ବନ୍ଧା ହେଲେ ସୋନିଆ

Spread the love

ଦୀର୍ଘ ୩୦ ମାସର ଲୁଚକାଳି ଖେଳ ସରିଲା। ଲୁମେକ୍ସ ଓ ବ୍ରାଇଟ ହୋମ୍ସ ଡେକର ସଂସ୍ଥା ନାଁରେ ଲୋକଙ୍କୁ କୋଟି କୋଟିଟଙ୍କାର ଚୂନ ଲଗାଇଥିବା ସୋନିଆ ତ୍ରିପାଠୀଙ୍କୁ ଶେଷରେ ବାନ୍ଧିଛି ପୁଲିସ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦେଶ ଓ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ଶେଷରେ ଆଉ ବର୍ତ୍ତିପାରିଲେନି ଠକେଇର କିଙ୍ଗପିନ୍ ସୋନିଆ। ୧୭ କୋଟି ଟଙ୍କାର ବଡ଼ ଧରଣର ଠକେଇ ଭଳି ଆର୍ଥିକ ଅପରାଧରେ ଜିରୋ ଟଲେରାନ୍ସ ନୀତି ଆପଣାଇଥିବା ମୋହନ ସରକାର କ୍ଷମତାକୁ ଆସୁ ଆସୁ କାମରେ ଦେଖାଇଦେଲେ। ସବୁ ଗଣମାଧ୍ୟମ ଯଦିଓ ସୋନିଆଙ୍କ କାରନାମାକୁ ନେଇ ଖବର କରିଥିଲେ, କିନ୍ତୁ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବା ଯାଏ କ୍ରମାଗତ ଏହି ଲଢ଼େଇ ଜାରି ରଖିଥିଲା ନକ୍ଷତ୍ର ନ୍ୟୁଜ୍..।

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଗଲା ସପ୍ତାହରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କୁ ଗୁ଼୍ଣାତ୍ମକ ସେବା ଦିଅ। ଅଭିଯୋଗକୁ ଶୁଣ। କେହି ଯେମିତି ନ୍ୟାୟ ପାଇଁ ଥାନାରୁ ନିରାଶ ହୋଇ ଫେରିବେନି, ତାକୁ ଗୁରୁତ୍ୱ ଦିଅ। ଏଭଳି ନିର୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦେଶକୁ ଶେଷରେ ଅନୁପାଳନ କରିଛନ୍ତି ଡିଜି। ଲୁମେକ୍ସ ଓ ବ୍ରାଇଟ ହୋମ୍ସ ଡେକର ସଂସ୍ଥା ନାଁରେ ଜାଲି ଦସ୍ତାବିଜ୍ କରି ଲୋକଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇ ଫେରାର୍ ଥିବା ସୋନିଆଙ୍କୁ ଶେଷରେ ବାନ୍ଧିଛି ପୁଲିସ। ଦୀର୍ଘ ୩୦ ମାସ ହେଲା ପୁଲିସ ସୋନିଆଙ୍କୁ ପାଉନଥିଲା। ସୋନିଆଙ୍କୁ ପଳାତକ ବୋଲି ଘୋଷଣା କରିବାକୁ କୋର୍ଟରେ ଆବେଦନ ବି କରିଥିଲା ପୁଲିସ। ଇଓଡବ୍ଲୁ, ସାଇବର କ୍ରାଇମ୍, ନୟାପଲ୍ଲୀ, ଇନଫୋସିଟି  ଓ ବଡ଼ଗଡ଼ ଥାନାରେ ସୋନିଆଙ୍କ ନାଁରେ ୭ଟି ମାମଲା ଗଡ଼ୁଛି। ଏହା ସହ ୩ଟି ଏନବିଡବ୍ଲୁ, ୬ଟି ଓ୍ୱାରେଣ୍ଟ୍, ପଳାତକ ଘୋଷଣା ଲାଗି ପ୍ରକ୍ରିୟା ଆରମ୍ଭ ଭିତରେ ଓଡ଼ିଶା ହାଇକୋର୍ଟ ଏହାରି ଭିତରେ ୩ଟି ଆଗୁଆ ଜାମିନ ଆବେଦନକୁ ଖାରଜ ସାରିଥିଲେ। ଆଉ ତା ସହ ସୋନିଆଙ୍କୁ ତୁରନ୍ତ ଆତ୍ମସମର୍ପଣ ଲାଗି ନିର୍ଦେଶ ବି ଦେଇସାରିଥିଲେ ମାନ୍ୟବର ହାଇକୋର୍ଟ। ହେଲେ ନା ସୋନିଆ ନା ପୁଲିସ ଜାଲରେ ପଡ଼ୁଥିଲେ ନା ନିଜେ କୋର୍ଟଙ୍କ ନିର୍ଦେଶକୁ ମାନି ଆତ୍ମସମର୍ପଣ କରୁଥିଲେ। ଆଉ ଦୀର୍ଘ ଦିନର ଛକାପଞ୍ଝାର ଶେଷରେ ଅବସାନ ହୋଇଛି। ଇନଫୋସିଟି ପୁଲିସ ସୋନିଆଙ୍କୁ ବାନ୍ଧିଛି।

୩ ମାସ ତଳେ ସିପି ସଞ୍ଜୀବ ପଣ୍ଡା ବି କହିଥିଲେ, ସ୍ୱତନ୍ତ୍ର କ୍ରାଇମ୍‌ ୟୁନିଟ୍ ଏ ମାମଲାକୁ ଗମ୍ଭୀରତାର ସହ ନେଇ କାମ କରୁଛି। ଏନବିଡବ୍ଲୁ କାହିଁକି କାର୍ଯ୍ୟକାରୀ ହେଉନି, ତାକୁ ନେଇ ନିର୍ବାଚନ କମିଶନ ବି ଚାରି ଚାରି ଥର ସିପିଙ୍କୁ ଆକ୍ସନ ଟେକେନ ରିପୋର୍ଟ ମାଗିଥିଲେ। ହେଲେ କୌଣସି ଗୋଟିକରେ ବି ଉତ୍ତର ଦେଇନଥିଲେ ସିପି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ, ଡିଜିଙ୍କ ହସ୍ତକ୍ଷେପ ପରେ ତତ୍ପରତା ପ୍ରକାଶ କରିଥିଲା କମିଶନରେଟ ପୁଲିସ। ସୋନିଆଙ୍କ ସ୍ୱାମୀ ରାଜୀବ ଦାସଙ୍କୁ ବାନ୍ଧିବାକୁ ବି ପୁଲିସ ସେତେବେଳେ ୧୭ ମାସ ଲଗାଇଦେଇଥିଲା। ଯାହା କମିଶନରେଟ ପୁଲିସ ପାରିନଥିଲା, ତାକୁ ଇଓଡବ୍ଲୁ ମାସକ ଭିତରେ ବାନ୍ଧିଥିଲା। କୋର୍ଟଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରାଯାଇଛି ବୋଲି କହିଛନ୍ତି ସିପି।

ରାଜୀବ ଓ ସୋନିଆ। ଏ ଦମ୍ପତ୍ତି ଲୋକଙ୍କ ବିଶ୍ୱାସରେ ବିଷ ଦେଇ ଜାଲି ଦସ୍ତାବିଜ୍, ଭୂତ କମ୍ପାନୀ ନାଁରେ ଲୋକଙ୍କ ନିବେଶକୁ ବହୁଗୁଣା କରି ଫେରସ୍ତ କରିବାର ପ୍ରଲୋଭନରେ ପାଲରେ ପକାଇଥିଲେ। ହେଲେ ଶେଷରେ ଏମାନଙ୍କ ଚାଲାକି ବେଶୀ ଦିନ ଚାଲିଲାନି। ଆଗରୁ ରାଜୀବ ଜେଲର ଚାରିକାନ୍ଥରେ ଥିଲା ବେଳେ ଏବେ ସୋନିଆ ବି ଜେଲ ଗଲେ। ବଡ଼ କଥା ହେଲା, ପୀଡ଼ିତା କେମିତି ତାଙ୍କ କଷ୍ଟଅର୍ଜିତ ଅର୍ଥ ଫେରସ୍ତ ପାଇବେ। ଲୋକଙ୍କ ପାଖରେ ପ୍ରଶାସନର ଉତ୍ତରଦାୟିତ୍ୱକୁ ଗୁରୁତ୍ୱ ଦେଉଥିବା ମୋହନ ମାଝୀଙ୍କ ସରକାର ଏଭଳି ଚିଟ୍‌ଫଣ୍ଡ ଠକଙ୍କ ସାମ୍ରାଜ୍ୟକୁ ଅଙ୍କୁଶ ଲଗାଇବା ସହ କର୍ତ୍ତବ୍ୟରେ ଅବହେଳା କରିଥିବା ଅଫିସରଙ୍କ ବିରୁଦ୍ଧରେ ଦୃଢ଼ ଆକ୍ସନ ନେବେ ବୋଲି ଆଶାବାଦୀ ପୀଡ଼ିତା। ସବୁ ଗଣମାଧ୍ୟମ ଯଦିଓ ସୋନିଆଙ୍କ କାରନାମାକୁ ନେଇ ଖବର କରିଥିଲେ, କିନ୍ତୁ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବା ଯାଏ କ୍ରମାଗତ ଏହି ଲଢ଼େଇ ଜାରି ରଖିଥିଲା ନକ୍ଷତ୍ର ନ୍ୟୁଜ୍.। ବଡ଼ ବିଡ଼ମ୍ୱନାର କଥା ଥିଲା କି, ଏଭଳି କିଙ୍ଗପିନଙ୍କୁ ଗିରଫ ବେଳେ କଭରେଜ କରିବାକୁ ଯାଇଥିବା ନକ୍ଷତ୍ର ପ୍ରତିନିଧିଙ୍କ ଉପରେ ବି ରୋଷ ଝାଡ଼ିବାକୁ ପଛାଇନଥିଲା ପୁଲିସ ଓ ସୋନିଆଙ୍କ ସମର୍ଥକ।

Leave a Reply

Your email address will not be published. Required fields are marked *