ଅପରାଧ

ପ୍ରେମ ପ୍ରତ୍ୟାକ୍ଷାନରେ ଯୁବକଙ୍କ ଉନ୍ମତ୍ତକାଣ୍ଡ

ରାଞ୍ଚି: ଏକତରଫା ପ୍ରେମର କରୁଣ ପରିଣତି। ଯୁବତୀଙ୍କ ପ୍ରେମ ପ୍ରତ୍ୟାକ୍ଷାନରେ ପ୍ରତିଶୋଧପରାୟଣ ଯୁବକ ଭିଆଇଛି ବର୍ବରକାଣ୍ଡ। ଯୁବତୀଙ୍କ ଦେହରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଇଛି ଉନ୍ମତ୍ତ ପ୍ରେମିକ। ନିଆଁରେ ପୋଡ଼ି ହୋଇ ପୀଡ଼ିତା ସଂକଟାପନ୍ନ ସ୍ଥିତିରେ ହସ୍ପିଟାଲରେ ମରଣ ସହ ଯୁଝୁଛି । ଝାଡ଼ଖଣ୍ଡର ଡୁମକାରେ ଥିବା ଜରଓ୍ୱାଡିହି ମହଲ୍ଲାରେ ଏଭଳି ଅଘଟଣ ଘଟିଛି।

ଘର ଝରକା ପାଖରେ ଯୁବତୀ ଜଣକ ଶୋଇଥିଲା ବେଳେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଇଛି ଉନ୍ମତ୍ତ ଯୁବକ ଶାହାରୁଖ। ନିଆଁରେ ଛଟପଟ ପୀଡ଼ିତାର ଚିତ୍କାର ଶୁଣି ପରିବାର ଲୋକଙ୍କ ନିଦ ଭାଙ୍ଗିଥିଲା। ତୁରନ୍ତ ସେମାନେ ଫୁଲୋ ଝାନୋ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହେବାରୁ ଉନ୍ନତମାନର ଚିକିତ୍ସା ଲାଗି ରେଫର କରିଦିଆଯାଇଛି। ତେବେ ଅଭିଯୁକ୍ତ ଶାହାରୁଖକୁ ପୁଲିସ ତୁରନ୍ତ ଗିରଫ କରିଛି।

ଘଟଣାରୁ ଜଣାପଡ଼ିଛି କି, ଝିଅଟିକୁ ଏକତରଫା ଭଲ ପାଉଥିଲା ଶାହାରୁଖ। ଯୁବତୀ ଜଣକ କିନ୍ତୁ ତା ସହ କଥାବାର୍ତ୍ତା କରିବାକୁ ପସନ୍ଦ କରୁନଥିଲା। ଏହା ପରେ ରାସ୍ତାଘାଟରେ ଯୁବତୀ ଜଣକୁ ହଇରାଣ ହରକତ କରିବାକୁ ଲାଗିଥିଲା ଅଭିଯୁକ୍ତ ଶାହାରୁଖ। ଫୋନ୍ କରି ବି ତା ସହ ଫ୍ରେଣ୍ଡସିପ୍ କରିବାକୁ ଚାପ ପକାଉଥିଲା। କିନ୍ତୁ ଏଥିରେ ରାଜି ହୋଇନଥିଲେ ଯୁବତୀ ଜଣକ। ମଙ୍ଗଳବାର ଯୁବତୀ ଜଣକ ରାତିରେ ଘର ଝରକା ପାଖରେ ଶୋଇଥିଲା। ସକାଳୁ ଅଭିଯୁକ୍ତ ଶାହାରୁଖ ଝରକା ଦେଇ ଯୁବତୀ ଉପରକୁ ପେଟ୍ରୋଲ ଛାଟି ନିଆଁ ଲଗାଇଦେଇଥିଲା। ନିଆଁ ଲଗାଇବା ପରେ ଫେରାର୍ ହୋଇଯାଇଥିଲା।

ପୁଲିସର କହିବା କଥା, ଏହା ଏକତରଫା ପ୍ରେମ ଥିଲା। ଯୁବତୀ ଜଣକ ଶାହାରୁଖ କଥାରେ ରାଜି ନ ହେବାରୁ ଏଭଳି ଉନ୍ମତ୍ତକାଣ୍ଡ ଭିଆଇଛି। ଜାଳି ଜୀବନରେ ମାରିଦେବାକୁ ପଣ କରିଥିଲା ଯୁବକ ଜଣକ। ଅଭିଯୁକ୍ତକୁ ଗିରଫ କରାଯାଇଛି। ଆଗକୁ ବି ଆବଶ୍ୟକୀୟ ଆକ୍ସନ ନିଆଯିବ ବୋଲି ପୁଲିସ ପକ୍ଷରୁ ସୂଚନା ରହିଛି।

ପ୍ରେମଲତା ବାରିକ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button