LUMEX RESOURCES POLICE ACTION(ଲୁମେକ୍ସ ଲୁଟ୍ ପ୍ରସଙ୍ଗ)

Spread the love

23/03/2023

() ବହୁ ଚର୍ଚ୍ଚିତ ଲୁମେକ୍ସ ଲୁଟ୍ ପ୍ରସଙ୍ଗକୁ ନେଇ ବିଧାନସଭାରେ ସ୍ୱର ଉଠିବା ପରେ ଆଜି ଭୁବନେଶ୍ୱର ଡିସିପି ଏ ନେଇ ମୁହଁ ଖୋଲିଛନ୍ତି। ହାଇକୋର୍ଟଙ୍କ ନିର୍ଦେଶକୁ ଅନୁପାଳନ କରାଯିବ। ଯେହେତୁ ବଡ଼ ଧରଣର ଆର୍ଥିକ ନେଣଦେଣ, ସେଥିଲାଗି ବିଭିନ୍ନ ଏଜେନ୍ସିର ସହଯୋଗ ସହ ସିନିଅର ଅଫିସରଙ୍କୁ ତଦନ୍ତରେ ନିୟୋଜିତ କରାଯାଇଛି। ଅନେକ ପ୍ରମାଣ ଯୋଗାଡ଼ ହେଉଥିବାରୁ ବିଳମ୍ୱ ହେଉଛି। ସେପଟେ ଅତିରିକ୍ତ ସିପି ଉମାଶଙ୍କର ଦାସଙ୍କୁ ବଦଳି ଓ ଅଭିଯୁକ୍ତ ଦମ୍ପତ୍ତି ରାଜୀବ ଦାସ ଓ ସୋନିଆଙ୍କୁ ଗିରଫ ଲାଗି ପୁଣି ଦାବି କରିଛନ୍ତି ବିରୋଧୀ। ଆଉ ଶାସକ ଦଳ କହିଛି, ଯିଏ ଯେତେ ପ୍ରଭାବଶାଳୀ ହୋଇଥିଲେ ହେଁ, ନବୀନ ସରକାର ଦୋଷୀକୁ ବରଦାସ୍ତ କରନ୍ତିନି।

ଲୁମେକ୍ସ ଲୁଟର ମାଷ୍ଟରମାଇଣ୍ଡ ରାଜୀବ ଦାସ ଓ ସୋନିଆଙ୍କୁ ଗିରଫ କର। ଅଭିଯୁକ୍ତଙ୍କ ସମ୍ପର୍କୀୟ କମିଶନରେଟ ପୁଲିସର ଅତିରିକ୍ତ ସିପି ଉମାଶଙ୍କର ଦାସଙ୍କୁ ବଦଳି କର। ଉମାଶଙ୍କର କମିଶନରେଟ ପୁଲିସରେ ଥିଲା ଯାଏ ଅଭିଯୁକ୍ତ ଦମ୍ପତ୍ତିଙ୍କୁ ବାନ୍ଧିବାକୁ ପଛଘୁଞ୍ଚା ଦେବ ପୁଲିସ। କିଛି ଏମିତି ଢଙ୍ଗରେ ବିଧାନସଭା ଭିତରେ ଓ ବାହାରେ ବିରୋଧୀ ଦଳ ଏହି ବହୁ ଚର୍ଚ୍ଚିତ ଲୁମେକ୍ସ ମହାଠକାମୀକୁ ନେଇ ବର୍ଷିଛନ୍ତି। ଏମିତି ଅଭିଯୁକ୍ତ ଓ ଅଫିସରଙ୍କୁ କାହା ବଳରେ ଘଣ୍ଟ ଘୋଡ଼ାଯାଉଛି ବୋଲି ପଚାରିଛନ୍ତି ବିରୋଧୀ ଦଳ। ସବୁଠି ଏହି ଠକ ଦମ୍ପତ୍ତିଙ୍କ କାରନାମାକୁ ନେଇ ଚର୍ଚ୍ଚା। ତା ସତ୍ତ୍ୱେ ସରକାର ଚୁପ୍ ବସିବା ସମସ୍ତଙ୍କୁ ସନ୍ଦେହୀ କରିଛି। ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିର୍ଦେଶକୁ ଅନୁପାଳନ ବି ହେଉନି। ହେଲେ ଶାସକ ଦଳ କହିଛି, ଆଇନ ଆଖିରେ ସମସ୍ତେ ସମାନ। ଅପରାଧୀ ଯିଏ ଯେତେ ପ୍ରଭାବଶାଳୀ ହୋଇଥିଲେ ବି, ମୁଖ୍ୟମନ୍ତ୍ରୀ କାହାକୁ ବରଦାସ୍ତ କରନ୍ତିନି।

ସେପଟେ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଭୁବନେଶ୍ୱର ଡିସିପି।  ୧୫ ଦିନ ଭିତରେ ଅଭିଯୋଗ ଉପରେ ପଦକ୍ଷେପ ନେବାକୁ ଭୁବନେଶ୍ୱର ଡିସିପିଙ୍କୁ ଉଚ୍ଚନ୍ୟାୟାଳୟ ନିର୍ଦେଶ ଦେଇଥିଲେ। ଡିସିପି ପ୍ରତୀକ ସିଂ କହିଛନ୍ତି, ଆମେ ଅଭିଯୋଗକାରିଙ୍କୁ ଡାକିଛୁ। ପ୍ରମାଣ ଯୋଗାଡ଼ ଚାଲିଛି। ବଡ଼ ଧରଣର ଆର୍ଥିକ ନେଣଦେଣ ହେତୁ ଅନେକ ଏଜେନ୍ସିକୁ  ଲଗାଇଛୁ। ସିନିଅର ଅଫିସର ତଦନ୍ତରେ ଲାଗିଛନ୍ତି। ଅଭିଯୁକ୍ତଙ୍କ ସହ ବରିଷ୍ଠ ଆଇପିଏସଙ୍କ ସମ୍ପର୍କୀୟ ଆଧାରରେ ତଦନ୍ତ ହୁଏନି। ସତ ଆଧାରରେ ତଦନ୍ତ ହୁଏ। ତଦନ୍ତରେ ଏକଥା ବି ଆସିଲେ, ପୁଲିସ ପ୍ରଫେସନାଲ ଢଙ୍ଗରେ ତଦନ୍ତ କରିବ। କୌଣସି ଅଭିଯୋଗ ଉପରେ ତଦନ୍ତ ଦିଗହରା ହୁଏନା।

ପୁଲିସ ଉପରେ ଅଭିଯୋଗକାରିଣୀଙ୍କ ଭରସା ବି ଥିଲା। କିନ୍ତୁ ନ୍ୟାୟାଳୟଙ୍କ ନିର୍ଦେଶକୁ ଅନୁପାଳନ କରିବାରେ ଅହେତୁକ ବିଳମ୍ୱ ହେତୁ ପୁଲିସ ଉପରେ ସେ ଭରସା ତୁଟିବା ସ୍ୱାଭାବିକ କଥା। ଆଉ ବିଭିନ୍ନ ଗଣମାଧ୍ୟମରେ ଏ ନେଇ ଖବର ପ୍ରସାରଣ, ବିଧାନସଭାରେ ପ୍ରସଙ୍ଗ ଉଠିବା ପରେ ପୁଲିସ ବାସ୍ତବରେ କେତେଦୂର ତତ୍ପର ହେଉଛି, ଦେଖିବାର କଥା।

ବ୍ୟୁରୋ ରିପୋର୍ଟ ନକ୍ଷତ୍ର ନ୍ୟୁଜ୍

Leave a Reply

Your email address will not be published. Required fields are marked *