ବିଧାନସଭାରେ ବିଜେଡିର ରିଂ-ମାଷ୍ଟର :ଅରୁଣ

ବିଜେଡି ଏବେ ମୁଖ୍ୟ ବିରୋଧୀ ଦଳରେ ବସିଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଶାନୁରୂପ ଉପସ୍ଥାନରୁ ନେଇ କୌଣସି ପ୍ରସଙ୍ଗ ଉପରେ ତାଙ୍କ ମନ୍ତବ୍ୟ କି ବିବୃତ୍ତି ଏ ପର୍ଯ୍ୟନ୍ତ ଗୃହ ଭିତରେ ଆଖିଦୃଶିଆ ଶୁଭିନି କହିଲେ ଚଳେ। ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଅବଶ୍ୟ କାଁ ଭାଁ ପ୍ରସଙ୍ଗରେ ବେଶ୍ ଶାଣିତ କରୁଛନ୍ତି ସ୍ୱର। ଆଉ ଫାୟାରବ୍ରାଣ୍ଡ ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏମିତି ବେଶ୍ ଅନୁଭବୀ। ସେଥିଲାଗି କୌଣସି ପ୍ରସଙ୍ଗରେ ତାଙ୍କ ସ୍ୱର ଶର ଭେଦିଲା ଭଳି ଲାଗେ। ଉପ-ମୁଖ୍ୟ ସଚେତକ ପ୍ରତାପ ଦେବଙ୍କ ସରକାରଙ୍କୁ ଶାଣିତ ଟାର୍ଗେଟ ବି ଥାଏ। କିନ୍ତୁ ଏହାର ମାତ୍ରା ଅତି ନଗଣ୍ୟ କହିଲେ ଭୁଲ୍ ହେବନି ବୋଲି ଚର୍ଚ୍ଚା ହୁଏ। ବିଜେଡିକୁ ଆମଦାନୀ ନେତା ଗଣେଶ୍ୱର ବେହେରାଙ୍କ ଖାଣ୍ଟି ଓଡ଼ିଆରେ ଲମ୍ୱା ପ୍ରଶ୍ନ ଓ ଶାଣିତ ଯୁକ୍ତି ବି ବିଜେଡି ଶିବିରରେ କେହି ଭଲ କୁହାଳିଆ ଅଛନ୍ତି ବୋଲି ଅନୁଭବ ହୁଏ। ହେଲେ ଯେତେବେଳେ ବିଜେଡି କୌଣସି ପ୍ରସଙ୍ଗକୁ ନେଇ ଗୃହର ମଧ୍ୟଭାଗକୁ ଓହ୍ଲାଏ, ପ୍ଲାକାର୍ଡ ଧରି ହଟ୍ଟଗୋଳ କରେ। ସେଠାରେ ଜଣେ ଅନୁଭବୀ ନେତା ପୋଡିଅମ ତଳକୁ ନ ଆସି କେତେବେଳେ ନିଜ ଆସନରେ ଛିଡ଼ା ହୋଇ ତ କେତେବେଳେ ଦଳର ନେତା ନବୀନଙ୍କ ଆସନ ପଛପଟେ ରହି ଛିଡ଼ା ହୋଇ ସବୁ ନିରୀକ୍ଷଣ କରୁଥାଆନ୍ତି। ହୋହଲ୍ଲା ଭିତରେ ଶାସକ ଦଳ କଅଣ କହୁଛି, ତାକୁ ଶୁଣିବାକୁ କାନରେ ଇଅରଫୋନ୍ ଦେଇ ଭଲଭାବେ ଶୁଣିବାରେ ମଗ୍ନ ରୁହନ୍ତି। ଲାଗନ୍ତି, ବେଶ୍ ଅବିଚଳିତ। ଗୃହ ବାହାରେ କୌଣସି ପ୍ରସଙ୍ଗରେ ଶାସକ ଦଳର ହେଭିଓ୍ୱେଟଙ୍କୁ ଜବାବ ଦେବା ଲାଗି ତାଙ୍କୁ ହିଁ ଅଧିକ ଫିଟ୍ ବୋଲି ଭାବନ୍ତି ଦଳପତି ନବୀନ। ଆମେ କହୁଛୁ ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ଅରୁଣ ସାହୁଙ୍କ କଥା। ସେ ହିଁ ବିଧାନସଭାରେ ବିଜେଡିର ରିଂ ମାଷ୍ଟର ବୋଲି ସବୁଠି ଏବେ ଚର୍ଚ୍ଚା। ହଟ୍ଟଗୋଳ ବେଳେ ବିଧାନସଭାର ଲାଇଭ ଫିଡ୍ ରେ ବେଶୀ ଆସନ୍ତିନି ସତ। କିନ୍ତୁ ଦିନତମାମ ଗଣମାଧ୍ୟମରେ ଛାଇ ହୋଇ ରୁହନ୍ତି। ଏଥିଲାଗି ଯେ, କୌଣସି ପ୍ରସଙ୍ଗରେ ତାଙ୍କର ଦଖଲ ଅଧିକ ଥାଏ। ଯେମିତି ବିଜେଡିର ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦଖଲ ଅନେକ ପ୍ରସଙ୍ଗରେ ଥାଏ। ଯେଉଁଥିରେ ନ ଥିବ, ସେ ସହଜରେ ମୁହଁ ଫିଟାନ୍ତିନି। ସେମିଚି ଚତୁର ଅରୁଣଙ୍କୁ ନିଜର ଅନୁଭବ ସାଙ୍ଗକୁ କେଉଁ କଥା ଲୋକଲୋଚନରେ ଧରିବ ଓ ବିରୋଧୀଙ୍କୁ ଭେଦ କରିବ, ସେ କଥା ବେଶ୍ ଜଣା। ସେଥିଲାଗି ତ କେବେ ସାହିତ୍ୟ, କବିତା ତ କେବେ ବ୍ୟଙ୍ଗବିଦୃପ କରି ଶାସକ ଦଳର ଟାଣୁଆ ନେତାଙ୍କୁ ଟାର୍ଗେଟ କରିବାକୁ ପଛାଇନଥାଆନ୍ତି। ବେଶୀ ମିଡିଆକୁ ଆସିଲେ ବି ବୁମେରାଂ ହେବ ଜାଣି ନିଜର ଖାସ୍ ଅନୁଗତଙ୍କୁ ଟ୍ରେନିଂ ଦେଇ ଗଣମାଧ୍ୟମ ଡାଏସ ଉପରକୁ ବେଳେ ବେଳେ ଛାଡ଼ନ୍ତି। ଏଇ ଯେମିତି ବ୍ୟୋମକେଶ ରାଏ, ଧୃବ ସାହୁ, ଗୌତମବୁଦ୍ଧ ଦାସ, ସାରଦା ଜେନା, ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ଭଳି ନେତାଙ୍କୁ ଆଗଧାଡ଼ିକୁ ଛାଡ଼ନ୍ତି। ଅରୁଣ ଯେତିକି ଅନୁଭବୀ, ସେତିକି ଚାଲାକ୍। ଗୋଟିଏ ପ୍ରସଙ୍ଗରେ ଦଳର ଯେକୌଣସି ନେତା ବିବୃତ୍ତି ଦେଲେ ବି ଲୋକଙ୍କୁ ଅରୁଣଙ୍କ କଥା ହିଁ ଧରେ। ସେଥିଲାଗି ଅରୁଣ ଏବେ ଦଳର ତରୁଣଙ୍କ ଲାଗି ମାର୍ଗଦର୍ଶକ ଆଉ ମିଡିଆ ପାଇଁ ଦଳର ବଡ଼ ମ୍ୟାନେଜର୍ ଭୂମିକାରେ ଥିବା ଚର୍ଚ୍ଚା ହେଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *