ମୋରଡ଼ାରେ ଶିଶୁ ବିକ୍ରି ମାମଲା:ମାନବିକତାକୁ ଶିଶୁ ବିକ୍ରି ନାଁ ଦେଇ କରାଯାଉଛି ଷଡ଼ଯନ୍ତ୍ର-କୃଷ୍ଣ ମହାପାତ୍ର

ବଞ୍ଚିବା ଲାଗି ସଂଘର୍ଷ କରୁଥିବା ଜଣେ ଅସହାୟ ବୃଦ୍ଧା ଭୋକ ସହିନପାରି ନାତିକୁ ପରହାତରେ ଟେକିଦେଲା। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅନ୍ତର୍ଗତ ବଳଦିଆ ଗାଁରେ ମନ୍ଦ ହେମ୍ବ୍ରମଙ୍କ ଏଭଳି ଅସହାୟତାକୁ ନେଇ ଓଡ଼ିଶାରେ ହଇଚଇ ଖେଳିଛି। ଖୋଦ୍ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ବାଚନମଣ୍ଡଳୀରେ ପିଲା ବିକ୍ରି ହେଉଛି କହି ସଙ୍ଗୀନ ଆରୋପ ଲଦିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ମୁଣ୍ଡ ଗୁଞ୍ଜିବାକୁ ଜାଗା ନଥିବାରୁ ପରପିଣ୍ଡାରେ ଶୋଇ ଦିନ କାଟୁଥିବା ମନ୍ଦ ୫ ବର୍ଷର ନାତିକୁ ଧରି ଭିକ ମାଗି ବସଷ୍ଟାଣ୍ଡରେ ରହୁଥିଲେ। ଶେଷରେ ମାତ୍ର ୨ଶହ ଟଙ୍କାରେ କୁଆଡ଼େ ପରକୁ ଟେକି ଦେଲେ ବୋଲି  ଅଭିଯୋଗ ହୋଇଛି।

ସେପଟେ ନଗର ଉନ୍ନୟନ ମନ୍ତ୍ରୀ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସମ୍ୱେଦନଶୀଳତା ଦେଖାଇଲେ ବି ତାକୁ ପିଲା ବିକ୍ରିର ନାଁ ଦେଇ ହୀନଚକ୍ରାନ୍ତ କେତେଦୂର ଯୁକ୍ତିଯୁକ୍ତ ବୋଲି ପାଲଟା ପଚାରିଛନ୍ତି ମନ୍ତ୍ରୀ। ଯାହାକୁ ପିଲାଟିର ଲାଳନପାଳନ ଲାଗି ଟେକି ଦେଇଛନ୍ତି, ସେ ମାନବିକତା ଓ ମଣିଷପଣିଆ ଦେଖାଇଛନ୍ତି। କିନ୍ତୁ ଏହାକୁ କଦର୍ଥ କରି ପ୍ରଶାସନ ଓ ସରକାରକୁ ବଦନାମ କରାଯାଉଛି। ପିଲା ବିକ୍ରିର ମିଛ ଖବର ପ୍ରଚାରିତ ପରେଅସଲ କଥା କଅଣ, ତାକୁ ଗଣମାଧ୍ୟମରେ ଦେଖାଇଛନ୍ତି ମନ୍ତ୍ରୀ। ବୃଦ୍ଧା ଜଣକ ବିକ୍ରି କରିନଥିବା କଥା କହିଛନ୍ତି। ପ୍ରଶାସନ ବି ବୃଦ୍ଧା ଓ ତାଙ୍କ ନାତିକୁ ଥଇଥାନ ଲାଗି ସମସ୍ତ ବ୍ୟବସ୍ଥା କରିଛି।

ଭୋକ ଦାଉରେ ଛଟପଟ ବୃଦ୍ଧା ନିଜ ନାତିକୁ ୨ଶହ ଟଙ୍କାରେ ବିକିଦେବା ଖବର ପ୍ରଚାରିତ ପରେ ସବୁଠି ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ଏହାକୁ ଭିନ୍ନ ଢଙ୍ଗରେ ପ୍ରକାଶିତ କରି ସରକାରଙ୍କୁ ତୁଛା ବଦନାମ କରିବାର ଷଡ଼ଯନ୍ତ୍ର ବୋଲି କହିଛନ୍ତି ମନ୍ତ୍ରୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *