ଓଡ଼ିଶା

ବିଦ୍ୟାଳୟରେ ଶିକ୍ଷକ ଅଭାବ

ଚୌଦ୍ୱାର: ୫ ଟି ଶ୍ରେଣୀରେ ପାଠ ପଢ଼ାଉଛନ୍ତି ଜଣେ ମାତ୍ର ଶିକ୍ଷକ। ରାଜ୍ୟରେ ଶିକ୍ଷାକୁ ଗୁରୁତ୍ଵ ଦିଆଯାଇ ଯୋଜନା ପରେ ଯୋଜନା କରି ଚାଲିଛନ୍ତି ସରକାର । ହେଲେ ସବୁ ଯୋଜନା ଯେପରି ନାଲି ଫିତା ତଳେ ଚାପି ହୋଇ ରହିଯାଇଛି । ସ୍କୁଲ ଅଛି ହେଲେ ପାଠ ପଢ଼ାଇବାକୁ ନାହାନ୍ତି ଶିକ୍ଷକ । ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଚୌଦ୍ୱାର ପୌର ପଳିକା ଅନ୍ତର୍ଗତ ୧୩ନଂ ୱାର୍ଡର ପାଇକରାପୁର ଗାଁରେ।

ଚୌଦ୍ୱାର ପାଇକରାପୂର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ମାତ୍ର ଜଣେ ଶିକ୍ଷକରେ ଚାଲିଛି ପାଠପଢା । ୭ ବର୍ଷ ହେବ ଦୁଇ ଜଣ ଶିକ୍ଷକଙ୍କୁ ନେଇ ଚାଲିଥିଲା ପାଠପଢା । ଗତ ନଭେମ୍ବର ମାସରୁ ଜଣେ ଶିକ୍ଷୟତ୍ରୀ ଅନ୍ୟ ସ୍କୁଲକୁ ଚାଲିଯାଇଛନ୍ତି । ସେବେଠୁ ପିଲାମାନେ ସ୍କୁଲ ଯାଉଛନ୍ତି ସତ ହେଲେ ପାଠ ନ ପଢି ଖେଳି ବୁଲି ଅଣ୍ଡା ଭାତ ଖାଇ ଘରକୁ ଫେରୁଛନ୍ତି । ଏନେଇ ଅଭିଭାବକ, ସ୍କୁଲ କମିଟିର କର୍ମକର୍ତ୍ତା, ୱାର୍ଡ କାଉନସିଲରଙ୍କ ପ୍ରତିନିଧି ଆସି ସ୍କୁଲ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ତୁରନ୍ତ ଆଉ ତିନି ଜଣ ଶିକ୍ଷକ ଦେବାକୁ ଦାବି ରଖିଛନ୍ତି ।

ସେପଟେ ୮୬ ବର୍ଷର ଏହି ସ୍କୁଲର ଏପରି ଦୟନୀୟ ଅବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଗ୍ରାମବାସୀ । ସ୍କୁଲରେ ପଢୁଥିବା ୭୬ ଜଣ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଆଜି ଅନ୍ଧାରରେ । ଏନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିବା ସହ ତୁରନ୍ତ ଶିକ୍ଷକ ଯୋଗାଇ ନଦେଲେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଫିସ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସ୍କୁଲ କମିଟି କର୍ମକର୍ତ୍ତା ଓ ଗ୍ରାମବାସୀ କହିଛନ୍ତି । ଅନ୍ୟପକ୍ଷେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜିନୀ ସାହୁ ଆସନ୍ତା ମାର୍ଚ୍ଚ ମାସରେ ସ୍କୁଲରେ ଶିକ୍ଷକ ନିଯୁକ୍ତି କରାଯିବ ବୋଲି କହିଛନ୍ତି ।

ଏବେ ଦେଖିବାକୁ ବାକି ରହିଲା କେବେ ସ୍କୁଲରେ ଶିକ୍ଷକ ନିଯୁକ୍ତି ପାଉଛନ୍ତି ଆଉ ବଦଳୁଛି ଛାତ୍ରଛାତ୍ରୀଙ୍କ ଭାଗ୍ୟ ।

 ଶଙ୍କର୍ଷଣ ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button