ଆଗ୍ରାରେ ଦଳିତ ବରଯାତ୍ରୀରେ ଡିଜେ ବଜାଇବାକୁ ହୋଇଛି ଗୋଷ୍ଠୀସଂଘର୍ଷ। ଲାଠି, ବାଡ଼ିରେ ବରକୁ ତଳେ ପକାଇ ନିର୍ଧୁମ ପିଟିଛନ୍ତି ଗୋଟିଏ ଗୋଷ୍ଠୀ। ଏହା ସହ ବରଯାତ୍ରୀଙ୍କୁ ବି ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି। ଲହୁଲୁହାଣ କରିଦେଇଛନ୍ତି। ଡିଜେ ଜୋର ବଜାଇବାକୁ କେନ୍ଦ୍ର କରି ଏମିତି ତୁମୁଳକାଣ୍ଡ ଘଟିଛି। ଠାକୁର ସମାଜ ଡିଜେର ସାଉଣ୍ଡ୍ କମ୍ କରିବାକୁ କହିଥିଲେ। ଆଉ ଏହାକୁ ନେଇ ବଚସାରୁ ରଣକ୍ଷେତ୍ର ପାଲଟିଥିଲା ଅଞ୍ଚଳ। ମାଡପିଟରେ ଉଭୟ ପକ୍ଷରୁ ଦୁଇ ଜଣ ଲେଖାଏଁ ଆହତ ହୋଇଛନ୍ତି। ମଥୁରାରୁ ଆସିଥିଲା ବରଯାତ୍ରୀ। ମାଡପିଟର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏତ୍ମାଦପୁର ଥାନା ଅନ୍ତର୍ଗତ ଗଢ଼ି ରାମି ଅଞ୍ଚଳର ଘଟଣା। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଜାରି ରଖିଛି। ବରର ମାଆ କହିଛନ୍ତି, ଗେଷ୍ଟ ହାଉସରେ କ୍ଷତ୍ରୀୟ ମାନେ ପଶି ଆକ୍ରମଣ କରିଥିଲେ। ବରକୁ ଘୋଡ଼ାରୁ ଓହ୍ଲାଇ ଘୋଷାରି ନେଇ ମାଡ଼ ମାରିଥିଲେ। ଏତ୍ମାଦପୁରର ଅନୀତାଙ୍କ ଝିଅର ଏପ୍ରିଲ ୧୬ରେ ବିବାହ ସ୍ଥିର ହୋଇଥିଲା। ବରଯାତ୍ରୀ ମଥୁରାର ବୃନ୍ଦାବନରୁ ଆସିଥିଲା। ଛଲେସରର କୃଷ୍ଣା ମ୍ୟାରେଜ୍ ହୋମ୍ କଲ୍ୟାଣମଣ୍ଡପରେ ବିବାହ ଥିଲା। ରାତି ପ୍ରାୟ ସାଢ଼େ ୯ଟାରେ ଡିଜେ ବଜାଇ ବରଯାତ୍ରୀ ଆସୁଥିଲେ। କିନ୍ତୁ ଡିଜେ ସାଉଣ୍ଡ କମାଇବାକୁ କ୍ଷତ୍ରୀୟ ଲୋକେ କହିବାରୁ ଏହାକୁ ମନା କରିଦେଇଥିଲେ ବରଯାତ୍ରୀ। ଯାହାକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now