ଛତିଶଗଡ଼-ମହାରାଷ୍ଟ୍ର ସୀମାରେ ନକ୍ସଲ ଦମନ ଅଭିଯାନରେ ପୁଲିସକୁ ବଡ଼ ସଫଳତା। ଛତିଶଗଡ଼ର ନାରାୟଣପୁର- କାଙ୍କେର ସୀମାକୁ ଲାଗିଥିବା ଅବୁଝମାର ଜଙ୍ଗଲରେ ନକ୍ସଲ ଓ ସୁରକ୍ଷାକର୍ମୀ ମୁହାମୁହିଁ ହୋଇଥିଲେ। ନାରାୟଣପୁର, କାଙ୍କେର, ଦନ୍ତେଓ୍ୱାଡ଼ା ଓ କଣ୍ଡାଗାଁ ଜିଲ୍ଲା ପୁଲିସର ଜଏଣ୍ଟ ଅପରେସନରେ ୮ ନକ୍ସଲ ନିପାତ ହୋଇଛନ୍ତି। ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଅବୁଝମାର ଜଙ୍ଗଲରେ ସକାଳୁ ସର୍ଚ୍ଚ ଅପେରସନରେ ଏତେ ବଡ଼ ସଫଳତା ପାଇଛି ପୁଲିସ। ତେବେ ନକ୍ସଲ ଓ ପୁଲିସ ମଧ୍ୟରେ ଗଲା ଦୁଇ ଦିନ ଧରି ଚାଲିଥିଲା ଛକାପଞ୍ଝା। ଏନକାଉଣ୍ଟରରେ ୮ ନକ୍ସଲ ଟଳିପଡ଼ିଥିଲା ବେଳେ ଜଣେ ସୁରକ୍ଷାକର୍ମୀ ବି ଶହୀଦ ହୋଇଛନ୍ତି। ଆଉ ଦୁଇ ସୁରକ୍ଷାକର୍ମୀ ଆହତ ହୋଇଥିଲେ।

ଏହି ଅପରେସନରେ ୪ ଜିଲ୍ଲାର ରିଜର୍ଭ ଗାର୍ଡ, ସ୍ପେଶିଆଲ ଟାସ୍କ ଫୋର୍ସ ଓ ଆଇଟିବିପିର ୫୩ତମ ବାଟାଲିୟନର ଜବାନ ସାମିଲ୍ ହୋଇଥିଲେ। ଆବୁଝମାର ଜଙ୍ଗଲର କୁଟୁଲ, ଫାରାସବେଡ଼ା ଓ କୋଡଟାମେଡ଼ା ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା। ଗଲା ସପ୍ତାହରେ ବି ବସ୍ତରରେ ୭ ନକ୍ସଲଙ୍କୁ ନିପାତ କରିଥିଲେ ସୁରକ୍ଷାକର୍ମୀ। ପିପୁଲ୍ସ ଲିବରେସନ ଗରିଲା ଆର୍ମି ସହ ପୁଲିସ ଫୋର୍ସ ମୁହାଁମୁହିଁ ହୋଇଥିଲା। ୮ ନକ୍ସଲଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ କହିଛନ୍ତି, ପୁଲିସର ଏତେବଡ଼ ସଫଳତାକୁ ଧନ୍ୟବାଦ। ଶହୀଦ ଜବାନଙ୍କ ପରିବାରକୁ ସମେବଦନା ଜ୍ଞାପନ କରିବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ନକ୍ସଲଙ୍କ ବିରୁଦ୍ଧରେ କ୍ରମାଗତ କାର୍ଯ୍ୟାନୁଷ୍ଠାନରେ ବିଚଳିତ ହୋଇଗଲାଣି ଲାଲବାହିନୀ। ନକ୍ସଲଦମନ ଲାଗି ସରକାର ପୁରା ତତ୍ପର ଓ ଯେ ପର୍ଯ୍ୟନ୍ତ ଲକ୍ଷ୍ୟ ପୂରଣ ହୋଇନି ଚୁପ୍ ବସିବୁନି।
ମିଳିତ ଅପରେସନରେ ୮ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲା ବେଳେ ଅପରେସନ ଜାରି ରହିଛି। ପ୍ରାୟ ୯ଶହ ସୁରକ୍ଷାକର୍ମୀ ଏହି ବଡ଼ ଧରଣର ଅପରେସନରେ ସାମିଲ୍ ହୋଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now