ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ଭାର ସିବିଆଇକୁ ଦେଇଦେଲେ କୋଲକାତା ହାଇକୋର୍ଟ

କୋଲକାତାରେ ୩୧ ବର୍ଷୀୟା ଡାକ୍ତରଙ୍କ ହତ୍ୟା ଓ ଦୁଷ୍କର୍ମ ମାମଲାରେ ପଶିଲା ସିବିଆଇ। ରାଜ୍ୟ ପୁଲିସର ତଦନ୍ତରେ ଗୁରୁତର ତ୍ରୁଟି, ଘଟଣାର ୫ ଦିନ ପରେ ବି ତଦନ୍ତରେ ବିଶେଷ ଅଗ୍ରଗତି ନହେବା ଓ ଏଭଳି ଧାରା ଜାରି ରହିଲେ ପୀଡ଼ିତ ପରିବାରକୁ ନ୍ୟାୟ ଦେବାରେ ସମସ୍ୟା ଉପୁଜିବ ଦର୍ଶାଇ ମଙ୍ଗଳବାର ସିବିଆଇକୁ ମାମଲା ହସ୍ତାନ୍ତର କରିଥିଲେ ହାଇକୋର୍ଟ। ଆଉ ହାଇକୋର୍ଟଙ୍କ ନିର୍ଦେଶ ପରେ ବୁଧବାର ପଶ୍ଚିମବଙ୍ଗ ପୁଲିସଠୁ ମାମଲାର ସମସ୍ତ ନଥିପତ୍ର ନେଇ ସିବିଆଇ ଆରମ୍ଭ କରିଛି ତନାଘନା। ସ୍ୱତନ୍ତ୍ର ମେଡିକାଲ ଓ ଫରେନସିକ୍ ଟିମ୍ ଦିଲ୍ଲୀରୁ ଆଣି ସିବିଆଇ ଅଫିସରେ ଥିବା ଅଭିଯୁକ୍ତ ସଞ୍ଜୟ ରାଏଙ୍କୁ ଘାଣ୍ଟିଛି। ବିଧାନସଭା ଅଧିବେଶନ ବନ୍ଦ ସତ୍ତ୍ୱେ ବିଧାନସଭା ଆଗରେ ୨ଘଣ୍ଟା ଧରି ଧାରଣା ଦେବା ସହ ଅପରାହ୍ନରେ ରାଜଭବନ, ସଚିବାଳୟ ଓ ସ୍ୱାସ୍ଥ୍ୟଭବନକୁ ପଦଯାତ୍ରା କରିଥିଲା ବିଜେପି। ମମତା ବାନାର୍ଜୀଙ୍କ ବିରୁଦ୍ଧରେ ନାରାବାଜି କରିବା ସହ ଇସ୍ତଫା ଦାବି କରିଥିଲା ବିଜେପି। ଯେହେତୁ ଉଭୟ ଗୃହ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମମତାଙ୍କ ପାଖରେ ଅଛି।  ସିବିଆଇ ଆଗ ଆରଜି କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଫିଜିସିଆନ ଡାକ୍ତର ଏସପି ଦାସ ଓ କୋଲକାତି ସିପି ବୀନିତ ଗୋଏଲଙ୍କୁ ତୁରନ୍ତ ସିବିଆଇ ନିଜ ହେପାଜତକୁ ନେଉ। ପ୍ରମାଣ ନଷ୍ଟ କରିବା ଓ ପୀଡ଼ିତାର ଚରିତ୍ର ସଂହାରରେ ଏମାନେ ଲିପ୍ତ ଥିବା ଆରୋପ ଲଦିଛନ୍ତି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ସେପଟେ ସିପିଆଇଏମ୍ କହିଛି, ସିବିଆଇ ତଦନ୍ତରେ ସତ ପଦାକୁ ଆସିବ ବୋଲି ଆଶାବାଦୀ। ଯେଉଁଠି ଘଟଣା ଘଟିଛି, ଅଚାନକ ସେଠାରେ ଭଙ୍ଗାରୁଜା ସହ ପେଣ୍ଟିଂ କାମ କାହିଁକି ଆରମ୍ଭ ହୋଇଛି। କଂଗ୍ରେସ କହିଛି, ଏଭଳି ପ୍ରଶ୍ନ କରିବାର ନୈତିକତା ହରାଇସାରିଛି ବିଜେପି । କାଠୁଆ, ଉନ୍ନାଓ,ହାଥରସରେ ଘଟିଥିବା ହୃଦୟ ବିଦାରକ ଘଟଣାରେ ତ ବିଜେପି ନୀରବଦ୍ରଷ୍ଟା ସାଜିଥିଲା। ବଳାତ୍କାରୀଙ୍କ ସପକ୍ଷରେ ଛିଡ଼ା ହୋଇଥିଲା ବିଜେପି। ଆଗ ନିଜକୁ ଦେଖ, ତା ପରେ କହିଲେ ସାଜିବ।ଆରଜି ମେଡିକାଲ କଲେଜ ଛାତ୍ରୀଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାର ପ୍ରତିବାଦ କରି ଛାତ୍ରଛାତ୍ରୀ ଆନ୍ଦୋଳନ ଜାରି ରଖିଛନ୍ତି। ହସ୍ପିଟାଲରେ ଡାକ୍ତରଙ୍କ ନିରାପତ୍ତା ଦାବିକୁ ଶାଣିତ କରିଛନ୍ତି।

ସେପଟେ ଆସାମର ସିଲଚାର ମେଡିକାଲ କଲେଜ ନିଜର ପୂର୍ବର ଆଡଭାଇଜୋରିକୁ ରଦ୍ଦ କରିଦେଇଛି। ମହିଳା ଡାକ୍ତର, ଛାତ୍ରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ ଯେ, ଏକୁଟିଆ ଯିବେନି ଓ ନିକାଞ୍ଚନ ଜାଗାକୁ ଯଥାସମ୍ଭବ ଏଢ଼ାଇବେ। ମହିଳା ଡାକ୍ତର,ସ୍ୱାସ୍ଥ୍ୟକର୍ମୀଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ବଦଳରେ ପାଲଟା ଏଭଳି ଆଡଭାଇଜୋରୀକୁ ନେଇ ବିବାଦ ଉଠିଥିଲା। ଫଳରେ ହସ୍ପିଟାଲ କର୍ତ୍ତୃପକ୍ଷ ଏଭଳି ଆଡ଼ଭାଇଜୋରୀକୁ ପ୍ରତ୍ୟାହାର କରିନେଇଛନ୍ତି। ସେପଟେ କ୍ୟାମ୍ପସ ଭିତରେ ଆନ୍ଦୋଳନ କରିବନି କହି ଏମ୍ସ କର୍ତ୍ତୃପକ୍ଷଙ୍କ ତାଗିଦା ସତ୍ତ୍ୱେ ଆନ୍ଦୋଳନ ଜାରି ରହିବ ବୋଲି ସ୍ପଷ୍ଟ କରିଛି ଏମ୍ସର ରେସିଡେଣ୍ଟ ଡକ୍ଟର ଆସୋସିଏସନ। ସେଣ୍ଟ୍ରାଲ ପ୍ରୋଟେକ୍ସନ ଆକ୍ଟ ଦାବି ସହ ଆରଜି କର ହସ୍ପିଟାଲର ମୃତ ଡାକ୍ତରଙ୍କୁ ନୈତିକ ସମର୍ଥନ ଜାରି ରହିବ ବୋଲି ଘୋଷଣା କରିଛି। ଇଲେକ୍ଟିଭ ଓପିଡି, ଓ୍ୱାର୍ଡ, ଓଟି ସର୍ଭିସ ସସପେଣ୍ଡ୍ ରହିବ। କିନ୍ତୁ ଏମର୍ଜେନ୍ସି ସର୍ଭିସ ଜାରି ରହିବ। ସେପଟେ ପୀଡ଼ିତାଙ୍କ ପରିବାରକୁ ଭେଟିଛି ଇଣ୍ଡିଆନ ମେଡିକାଲ ଆସୋସିଏସନର ଏକ ଟିମ୍।

ରବିବାର ଯାଏ ସିବିଆଇକୁ ମାମଲା ହସ୍ତାନ୍ତର ହେବ ବୋଲି କହି ମହଲତ ନେଇଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ତା ସହ ଯୋଡିଥିଲେ, ସିବିଆଇ ତଦନ୍ତରେ ସଫଳତା ହାର ବହୁତ୍ କମ୍। କିନ୍ତୁ ଏବେ ହାଇକୋର୍ଟଙ୍କ ନିର୍ଦେଶ ପରେ ସିବିଆଇ ତନାଘନା ପରେ କଅଣ ନିଷ୍କର୍ସ ଆସୁଛି, ତା ଉପରେ ସମସ୍ତଙ୍କ ନଜର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *