ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ ବ୍ରିଜ୍। ଶନିବାର ଏହାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି। ତାମିଲନାଡ଼ୁର ସମୁଦ୍ର ପୋଲ ପାମ୍ୱନ ବ୍ରିଜ୍ ରେ ତାମିଲ ଇତିହାସ, ସଂସ୍କୃତି ଓ ଭାଷାର ଝଲକ ଦେଖିବାକୁ ମିଳିବ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ୨,୮ କିଲୋମିଟର ଲମ୍ୱା ଏହି ପୋଲ ତାମିଲନାଡ଼ୁର ରାମନାଥପୁରମ ଓ ରାମେଶ୍ୱରମ ଦ୍ୱୀପକୁ ଯୋଡ଼ିବ। ଏପ୍ରିଲ ୬ ତାରିଖରେ ମୋଦି ଏହାକୁ ଉଦଘାଟନ କରିବେ। ହିନ୍ଦ୍ ମହାସାଗର ଉପରେ ତିଆରି ଏହି ପୋଲର ଇଞ୍ଜିନିୟରିଂ ବେଶ୍ ଚମତ୍କାର ଅଟେ। ଏହି ପୋଲରେ ଜଙ୍କ୍ ଲାଗିବନି। କାରଣ ହାଇଗ୍ରେଡ୍ ଷ୍ଟେନଲେସ୍ ଷ୍ଟିଲର ବ୍ୟବହାର ହୋଇଛି। ସମୁଦ୍ରର ଲୁଣି ପାଣି ଓ ବାତାବରଣରୁ ପୋଲରେ ଜଙ୍କ୍ ଲାଗିବାର ଡର ଥାଏ। ବାତ୍ୟାପବନରେ ବି ପୋଲ ଯେମିତି ନଷ୍ଟ ହେବନି, ସେଥିଲାଗି ଧ୍ୟାନ ଦିଆଯାଇଛି। ଭୂକମ୍ପ ହେଲେ ବି ଏହି ପୋଲ ପଡ଼ିବନି। ପାମ୍ୱନ ପୋଲ ଉପରେ ଟ୍ରେନର ବେଗ ଘଣ୍ଟାକୁ ୧୬୦ କିଲୋମିଟର ପର୍ଯ୍ୟନ୍ତ ରହିବ। ଅବଶ୍ୟ ସିଗନାଲରେ କୌଣସି ତୃଟି ଥିଲେ ଏହି ସ୍ପିଡ୍ ୯୮ କିଲୋମିଟର ପର୍ଯ୍ୟନ୍ତ ରହିବ। ଏହି ପୋଲ ତିଆରି କରିବାକୁ ୫୩୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ପୋଲର ନିର୍ମାଣ ୧୧୦ ବର୍ଷ ତଳର ପୁରୁଣା ପାମ୍ୱନ ପୋଲ ଜାଗାରେ ହିଁ କରାଯାଇଛି। ୧୯୬୦ରେ ବାତ୍ୟାରେ ଏହି ଐତିହାସିକ ପୋଲ ବାତ୍ୟାରୁ ବର୍ତ୍ତିଯାଇଥିଲା। ଏହି ପୋଲରେ ୯୯ଟି ସ୍ପାନ୍ ଓ ୭୨.୫ ମିଟରର ଭର୍ଟିକାଲ ଲିଫ୍ଟ ସ୍ପାନ ଲାଗିଛି। ଭର୍ଟିକାଲ ଲିଫ୍ଟ ପୋଲର ସ୍ପାନକୁ ୧୭ ମିଟର ଉଚ୍ଚକୁ ଉଠାଇପାରିବ। ଏଥିରେ ପୋଲ ତଳେ ସହଜରେ ଜାହାଜ ବାହାରି ପାରିବ। ଜାହାଜ ବାହାରିଯିବା ପରେ ସ୍ପାନକୁ ଉଠାଯିବ। ଟ୍ରେନ ଆସିବା ଆଗରୁ ଏହାକୁ ତଳେ ପକାଇଦିଆଯିବ। ଏହି ପୋଲର ନିର୍ମାଣ ୨୦୧୯ରୁ ଆରମ୍ଭ ହୋଇଥିଲା। ୨୦୧୮ରେ ତତ୍କାଳୀନ ରେଳମନ୍ତ୍ରୀ ପିୟୂଷ ଗୋଏଲ ଏହାର ଘୋଷଣା କରିଥିଲେ। ମାର୍ଚ୍ଚ, ୨୦୧୯ରେ ଏହାର ଶିଳାନ୍ୟାସ କରିଥିଲେ ମୋଦି। ମାର୍ଚ୍ଚ ୨୦୨୩ରେ ଏହା ସମ୍ପୂର୍ଣ୍ଣ ହେବାର ଥିଲା। କିନ୍ତୁ କରୋନା ପାଇଁ ବିଳମ୍ୱ ହୋଇଥିଲା। ପୁରୁଣା ପୋଲ ତୁଳନାରେ ନୂଆ ପୋଲ ୩ ମିଟର ଉଚ୍ଚା ଓ ସମୁଦ୍ର ପୃଷ୍ଠରୁ ୨୨ ମିଟର ଉଚ୍ଚରେ ଅଛି। ଏହି ବ୍ରିଜ୍ ଜାହାଜ ଆସିବା ବେଳେ ୯୦ ଡିଗ୍ରୀ କୋଣରେ ଖୋଲିବ। ଯେବେକି ପୁରୁଣା ବ୍ରିଜ୍ ଦୁଇ ପଟୁ ୪୫ ଡିଗ୍ରୀ କୋଣ ଯାଏଁ ଉପରକୁ ଉଠୁଥିଲା। ଏହି ବ୍ରିଜ୍ ଖୋଲିଲେ, ଶ୍ରଦ୍ଧାଳୁ ସିଧା ରାମେଶ୍ୱରମ ଯାଇପାରିବେ। କାରଣ ଆଜି ପର୍ଯ୍ୟନ୍ତ ରାମେଶ୍ୱରମକୁ ଟ୍ରେନ୍ ଯୋଗେ ସିଧାସଳଖ ସଂଯୋଗୀକରଣ ନାହିଁ। ମଣ୍ଡପମ୍ ଯାଇ ସେଠାରୁ ଟାକ୍ସି ନଚେତ ବସରେ ଲୋକେ ରାମେଶ୍ୱରମ ଯାଉଥିଲେ। ଏଥିରେ ସମୟ ବି ବହୁତ ଲାଗୁଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now