ଅଭିନେତ୍ରୀ କରିସ୍ମା କପୁରଙ୍କ ଦୁଇ ସନ୍ତାନ ତାଙ୍କ ସ୍ୱର୍ଗତ ପିତା ସଞ୍ଜୟ କପୁରଙ୍କ ସମ୍ପତ୍ତିରୁ ମାଗିଥିବା ଭାଗକୁ ନେଇ ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣୀ ହୋଇଛି। କରିସ୍ମାଙ୍କ ଓକିଲ ବରିଷ୍ଠ ଆଇନଜୀବି ରାମ ଜେଠମଲାନି ସଞ୍ଜୟଙ୍କ ଦ୍ୱିତୀୟ ପତ୍ନୀ ପ୍ରିୟା ସଚ୍ଚଦେବାଙ୍କୁ ସିଣ୍ଡେରେଲା ଷ୍ଟେପମଦର ବା ସାବତମାଆ ବୋଲି କହିଛନ୍ତି। ଯିଏ ସଞ୍ଜୟଙ୍କ ସମ୍ପତ୍ତି ଉପରେ ସମସ୍ତ କବଜା କରିବାକୁ ଚକ୍ରାନ୍ତ କରିଛନ୍ତି। ସଞ୍ଜୟ କପୁରଙ୍କ ୩୦ହଜାର କୋଟି ଟଙ୍କାର ସମ୍ପତ୍ତିର ସେୟାରକୁ ନେଇ ଆଇନଗତ ଲଢ଼େଇ ଚାଲିଛି। ଜେଠମଲାନି କହିଛନ୍ତି, ପ୍ରିୟା ନିଜର ନିଷ୍ଠୁରତା ଓ ମାନିପୁଲେସନ ପାଇଁ ବେଶ୍ ପରିଚିତ। କରିସ୍ମାଙ୍କ ଦୁଇ ସନ୍ତାନ ସମାୟରା ଓ କିୟାନଙ୍କୁ ସମ୍ପତ୍ତି ନ ଦେବାକୁ ଓ୍ୱିଲରେ ଗଡ଼ବଡ଼ି କରିଛନ୍ତି। ପିଲା ଆରୋପ ଲଦିଛନ୍ତି ଯେ, ତାଙ୍କ ସାବତ ମାଆ ପ୍ରିୟା ଜାଲି ଇଛାପତ୍ର ତିଆରି କରି ସମସ୍ତ ସମ୍ପତ୍ତି ଉପରେ କବଜା କରିବାକୁ ଷଡ଼ଯନ୍ତ୍ର କରିଛନ୍ତି। କିଏ ପ୍ରକୃତରେ ସମ୍ପତ୍ତିକୁ ଲୋଭ କରିଛି ଦର୍ଶାଇ ଜେଠମଲାନି କୋର୍ଟକୁ କହିଛନ୍ତି ଯେ, ପ୍ରିୟା ସମ୍ପତ୍ତିର ୬୦ ପ୍ରତିଶତ ପାଇଲେଣି। ନିଜ ପୁଅ ପାଇଁ ୧୨ ପ୍ରତିଶତ ନେବା ସହ ୭୫ ପ୍ରତିଶତ ଟ୍ରଷ୍ଟକୁ ନେଲେଣି। ଏତେ ବ୍ୟାକୁଳ ଥିଲେ ଯେ, ସେ ବେନାମୀ ଫର୍ମରେ ଚିଠି ଲେଖିବା ଆରମ୍ଭ କରିଥିଲେ। କମ୍ପାନୀର କିଏ ହିତାଧିକାରୀ ସାଜିବେ, ସେଥିଲାଗି ଏହି ବେନାମୀ ଚିଠିର ଆଶ୍ରୟ ନେଇଥିଲେ। ସଞ୍ଜୟ କପୁରଙ୍କ ପୂର୍ବ ବିବାହରୁ ଜନ୍ମିତ ଛୁଆଙ୍କୁ କୌଣସି ନ୍ୟାଯ୍ୟ ସେୟାର ଦେବାରେ ପ୍ରତିବନ୍ଧକ ସାଜିଛନ୍ତି। ହୋଇଥିବା ଓ୍ୱିଲର ବୈଧତାକୁ ନେଇ ପ୍ରଶ୍ନ କରିଛନ୍ତି ଜେଠମଲାନି। ଏହା କଦାପି ସମ୍ଭବ ନୁହେଁ ସଞ୍ଜୟ ଓ୍ୱିଲ୍ ପ୍ରସ୍ତୁତ ବେଳେ କୌଣସି ଓକିଲ ସହ ପରାମର୍ଶ କରିନଥିବେ। ଓ୍ୱିଲରେ ଅନେକ ତୃଟି ରହିଛି। ଏହା ସ୍ୱାଭାବିକ ମାମଲା ନୁହେଁ। ଏଠି କଥା ପଡ଼ିନି ଯେ, କାହିଁକି ସଞ୍ଜୟ କୌଣସି ଓକିଲ ସହ ପରାମର୍ଶ କରିନଥିଲେ କି ଉତ୍ତରାଧିକାରୀଙ୍କୁ ଅବଗତ କରାଯାଇନଥିଲା। କଥା ପଡ଼ିଛି, ଏଭଳି ବିତ୍ତଶାଳୀ ବ୍ୟକ୍ତିଙ୍କ ଓ୍ୱିଲରେ ଥିବା ଅନେକ ତୃଟି ହିଁ ସନ୍ଦେହଜନକ। ଏହି ଓ୍ୱିଲ୍ କୁ ବଦଳାଯାଇଛି ଯେତେବେଳେ ସଞ୍ଜୟ ନିଜ ପୁଅ ସହ ଛୁଟି କଟାଉଥିଲେ। ଆଉ ଯିଏ ବଦଳାଇଛନ୍ତି, ସଞ୍ଜୟଙ୍କ ଅନ୍ତିମ ସଂସ୍କାରର କିଛି ଦିନ ପରେ କମ୍ପାନୀର ଜଣେ ନିର୍ଦ୍ଦେଶକ ଭାବେ ଜଏନ୍ କରିଥିଲେ। କୌଣସି ଓ୍ୱିଲ୍ ବା ଇଛାପତ୍ରକୁ ଜାଲିଆତି କରିବା ଏକ ଗମ୍ଭୀର ଅପରାଧ। ଏଥିଲାଗି ଆଜୀବନ କାରାଦଣ୍ଡ ହୋଇପାରେ। ଏହା ଏମିତି ଏକ ମାମଲା, ଯାହା ପୁରା ନ୍ୟାୟିକ ପ୍ରକ୍ରିୟାକୁ ଉପହାସ କରୁଛି। ସଞ୍ଜୟଙ୍କ ଭଉଣୀ ବି ଦାବି କରିଥିଲେ, ତାଙ୍କୁ ଆଇନଗତ କାଗଜପତ୍ରରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା। ଆଉ ପିଲାଙ୍କ କହିବା କଥା, ସେମାନଙ୍କୁ ଟ୍ରଷ୍ଟ ଓ କମ୍ପାନୀ ସହ ଜଡ଼ିତ କାଗଜପତ୍ର ବାବଦରେ ଲୁଚାଯାଇଥିଲା। ପରବର୍ତ୍ତୀ ଶୁଣାଣୀ ଅକ୍ଟୋବର ୧୬ରେ ହେବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now