Unpaid Traffic Fines: ଚାଲାଣ ନଦେଲେ କଟିବ ବିଜୁଳି:ସୁପ୍ରିମକୋର୍ଟଙ୍କ ଆଦେଶ
ଭାରତରେ ଟ୍ରାଫିକ୍ ଚାଲାଣ ସଂଖ୍ୟା ୨୦୨୧ ମସିହାର ୪.୨ କୋଟିରୁ ବୃଦ୍ଧି ପାଇ ୨୦୨୫ରେ ୯.୬ କୋଟିରେ ପହଞ୍ଚିଥିଲା। ୨୦୨୬ର ପ୍ରଥମ ୯ ମାସ ମଧ୍ୟରେ ଏହି ସଂଖ୍ୟା ୭.୮ କୋଟିରେ ପହଞ୍ଚିଛି | ତେବେ ଏହି କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଟ୍ରାଫିକ୍ ନିୟମ ଉଲ୍ଲଂଘନ ଏବଂ ଜରିମାନା ଆଦାୟ ନହେବା ସମସ୍ୟା ଉପରେ ସୁପ୍ରିମକୋର୍ଟ ଏକ ଅଭିନବ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
ନୂଆଦିଲ୍ଲୀ: ଭାରତୀୟ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତାଗିଦ୍ କରିଛନ୍ତି | ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ସରକାରୀ ତଥ୍ୟ ଅନୁଯାୟୀ, ଭାରତରେ ଗତ ୫ ବର୍ଷ ମଧ୍ୟରେ ଇ-ଚାଲାଣ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି | ୨୦୨୧ ମସିହାରେ ଭାରତରେ ୪.୨ କୋଟି ଟ୍ରାଫିକ୍ ଚାଲାଣ କଟାଯାଇଥିବା ବେଳେ ୨୦୨୫ ସୁଦ୍ଧା ଏହା ପ୍ରାୟ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇ ୯.୬ କୋଟିରେ ପହଞ୍ଚିଥିଲା | କିନ୍ତୁ ଚଳିତ ୨୦୨୬ ମସିହାରେ,ମାତ୍ର ପ୍ରଥମ ୯ ମାସ ମଧ୍ୟରେ ହିଁ ଏହି ସଂଖ୍ୟା ୭.8 କୋଟି ଛୁଇଁ ସାରିଛି। ତେବେ ସରକାରୀ ତଥ୍ୟରୁ ଆହୁରି ମଧ୍ୟ ଜଣାପଡିଛି ଯେ ଦେଶରେ ସମୁଦାୟ ୪୫,୦୦୦ କୋଟି ଟଙ୍କାର ଇ-ଚାଲାଣ କଟାଯାଇଥିବା ବେଳେ ସେଥିରୁ ମାତ୍ର ୨୫,୦୦ କୋଟି ଟଙ୍କା ଆଦାୟ ହୋଇପାରିଛି ଏବଂ ପ୍ରାୟ ୨୦,୦୦ କୋଟି ଟଙ୍କା ଏବେ ବି ବାକି ରହିଛି ଯାହାକି ସିଧାସଳଖ ରାଜସ୍ବର କ୍ଷତି ଭାବେ ବିବେଚନା କରାଯାଇପାରେ | ତେବେ, ଚାଲାଣ ସଂଖ୍ୟା ବଢ଼ିବା ଯେତିକି ଚିନ୍ତାଜନକ ନୁହେଁ ଜରିମାନା ନଦେବା ବା 'ଚାଲାଣ ଗ୍ୟାପ୍' ବର୍ତ୍ତମାନ ପରିସ୍ଥିତିରେ ଅଧିକ ଚିନ୍ତାର ବିଷୟ | ଏହି ମାମଲାର ଶୁଣାଣିକରି ଜଷ୍ଟିସ୍ ଜେ. ବି. ପାର୍ଦ୍ଦିୱାଲା ଏବଂ ଜଷ୍ଟିସ୍ କେ. ଭି. ବିଶ୍ୱନାଥନଙ୍କ ଖଣ୍ଡପୀଠ ସ୍ପଷ୍ଟ ଭାବେ କହିଛନ୍ତି, "କେବଳ ଲକ୍ଷ ଲକ୍ଷ ଇ-ଚାଲାଣ ଜାରି କରିଦେବା ଯଥେଷ୍ଟ ନୁହେଁ ବରଂ ଇ-ଚାଲାଣ ମାଧ୍ୟମରେ ଧାର୍ଯ୍ୟ କରାଯାଇଥିବା ଜରିମାନା ଆଦାୟ କରିବା ସବୁଠୁ ଜରୁରୀ "
ମନ୍ତ୍ରଣାଳୟର ଇ-ଚାଲାଣ ଡ୍ୟାସବୋର୍ଡ ଅନୁଯାୟୀ, ଦେଶରେ ସବୁଠାରୁ ଅଧିକ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଟିକେଟ୍ ବା ଚାଲାଣ ଉତ୍ତର ପ୍ରଦେଶରେ ଜାରି କରାଯାଇଛି | କାରଣ ସବୁଠାରୁ ଅଧିକ ବାକି ପଡ଼ିଥିବା ଜରିମାନା ମାମଲାରେ ମଧ୍ୟ ଉତ୍ତର ପ୍ରଦେଶ ଶୀର୍ଷରେ ଥିବା ବେଳେ ଏହା ପଛକୁ ଦିଲ୍ଲୀ, କେରଳ, ହରିୟାଣା ଏବଂ ଓଡ଼ିଶା ରାଜ୍ୟ ସାମିଲ ରହିଛନ୍ତି। ବର୍ତ୍ତମାନ ଦେଶରେ ପ୍ରତି ୧୦୦ଟି ଚାଲାଣ ମଧ୍ୟରୁ ମାତ୍ର ୧୮ ଜଣ ଲୋକ ଫାଇନ୍ ଦେଉଛନ୍ତି ଏବଂ ବାକି ୮୨ ଜଣ ଏହାକୁ ବେଖାତିର କରୁଛନ୍ତି | ତେବେ,ଏହି 'ଚାଲାଣ ଗ୍ୟାପ୍' ସମସ୍ୟାର ସମାଧାନ ପାଇଁ ଜଷ୍ଟିସ୍ ଜେ. ବି. ପାର୍ଦ୍ଦିୱାଲା ଏକ ଅଭିନବ ପ୍ରସ୍ତାବ ଦେଇ କହିଛନ୍ତି ଯେ , ଯଦି ଲୋକମାନଙ୍କର ଟ୍ରାଫିକ୍ ଚାଲାଣ ସେମାନଙ୍କର ବିଜୁଳି ବିଲ୍ ସହ ଯୋଡ଼ି ଦିଆଯାଏ ତେବେ ସେମାନେ ବିଜୁଳି ବିଲ୍ ଦେବାକୁ ବାଧ୍ୟ ହେବେ, ନଚେତ୍ ବିଦ୍ୟୁତ ସଂଯୋଗ କାଟି ଦିଆଯିବ।ଏହାବ୍ୟତୀତ ସୁପ୍ରିମକୋର୍ଟ ସରକାରଙ୍କୁ ଅନ୍ୟ କେତେକ ପ୍ରଶାସନିକ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେପରିକି ବାକି ଚାଲାଣ ଥିବା ଗାଡ଼ିଗୁଡ଼ିକୁ ପରିବହନ ପୋର୍ଟାଲରେ ବ୍ଲାକଲିଷ୍ଟ କରିବା,ସେହି ଗାଡ଼ିଗୁଡ଼ିକର ମାଲିକାନା ବଦଳ,ଗାଡ଼ି ପଞ୍ଜୀକରଣ ପ୍ରମାଣପତ୍ର ର ନବୀକରଣ,ଫିଟନେସ୍ ସାର୍ଟିଫିକେଟ୍ ଏବଂ ପ୍ରଦୂଷଣ ପ୍ରମାଣପତ୍ର ଆଦି ପ୍ରଦାନ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବାକୁ କୁହାଯାଇଛି। ଏପରିକି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ନବୀକରଣ କରାଯିବ ନାହିଁ ଏବଂ ପୂର୍ବରୁ ଥିବା ଲାଇସେନ୍ସକୁ ନିଲମ୍ବିତ କରାଯିବା ପ୍ରକ୍ରିୟା ଉପରେ ଆଲୋଚନା ହୋଇଛି। ସଡ଼କରେ ଗାଡ଼ିଗୁଡ଼ିକର ଆକସ୍ମିକ ଯାଞ୍ଚକରି ଜରିମାନା ଦେଇନଥିବା ଗାଡ଼ିକୁ ସିଜ୍ ବା ଜବତ କରିବା ପାଇଁ ମଧ୍ୟ ଅଧିକାରୀମାନଙ୍କୁ କ୍ଷମତା ଦେବା ବିଷୟରେ ମଧ୍ୟ କୋର୍ଟରେ ଆଲୋଚନା ହୋଇଅଛି |
