World's Longest Railway Platform:ଗିନିଜ୍ ବୁକ୍ ରେ ଭାରତୀୟ ରେଳ ଷ୍ଟେସନ
ସୋସିଆଲ ମିଡିଆରେ ଆପଣ ଅନେକ ନିଆରା ରେଳ ପ୍ଲାଟଫର୍ମ ବିଷୟରେ ପଢ଼ିଥିବେ | କିନ୍ତୁ, ଆପଣ ଜାଣିଛନ୍ତି କି ? ଭାରତରେ ଏପରି ଏକ ରେଳ ଷ୍ଟେସନ ମଧ୍ୟ ଅଛି ଯେଉଁଥିରେ ୧୪ ରୁ ୧୫ଟି ଫୁଟବଲ୍ ପଡ଼ିଆ ଅତି ସହଜରେ ଧରିଯିବ | ତେବେ,ଆସନ୍ତୁ ଜାଣିବା ଏହି ରେଳ ପ୍ଲାଟଫର୍ମ ବିଷୟରେ |
ଭାରତୀୟ ରେଳବାଇ ନିଜର ବିଶାଳତା ଓ ଅନେକ ନିଆରା କୀର୍ତ୍ତିମାନ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ସୋସିଆଲ ମିଡିଆରେ କିଛି ଖାସ୍ ଷ୍ଟେସନ ଗୁଡିକର ଚର୍ଚ୍ଚା ତ ସବୁବେଳେ ଲାଗିରହିଥାଏ | ତେବେ ଭାରତରେ ଏପରି ଏକ ରେଳ ଷ୍ଟେସନ ରହିଛି, ଯାହା ଏତେ ଲମ୍ବାଯେ, ପ୍ରାୟ ୧୪ ରୁ ୧୫ଟି ଫୁଟବଲ୍ ପଡ଼ିଆ ଅତି ସହଜରେ ଧରିଯିବ ! ଏହି ଷ୍ଟେସନଟି କର୍ଣ୍ଣାଟକର 'ଶ୍ରୀ ସିଦ୍ଧାରୂଢ଼ ସ୍ୱାମୀଜୀ ହୁବ୍ବଳୀ ଜଙ୍କସନ୍' | ଯାହା କେବଳ ଭାରତ ନୁହେଁ, ବରଂ ସାରା ବିଶ୍ୱର ସବୁଠାରୁ ଲମ୍ବା ରେଳ ପ୍ଲାଟଫର୍ମ ହେବାର ଗୌରବ ନିଜ ନାମରେ କରିଛି |
କର୍ଣ୍ଣାଟକର ହୁବ୍ବଳୀରେ ଥିବା ଏହି ସ୍ୱତନ୍ତ୍ର ପ୍ଲାଟଫର୍ମର ମୋଟ ଲମ୍ବ ୧୫୦୭ ମିଟର (ପ୍ରାୟ ୧.୫ କିଲୋମିଟର)। ଗୋଟିଏ ଫୁଟବଲ୍ ପଡ଼ିଆର ହାରାହାରି ଲମ୍ବ ୧୦୫ ମିଟର ହୋଇଥାଏ | ସେହି ହିସାବରେ ଦେଖିବାକୁ ଗଲେ, ଏହି ପ୍ଲାଟଫର୍ମରେ ୧୪ଟିରୁ ଅଧିକ ପଡ଼ିଆ ସହଜରେ ରହିପାରିବ। ୨୦୨୩ ମସିହାରେ ଏହା ଉତ୍ତର ପ୍ରଦେଶର ଗୋରଖପୁର ରେଳ ଷ୍ଟେସନକୁ (୧୩୬୬ମିଟର) ପଛରେ ପକାଇ ବିଶ୍ୱର ସବୁଠାରୁ ଲମ୍ବା ପ୍ଲାଟଫର୍ମର ମାନ୍ୟତା ହାସଲ କରିଥିଲା। ୧୨ ଜାନୁୟାରୀ ୨୦୨୩ ରେ 'ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ'ରେ ଆନୁଷ୍ଠାନିକ ରୂପରେ ବିଶ୍ୱର ସବୁଠାରୁ ଲମ୍ବା ଷ୍ଟେସନ ଭାବେ ଏହାର ନାମ ଦର୍ଜ କରାଯାଇଥିଲା।
ହୁବ୍ବଳୀ ଦକ୍ଷିଣ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଓ ବ୍ୟସ୍ତବହୁଳ ରେଳ ଜଙ୍କସନ୍।ଯେଉଁଠାରୁ ଉତ୍ତର-ଦକ୍ଷିଣ ଏବଂ ପୂର୍ବ-ପଶ୍ଚିମ ଚାରି ଦିଗକୁ ଟ୍ରେନ ପରିଚାଳିତ ହୋଇଥାଏ | ଆଗରୁ ପୁରୁଣା ଇଁଫ୍ରାଷ୍ଟ୍ରକ୍ଚର ଓ ଜାଗାର ଅଭାବରୁ ଟ୍ରେନକୁ ଆଉଟର ରେ ଅଟକିବାକୁ ପଡୁଥିଲା | ତେବେ, ଯାତ୍ରୀମାନଙ୍କୁ ସୁବିଧା ଯୋଗାଇଦେବା, ଟ୍ରେନ୍ ଚଳାଚଳକୁ ସୁଗମ କରିବା ଏବଂ ଆଉଟରରେ ଟ୍ରେନ୍ ଅଟକିବା ସମସ୍ୟାର ସମାଧାନ ପାଇଁ ରେଳ ୟାର୍ଡର ପୁନଃନିର୍ମାଣ କରାଯାଇ ଏହି ପ୍ଲାଟଫର୍ମକୁ ବିସ୍ତାରିତ କରାଯାଇଛି। ଏହା ଭାରତୀୟ ରେଳବାଇର ପ୍ରଗତି ଓ ଇଞ୍ଜିନିୟରିଂର ଏକ ଅଦ୍ଭୁତ ଉଦାହରଣ ପାଲଟିଯାଇଛି ।
