁ ଅପିଲ୍ କରିଛନ୍ତି।
