LUMEX RESOURCES INQUIRY (ଲୁମେକ୍ସ ଅଭିଯୁକ୍ତଙ୍କ ପାଖରେ କାହିଁକି ପହଞ୍ଚିପାରୁନି ବ୍ୟବସ୍ଥା)

Spread the love

24/03/2023

() ଲୁମେକ୍ସ ସଂସ୍ଥା ଖୋଲି ନିବେଶକଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଥିବା ଠକ ଦମ୍ପତ୍ତି ରାଜୀବ ଦାସ ଓ ସୋନିଆ ତ୍ରିପାଠୀଙ୍କ ପାଖରେ ପହଞ୍ଚିପାରୁନି ପୁଲିସ। ହଁ ଅବଶ୍ୟ ଅଭିଯୋଗକାରିଙ୍କୁ ଡାକିଛି। ପ୍ରମାଣ ମାଗିଛି। କିନ୍ତୁ ଅଭିଯୁକ୍ତଙ୍କୁ ଠାବ କରିପାରିନି। କୋଟିଏରୁ ବେଶୀ ଟଙ୍କାର ଆର୍ଥିକ ହେରଫେର ମାମଲାରେ ଅର୍ଥନୈତିକ ଅପରାଧ ଶାଖାକୁ ବି ତଦନ୍ତ ହସ୍ତାନ୍ତର କରୁନି। ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବିରୋଧୀ ଦଳ। ସେପଟେ ପୁଲିସର ପାରଦର୍ଶିତା ଅଭାବରୁ ଜଣେ ବରିଷ୍ଠ ଆଇପିଏସଙ୍କ ସମ୍ପର୍କୀୟ ବୋଲି ତଦନ୍ତ ଆଗଉନି କହି ଅଙ୍ଗୁଳି ଉଠୁଥିବା କଥା କହିଛନ୍ତି ଅବସରପ୍ରାପ୍ତ ଡିଜି।

ଡିସିପି ପ୍ରତୀକ ସିଂ କହିଛନ୍ତି, ଲୁମେକ୍ସ ବଡ଼ ଧରଣର ଆର୍ଥିକ ଅନିୟମିତତା ମାମଲା ଥିବାରୁ ସବୁ ଦିଗକୁ ପୁଲିସ ନିରୀକ୍ଷଣ କରୁଛି। ତଦନ୍ତ କରୁଛି। ସେଥିଲାଗି ସମୟ ଲାଗୁଛି। ଅଭିଯୋଗକାରିଙ୍କୁ ଡାକିଛନ୍ତି। ତଥ୍ୟ ପ୍ରମାଣ ନେଇଛନ୍ତି। ହେଲେ ବଡ଼ ପ୍ରଶ୍ନ, ଅଭିଯୁକ୍ତକୁ କେତେ ଥର ପଚାରିଲାଣି ପୁଲିସ। ଅଭିଯୁକ୍ତର ଅତାପତ୍ତା କେଉଁଠି। କୋର୍ଟ କଅଣ କହିଥିଲେ। ଏତଲା ଦେବାର ୧୭ ମାସ ବିତିଗଲା। ତଥାପି ତଦନ୍ତ ସରୁନି। ଅଭିଯୁକ୍ତଙ୍କ ଆଗୁଆ ଜାମିନ୍ ୨ଥର ଖାରଜ ହେଲାଣି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ବି ୩ ମାସ ବିତିଲାଣି। କୋର୍ଟ ନିର୍ଦେଶ ଦେଇଥିଲେ କି ଅଭିଯୋଗକାରିଣୀଙ୍କୁ ଡିସିପି ଶୁଣିବେ। ଆଉ ଏହା ଉପରେ ବିଚାର କରିବେ। ହେଲେ ବିଚାର ସରୁନି। ଅଭିଯୁକ୍ତ ପୁଲିସକୁ ତଦନ୍ତରେ ସହଯୋଗ କରିଛନ୍ତି କି। ସେପଟେ କୋଟିଏରୁ ବେଶୀ ଟଙ୍କା ହେରଫେର ମାମଲା ଅର୍ଥନୈତିକ ଅପରାଧ ଶାଖାକୁ ଯିବା କଥା। ଏଠି କ୍ରାଇମବ୍ରାଞ୍ଚ ପୁରା ନୀରବ। ନେବାକୁ ଚାହୁଁନି ନା କମିଶନରେଟ ପୁଲିସ ଦେବାକୁ ଚାହୁଁନି। ଏ କି ପ୍ରକାର ପ୍ରହସନ ଚାଲିଛି କହି ବିରୋଧୀ ଅଙ୍ଗୁଳି ଉଠାଇଲେଣି। ଅଭିଯୋଗକାରୀକୁ ଥାନାକୁ ଡକାଯାଉଛି। କିନ୍ତୁ ଅଭିଯୁକ୍ତକୁ ନୁହେଁ। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି ବାହିନୀପତି। ବିରୋଧୀ ଦଳ ନେତା କହୁଛନ୍ତି, ଆଇନ ଅନୁସାରେ ଯଦି ପଦକ୍ଷେପ ନିଆଯାଉଛି, ତାହେଲେ କାହିଁକି ନିଆଯାଉନି। ଆଉ ଶାସକ ଦଳର କହିବା କଥା, ଯେହେତୁ ବିଧାନସଭାରେ ଏ କଥା ଉଠିଛି। ଆଉ ଡିସିପି ଯେହେତୁ କହିଲେଣି, ତ୍ୱରିତ ଆକ୍ସନ। ସେଥିଲାଗି ଆଇନ ଉପରେ ଆସ୍ଥା ରଖନ୍ତୁ।

ସେପଟେ ଏଭଳି ସ୍ଥିତିରେ ପୁଲିସ ପାରଦର୍ଶିତା ସହ ତଦନ୍ତ କରିବା ଜରୁରୀ ବୋଲି ମତ ରଖିଛନ୍ତି ଅବସରପ୍ରାପ୍ତ ଡିଜି ସଞ୍ଜୀବ ମାରିକ୍। ତା ନହେଲେ ବରିଷ୍ଠ ଆଇପିଏସଙ୍କ ସମ୍ପର୍କୀୟ ହେତୁ ତଦନ୍ତ ଢିଲା ହୋଇଛି ବୋଲି ସାଧାରଣରେ ସନ୍ଦେହ ଉଠିବ। ଆଉ ବରିଷ୍ଠ ଆଇନଜୀବିଙ୍କ ମତରେ, ଅଭିଯୁକ୍ତ ପାଖରେ ଏ ଯାଏ ପହଞ୍ଚିପାରିଲାନି ପୁଲିସ। ଅଭିଯୋଗକାରିଣୀ ତା ହେଲେ ନ୍ୟାୟ ପାଇବେ କେମିତି। ଏଯାଏ ଅଭିଯୁକ୍ତଠୁ ଠାବ କରିପାରିଲାନି ପୁଲିସ୍। ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ ହୋଇଛି କି। ସେମାନେ ଫେରାର୍ କି। ଯଦି ଫେରାର୍, ତେବେ ଠାବ ନେଇ ପୁଲିସ କଅଣ କରିଛି ବୋଲି କହିଛନ୍ତି ବରିଷ୍ଠ ଆଇନଜୀବି ଚିତ୍ତରଞ୍ଜନ ମହାନ୍ତି ।

କମିଶନରେଟ ପୁଲିସର ଦକ୍ଷତାକୁ ନେଇ କାହାରି ସନ୍ଦେହ ନାହିଁ। କିନ୍ତୁ ଲୁମେକ୍ସ ମହାଠକେଇ ଘଟଣାର ପୁରା ପ୍ରକରଣକୁ ଦେଖିଲେ ସାଧାରଣରେ ସନ୍ଦେହ ଘନୀଭୂତ ହେଲାଣି। ନିବେଶକାରୀ ନିଶାରାଣୀଙ୍କ ଚାରିପଟେ ତଦନ୍ତ ସୀମିତ ରହିଯାଇଛି କି ପୁଲିସର। ନା ଅଭିଯୁକ୍ତକୁ ଠାବ କରିବାକୁ ପୁଲିସର କଳ ଓ ବଳ ପାଉନି। କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଅନିୟମିତତା ମାମଲାରେ ଇଓଡବ୍ଲୁ ବି କାହିଁକି ଆଖି ବୁଜିଦେଇଛି। ଏମିତି ତମାମ ପ୍ରଶ୍ନଜାଲରେ କମିଶନରେଟ ପୁଲିସର ପାରିଲାପଣିଆ ପଡ଼ିଯାଇଛି କହିଲେ ଭୁଲ ହେବନି।

ବ୍ୟୁରୋ ରିପୋର୍ଟ ନକ୍ଷତ୍ର ନ୍ୟୁଜ୍

Leave a Reply

Your email address will not be published. Required fields are marked *