ସଭାପତି ଚୟନ କସରତ ସରୁନି। କ୍ୟାଡରଭିତ୍ତିକ ଦଳ ବିଜେପିରେ ରାଜ୍ୟ ମଙ୍ଗୁଆଳ ଚୟନରେ କାହିଁକି ବିଳମ୍ୱ ଘଟୁଛି। ତେବେ ବିଳମ୍ୱେ କାର୍ଯ୍ୟସିଦ୍ଧି ବୋଲି କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ତରବରିଆ ନିଷ୍ପତ୍ତି ନେବା ଠିକ୍ ନୁହେଁ। ଦଳରେ କେହି ପଦପଦବୀ ପଛରେ ନାହାନ୍ତି। ସମସ୍ତେ ଏଠି କାର୍ଯ୍ୟକର୍ତ୍ତା। ବିଜେପିରେ ବୁଥ୍ କମିଟିରୁ ରାଷ୍ଟ୍ରୀୟ କମିଟି ଯାଏ ସବୁ ନିର୍ବାଚନ ଗଣତାନ୍ତ୍ରିକ ବ୍ୟବସ୍ଥାରେ ହୋଇଥାଏ। କେନ୍ଦ୍ରୀୟ ନେତୃତ୍ୱ ଚାହିଁଲେ, ଗୋଟିଏ ଦିନରେ ସଭାପତି ଚୟନ ହେବ। ଅତିବେଶୀରେ ୧୦ରୁ ୧୫ ଦିନ ଭିତରେ ଏ ଅପେକ୍ଷାର ଅନ୍ତ ହେବ ବୋଲି କହିଛନ୍ତି ବିଜେପି ନିର୍ବାଚନ ସହ ଅଧିକାରୀ ତଥା ସାଂସଦ ସୁକାନ୍ତ ପାଣିଗ୍ରାହୀ। ଏପ୍ରିଲ ୨୦ ପରେ ନୂଆ ସଭାପତି ଚୟନ ଲାଗି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇପାରେ। ସେପଟେ ବିଜେଡିରେ ଓ୍ୱାନ୍ମ୍ୟାନ ସୋ ଫର୍ମାଟ ବଜାୟ ରହିଛି। ନବମ ଥର ପାଇଁ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ନବୀନ। ବିଜୁଙ୍କ ୨୮ତମ ଶ୍ରାଦ୍ଧଦିବସରେ ଶଙ୍ଖ ଭବନରେ ନାମାଙ୍କନ ଭରିଛନ୍ତି ନବୀନ।୨ ସେଟ୍ ନାମାଙ୍କନ ପତ୍ର ଦାଖଲରେ ୨୦ ଜଣ ପ୍ରସ୍ତାବକ ରହିଛନ୍ତି। ସବୁଥର ଭଳି ଏଥର ବି ନିର୍ଦ୍ୱନ୍ଦରେ ନବୀନ ପଟ୍ଟନାୟକ ସଭାପତି ହେବେ। ୧୯ ତାରିଖରେ କେବଳ ଔପଚାରିକ ଘୋଷଣାକୁ ବାକି। ୧୯ରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସି ନବୀନଙ୍କ ନାଁ ଘୋଷଣା ହେବ ବୋଲି କହିଛନ୍ତି ବିଜେଡି ସାଂଗଠନିକ ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ଦିନକ ତଳେ ବିଜେଡି ୧୮ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଥିଲା ବେଳେ ବାକି ୧୫ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇପାରିନି। ଖୁବ ଶୀଘ୍ର ୨୫ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହେବ ବୋଲି କହିଛନ୍ତି ଦେବୀ ମିଶ୍ର।୧୫ଟି ରାଜ୍ୟରେ ବିଜେପି ନିଜର ସଭାପତି ଚୂଡ଼ାନ୍ତ କରିସାରିଛି। ଆଉ ଦୁଇ ସପ୍ତାହ ଭିତରେ ଅଧିକ ୫ଟି ରାଜ୍ୟରେ ମଙ୍ଗୁଆଳ ଚୟନ ପ୍ରକ୍ରିୟା ସରିବ। ଏସବୁ ରାଜ୍ୟ ହେଲା- ୟୁପି, ଆନ୍ଧ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଓଡ଼ିଶା। ବିଜେପିର ସମ୍ୱିଧାନ ଅନୁସାରେ ବିଜେପି ରାଷ୍ଟ୍ରୀୟ ସଭାପତି ନିର୍ବାଚନ ପୂର୍ବରୁ ଅତି କମରେ ୧୯ଟି ରାଜ୍ୟରେ ସଭାପତି ଚୟନ କାମ ସରିବା ଜରୁରୀ। ଏବେ ସଭାପତି ଦାୟିତ୍ୱରେ ଅଛନ୍ତି ଜେପି ନଡ୍ଡା। ସେପଟେ ବିଜେଡିରେ ନବୀନଙ୍କ ଛଡ଼ା ଆଉ କେହି ଏହି ରେସରେ ନଥିଲେ କି ଏବେ ବି ନାହାନ୍ତି। ସେଥିଲାଗି ନବୀନ ଆଉ ଥରେ ସଭାପତି ହେବା ଥୟ।


Naxatra News is now on Whatsapp
Join and get latest news update delivered to you via whatsapp
Join Now