ପାତ୍ରପଡ଼ା ଜମି କେଳେଙ୍କାରୀ

Spread the love

ପାତ୍ରପଡ଼ା ମୌଜାରେ ମୂଲ୍ୟବାନ ସରକାରୀ ଜମି ହଡ଼ପ ମାମଲାରେ ଟ୍ୱିଷ୍ଟ। ୪ ଆଇପିଏସ ଅଧିକାରୀଙ୍କ ମିଲିଭଗତରେ କିଭଳି ୨୫୦ କୋଟି ଟଙ୍କାର ସରକାରୀ ଜମି ହଡ଼ପ ହୋଇଛି, ଏ କଥା ଚର୍ଚ୍ଚାର ଶିରୋନାମାରେ ରହିଛି। ୩୨୧ ନମ୍ୱର ପ୍ଲଟରେ ସାଢ଼େ ୭ ଏକର ଜମିକୁ ପ୍ରଭାବଶାଳୀ ମାଡ଼ି ବସିଛନ୍ତି। ସଞ୍ଜୀବ ମାରିକ, ଶ୍ୟାମସୁନ୍ଦର ହାଁସଦା, ଏମ.ନାଗେଶ୍ୱର ରାଓ ଓ ଆର.ପି କୋଚେଙ୍କ ନାଁରେ ଅଭିଯୋଗ ଉଠିଛି। ଜମି ଦଲାଲ ଚଞ୍ଚକତା କରି ବରିଷ୍ଠ ଆଇପିଏସ ଅଫିସରଙ୍କ ପରିବାରକୁ ବିକି ଦେଇଛି। ୨୦୦୨ରୁ ଭୁବନେଶ୍ୱର ତହସିଲଦାର ଲିଜ୍ ବାତିଲ୍ କରି ସରକାରୀ ଖାତାକୁ ଫେରାଇନେଇଥିଲେ। ତା ସତ୍ତ୍ୱେ ଜମିର ହାତଲେଖା ପଟ୍ଟାକୁ ବ୍ୟବହାର କରି ୨୦୦୩ ରୁ ୨୦୧୮ ଯାଏ ଖଣ୍ଡଗିରି ସବରେଜିଷ୍ଟ୍ରାରରଙ୍କ ଜରିଆରେ ୨୭ଥର କିଣାବିକା ହୋଇଛି। ଏହି ୬ ଏକର ଜମିରୁ ୫୬ ଡିସିମିଲ ସଞ୍ଜୀବ ମାରିକଙ୍କ ପୁଅ ସୁଦୀପ ମାରିକ ଓ ୧୦୮ ଡିସିମିଲ ଜମି ଆରପି କୋଚେଙ୍କ ନାଁରେ ପଞ୍ଜୀକୃତ ହୋଇଛି। ମିନାକ୍ଷୀ ଜେନାଙ୍କଠୁ ୯୨ ଡିସିମିଲ ଜମି କିଣିଥିଲେ ପୂର୍ବତନ ସିବିଆଇ ନିର୍ଦେଶକ ଏମ.ନାଗେଶ୍ୱର ରାଓ। ୨୦୧୧ରେ ଶୈଳବାଳା ଜେନାଙ୍କଠୁ ଶ୍ୟାମସୁନ୍ଦର ହାଁସଦା, ତାଙ୍କ ପତ୍ନୀ ଓ ପୁଅ ୯୦ ଡିସିମିଲ ପ୍ଲଟ କିଣିଥିଲେ।

ବଡ଼ କଥା ହେଉଛି, ଏଭଳି ଅଭିଯୋଗ ଉଠିବା ପରେ ଏବେ ପରସ୍ପରର ଗୋହି ଖୋଳିବାରେ ଲାଗିଛନ୍ତି ଏମ୍‌.ନାଗେଶ୍ୱର ରାଓ ଓ ସଞ୍ଜୀବ ମାରିକ। କେନ୍ଦ୍ରୀୟ ଡେପୁଟେସନରେ ଥିଲା ବେଳେ ତାଙ୍କ ବ୍ୟାଚମେଟ୍ ଆଇପିଏସ ଶ୍ୟାମସୁନ୍ଦର ହାଁସଦାଙ୍କ ଜରିଆରେ ଜାଗା କିଣିଥିଲେ ନାଗେଶ୍ୱର। କିନ୍ତୁ ଜମି କିଣିବାର ୪ ବର୍ଷ ପରେ ଜାଲିଆତି ହୋଇଥିବା କଥା ଜାଣି ୨୦୧୫ରେ ଇଓଡବ୍ଲୁରେ ଲିଖିତ ଅଭିଯୋଗ କରିଥିଲେ ନାଗେଶ୍ୱର। କିନ୍ତୁ ତତ୍କାଳୀନ ଡିଜିପି ସଞ୍ଜୀବ ମାରିକଙ୍କ ଚାପରେ ଇଓଡବ୍ଲୁର ତତ୍କାଳୀନ ମୁଖ୍ୟ ବି.କେ.ଶର୍ମା ନା ଗୁରୁତ୍ୱ ଦେଲେ ନା ଏତଲା ରଖିଲେ। ବହୁ କସରତ ପରେ ଝିଅ ବାହାଘର ଅଛି, ଟଙ୍କା ଦରକାର କହିବାରୁ ୨୦୧୭ରେ ଜମି ହଡ଼ପର ମାଷ୍ଟରମାଇଣ୍ଡ ନରସିଂହ ସୁନ୍ଦରରାୟ ନାଗେଶ୍ୱରଙ୍କୁ ତାଙ୍କର ମୂଳଧନ ଫେରାଇଦେଇଥିଲେ। ସେ ନିଜେ ପୀଡ଼ିତ। କେମିତି ବିଶ୍ୱାସରେ ବିଷ ଦେଲେ ତାଙ୍କରି କିଛି ଆଇପିଏସ ବନ୍ଧୁ। ନ୍ୟାୟ ଲାଗି କିଛି ଆଇଏଏସଙ୍କୁ କହିଲେ ବି ସେମାନେ ବି କେମିତି ନିଜର ଅସହାୟତା ଦେଖାଇଥିଲେ, ସେ କଥା କହିଛନ୍ତି ନାଗେଶ୍ୱର। ମାରିକ, ଶ୍ୟାମସୁନ୍ଦରଙ୍କ ମଧ୍ୟସ୍ଥତାରେ ଅନେକ ଲୋକ ଫସିଛନ୍ତି। ଆଉ ଜମି କିଣେଇ ନିଜେ କେମିତି ପ୍ରତ୍ୟକ୍ଷ ଓ ପରୋକ୍ଷରେ ମାଲେମାଲ୍ ହୋଇଛନ୍ତି, ତଦନ୍ତ ହେଲେ ସବୁ ବାହାରିବ ବୋଲି କହିଛନ୍ତି ନାଗେଶ୍ୱର।

ସେପଟେ ନାଗେଶ୍ୱର କେଉଁ ପ୍ରକୃତିର ବ୍ୟକ୍ତି ଓ ପ୍ରବଳ ଲୋଭୀ, ସେ କଥାକୁ ଓଗାଳିଛନ୍ତି ସଞ୍ଜୀବ ମାରିକ୍। ଯାହାର ପ୍ରମାଣ ତାଙ୍କ ପାଖରେ ଅଛି ବୋଲି କହିଛନ୍ତି ମାରିକ୍। ମାରିକ୍ କହିଛନ୍ତି, ତାଙ୍କୁ କହିକି ତ ଜମି କିଣିନଥିଲେ ନାଗେଶ୍ୱର। ଜମି କିଣିବା ବେଳେ କାଗଜପତ୍ର କେମିତି ଯାଞ୍ଚ କଲେନି। ୪ ବର୍ଷ ପରେ କେମିତି ମନେ ପଡ଼ିଲା। ୮ ଲକ୍ଷ ଟଙ୍କାର ଜମିକୁ ୯୦ ଲକ୍ଷରେ ବିକେଇଦିଅ ବୋଲି କୁଆଡ଼େ ନାଗେଶ୍ୱର ସଞ୍ଜୀବଙ୍କୁ କହିଥିଲେ। କିନ୍ତୁ ଏଥିରେ ଅକ୍ଷମତା ପ୍ରକାଶ କରିବାରୁ ନାଗେଶ୍ୱର ପୂର୍ବ ରାଗ ରଖି ଏଭଳି ଆରୋପ ଲଦୁଛନ୍ତି ବୋଲି ମାରିକ୍ ପାଲଟା ଆରୋପ ଲଦିଛନ୍ତି। ନିଜେ ଏଡିଜି ଥିଲା ବେଳେ ଆଇନକାନୁନ ବାବଦରେ ନାଗେଶ୍ୱରଙ୍କ ଏଭଳି ଅଜ୍ଞତାକୁ ଉପହାସ କରିଛନ୍ତି ମାରିକ୍।

କଥା ଉଠୁଛି, ଏଭଳି ଗୋହି ଖୋଳାଖୋଳି ଭିତରେ ବଡ଼ କଥା ହେଲା, ଖୋଦ୍ ସଞ୍ଜୀବ ମାରିକ୍ ବି ଏଠାରେ ନିଜ ପୁଅ ନାଁରେ ଜମି କିଣିଛନ୍ତି। ଲିଜ୍ ଜମି ସରକାରୀ ଖାତାକୁ ତ କେବେଠୁ ଫେରିଗଲାଣି। ନାଗେଶ୍ୱର ଯେଉଁ ଜାଲିଆତି ଅଭିଯୋଗ କରିଥିଲେ, ସମାନ ଜାଲିଆତିର ଶୀକାର ହୋଇନାହାନ୍ତି କି ଅନ୍ୟ ୩ ଆଇପିଏସ ସଞ୍ଜୀବ, ଶ୍ୟାମସୁନ୍ଦର ଓ କୋଚେ। ତା ହେଲେ ଏମାନେ କାହିଁକି ନୀରବ ରହିଲେ।

Leave a Reply

Your email address will not be published. Required fields are marked *