ଆଜି ସୁପର-୮ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ ଭାରତ

Spread the love

ଆଜିଠୁ ଟି-୨୦ ବିଶ୍ୱକପରେ ସୁପର-୮ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ ଭାରତ । ଆଜି ସନ୍ଧ୍ୟାରେ କେନସିଙ୍ଗଟନ୍ ଓଭାଲ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବ । ତେବେ ସୁପର-୮ର ସୁପର ଫାଇଟରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ । ତେବେ କ୍ରିକେଟପ୍ରେମୀଙ୍କ ସବୁ ନଜର କିନ୍ତୁ ରାତି ୮ଟାରେ ଖେଳାଯିବାକୁ ଥିବା ଭାରତ ଓ ଆଫଗାନିସ୍ତାନ ମୁକାବିଲା ଉପରେ ରହିଛି । ଖେଳାଳିଙ୍କ ସାମର୍ଥ୍ୟ ଦୃଷ୍ଟିରୁ ଭାରତର ପଲା ଏହି ମ୍ୟାଚରେ ବେଶ୍ ଭାରି ରହିବ । ତେବେ ଆଫଗାନିସ୍ତାନ ଦଳରେ ଅନେକ ପ୍ରତିଭାସଂପନ୍ନ, ଦକ୍ଷ ତଥା ଅଭିଜ୍ଞ ଖେଳାଳି ଥିବାରୁ ଏହି ଦଳ ମଧ୍ୟ ଆଉ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ । ସନ୍ଧ୍ୟାରେ ଭାରତର ଷ୍ଟାର୍ ବ୍ୟାଟର୍ସ୍ ଓ ଅଫଗାନିସ୍ତାନର ଦମଦାର ସ୍ପିନରଙ୍କ ମଧ୍ୟରେ ଅସଲ ଲଢ଼େଇ ହେବ

ଗତ ୧୨ ତାରିଖରେ ଭାରତ ଲିଗ୍ ପର୍ଯ୍ୟାୟରେ ୟୁଏଏସକୁ ଭେଟିଥିଲା । ଏହାପରେ ରୋହିତ ବାହିନୀଙ୍କୁ ଗୋଟିଏ ସପ୍ତାହ ବିଶ୍ରାମ ପାଇଁ ସମୟ ମିଳିଥିଲା । ହେଲେ ଆଫଗାନିସ୍ତାନକୁ କିନ୍ତୁ ବିଶ୍ରାମ ପାଇଁ ସମୟ ମିଳିନାହିଁ । ୧୮ ତାରିଖରେ ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ଖେଳିବା ପରେ ସୁପର-୮ ରାଉଣ୍ଡ ମୁକାବିଲା ପାଇଁ ଆଫଗାନିସ୍ତାନ ପ୍ରସ୍ତୁତ ହୋଇଛି । ତେଣୁ ଆଜିର ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି । ଟି-୨୦ରେ ଭାରତ ଓ ଆଫଗାନିସ୍ତାନ ୮ ଥର ମୁହାଁମୁହିଁ ହୋଇଛନ୍ତି । ସେଥିମଧ୍ୟରୁ ଭାରତ ୭ଟି ଜିତିଥିଲା ବେଳେ ଗୋଟିଏ ମ୍ୟାଚର ଫଳାଫଳ ମିଳିନି । ଚଳିତବର୍ଷ ବେଙ୍ଗାଲୁରୁଠାରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍ ଟାଇ ରହିବା ପରେ ଭାରତ ଏହାକୁ ସୁପର ଓଭରରେ ଜିତିଥିଲା । ବିଶ୍ୱକପରେ ଉଭୟ ଦଳ ତିନି ଥର ସାମ୍ନାସାମ୍ନି ହୋଇଛନ୍ତି । ସବୁଥର ଭାରତ ବିଜୟୀ ହୋଇଛି । ଉଭୟ ଦଳ ପ୍ରଥମ ଥର ପାଇଁ କେନିଙ୍ଗଟନ୍ ଓଭାଲରେ ପରସ୍ପରର ମୁକାବିଲା କରିବେ । ଭାରତ ଏଠାରେ ଦୁଇଟି ମ୍ୟାଚ୍ ଖେଳି ଦୁଇଟି ଯାକ ଜିତିଥିବା ବେଳେ ଆଫଗାନିସ୍ତାନ ଗୋଟିଏ ମ୍ୟାଚ୍ ଖେଳି ପରାଜିତ ହୋଇଛି ।

Leave a Reply

Your email address will not be published. Required fields are marked *