ସାବଧାନ! ମାତିଛନ୍ତି ଜମି ମାଫିଆ

Spread the love

() ଜମି, ଲକଜରି ଭିଲ୍ଲା। ବ୍ରାଇଟ୍ ହୋମ୍ସ ଡେକର ନାଁରେ କମ୍ପାନୀ ଖୋଲି ଗ୍ରାହକଙ୍କୁ ସହରର ସବୁଠୁ ହଟକେକ୍ ଏରିଆରେ ଏ ସବୁ ଦେବାକୁ ଆକୃଷ୍ଟ କରିଥିଲେ ସୋନିଆ ତ୍ରିପାଠୀ। ଆଉ ଟଙ୍କା ଆଗୁଆ ନେଇ ଜମି ପଞ୍ଜୀକରଣ କରିନପାରି ଲୁଚିଲେ ଲୋକଙ୍କଠୁ। ଟଙ୍କା ଫେରସ୍ତ କରିଦେବେ କହି ବିଶ୍ୱାସ ଜନ୍ମଇବାକୁ ଚେକ୍ ଦେଲେ। ହେଲେ ଚେକ୍ ବାଉନ୍ସ। କିନ୍ତୁ ଲୋକଙ୍କ ଟଙ୍କାରେ ମଉଜ ମଜଲିସରେ ମାତିଥିଲେ ସୋନିଆ। ସୋନିଆ କିଏ। କାହିଁକି ଭୁବନେଶ୍ୱରରେ ଜମି ଦେବା ନାଁରେ ଠକୁଥିଲେ। ଦେଖନ୍ତୁ ଏହି ରିପୋର୍ଟରେ।

ଭୁବନେଶ୍ୱରରେ ଜମି କିଣୁଛନ୍ତି କି। ସାବଧାନ୍। ପ୍ରତି ପାଦରେ ଛକି ରହିଛନ୍ତି ଦଲାଲ୍। ଠକଙ୍କ ଆଖି ଚାରିପଟେ ଘୁରିବୁଲୁଛି। କିଛି ଦିନ ତଳେ ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲୁ ଏହି ଅଭିଯୁକ୍ତର ଫଟୋ ଜାରି କରି ଏହା ପ୍ରତି ସାବଧାନ୍ ରହିବାକୁ ଲୋକଙ୍କୁ ସତର୍କ କରାଇଦେଇଥିଲା। ଅଭିଯୁକ୍ତର ନାଁ ଅନ୍ତର୍ଯ୍ୟାମୀ ସେନାପତି ଓ ସହଯୋଗୀ ଅନନ୍ତ ଚରଣ ପ୍ରଧାନ। ଜମିକୁ ବେଆଇନ ଭାବେ କିଣାବିକା ହେଉଛି। ମିଛ କ୍ରେତା, ମିଛ ସାକ୍ଷୀକୁ ନେଇ କାରସାଦିର କିଙ୍ଗପିନ୍ ଥିଲେ ମୋହରିର ଅନ୍ତର୍ଯ୍ୟାମୀ। ଭୁବନେଶ୍ୱରରେ ରହୁନଥିବା ଲୋକଙ୍କ ଅଜ୍ଞାତରେ ସେମାନଙ୍କ ଜମି ନିଜର କହି ମିଛ ପରିଚୟ ଦେଇ ମାଲିକାନା ସତ୍ତ୍ୱ ପରିବର୍ତ୍ତନ କରିବାରେ ମାହିର ଥିଲେ।  ଟଙ୍କା ନେଣଦେଣ ବି ନଗଦରେ ହେଉନଥିଲା। ଯାହା ହେଉଥିଲା କ୍ୟାସରେ। ସେଥିଲାଗି ଅନ୍ୟମାନଙ୍କର ଆକାଉଣ୍ଟକୁ ବ୍ୟବହାର କରି ନେଣଦେଣ ହେଉଥିଲା। ଆଉ ଏହି ରାକେଟକୁ ଧରିବାରେ ସଫଳ ହୋଇଥିଲା ଇଓଡବ୍ଲୁ।

ଏଠି ସେନାପତିଙ୍କ କଥା ପଡ଼ିଛି। ତା ହେଲେ ସୋନିଆ ପୁଣି କିଏ। ସେନାପତି ଯେଉଁ କାରସାଦି କରିଛନ୍ତି। ତାଙ୍କଠୁ ସୋନିଆ ବଳିଗଲେ କି। ଏ ପ୍ରଶ୍ନର ଉତ୍ତର ଏ ଡକ୍ୟୁମେଣ୍ଟ କହୁଛି। ଏବେ ଆସନ୍ତୁ ମୂଳ ପ୍ରସଙ୍ଗକୁ ଯିବା। ସବରେଜିଷ୍ଟାର ଅଫିସର ମୋହରିର ଥାଇ ଦଲାଲି, ଚଞ୍ଚକତା ଜରିଆରେ ଯେଉଁ କାରସାଦି କରି ଜେଲରେ ଏବେ ସେନାପତି। ହେଲେ ଚାକଚକ୍ୟ ଜୀବନ ବିତାଉଥିବା ତଥା ଗ୍ଲାମରସ ଜୀବନ ସହ ବେଶ୍ ଅଭିଜ୍ଞ ଥିବା ସୋନିଆ ତ୍ରିପାଠୀ ଲୋକଙ୍କୁ ଚୂନ ଲଗାଇବାରେ ଆଉ ପାଦେ ଆଗରେ। କଟକ ରୋଡରେ ବ୍ରାଇଟ ହୋମ୍ସ ଡେକର ସଂସ୍ଥା ଖୋଲିଥିଲେ ସୋନିଆ। ଭୁବନେଶ୍ୱରର ହଟ୍ କେକ୍ ଏରିଆରେ ଲ୍ୟାଣ୍ଡ, ଲକଜରି ଭିଲ୍ଲା ଦେବାକୁ ଯାଇ ପ୍ରଜ୍ଞା ପ୍ରକାଶ ନାୟକଙ୍କଠୁ ୪ଟି କିସ୍ତିରେ ନେଇଗଲେ ୫କୋଟି ୩୨ ଲକ୍ଷ। ପୋଖରୀପୁଟ ପାଖରେ ଲ୍ୟାଣ୍ଡ, ଲକଜରି ଭିଲ୍ଲା ଦେବା ନାଁରେ ଟଙ୍କା ନେଇଥିଲେ।

କିନ୍ତୁ ଯେତେବେଳେ ଭୁବନେଶ୍ୱର ସବ-ରେଜିଷ୍ଟ୍ରାର ଅଫିସରେ ପଞ୍ଜୀକରଣ ସମୟ ଆସିଲା, ସେତେବେଳେ ଯେଉଁ ଜାଗା ଦେଖାଇଥିଲେ, ତାହା କୁଆଡ଼େ ଅନ୍ୟଜଣଙ୍କ ମାଲିକାନାରେ ଥିବା ଜଣାପଡ଼ିବା ପରେ ରେଜିଷ୍ଟ୍ରେସନ କରିନଥିଲେ ସବରେଜିଷ୍ଟ୍ରାର। ଜମି ନିଜ ନାଁରେ ରେଜିଷ୍ଟ୍ରେସନ ହୋଇନପାରିବାରୁ ଟଙ୍କା ଫେରସ୍ତ ଚାହିଁଲେ ପ୍ରକାଶ। ଆଉ ସୋନାଲୀ ବି ୮୦ ଲକ୍ଷ ଟଙ୍କା ଫେରସ୍ତ କଲେ। ବାକି ୪ କୋଟି୫୨ଲକ୍ଷ ୪୦ହଜାର ଟଙ୍କା ଫେରାଇଦେବେ ବୋଲି ଲିଖିତ ଆକାରରେ ଦେଲେ। ଚେକ୍ ଦେଲେ ଜୁନ୍‌ରେ। କିନ୍ତୁ ଏହାକୁ ଡିସେମ୍ୱରରେ ଲଗାଇବାକୁ କହିଥିଲେ। ଆଉ ଚେକ୍ ଲଗାଇବା ପରେ ଏହା ବାଉନ୍ସ ହୋଇଗଲା। ପ୍ରକାଶ ବଡ଼ ଠକେଇର ଶୀକାର ହୋଇଥିବା ଜାଣିବା ପରେ ଏୟାରଫିଲ୍ଡ ଥାନାରେ ଅଭିଯୋଗ କଲେ। ଥାନା ବି ମାମଲା ରୁଜୁ କରି ତଦନ୍ତ କଲା। ଏହାରି ଭିତରେ ସୋନିଆ ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ଅଦାଲତ ଏହାକୁ ଖାରଜ କରିଦେଇ ଆତ୍ମସମର୍ପଣ କରିବାକୁ ନିର୍ଦେଶ ଦେଇଥିଲେ ସୋନିଆଙ୍କୁ। ଜେଡ୍ ଓ୍ୱାନ ଇଷ୍ଟେଟରେ ରହୁଥିବା ଅଭିଯୁକ୍ତ ସୋନିଆ ଓ ତାଙ୍କ ସ୍ୱାମୀ ରାଜୀବ ଦାସଙ୍କ ଘରେ ବି ରେଡ୍ କରିଥିଲା ପୁଲିସ। କିନ୍ତୁ ଫେରାର୍ ହୋଇଯାଇଥିଲେ ଅଭିଯୁକ୍ତ। ବ୍ରାଇଟ ହୋମ୍ ଡେକର ଏବେ କ୍ଲୋଜ୍ ଡାଉନ ବୋଲି ଓ୍ୱେବସାଇଟରେ ଦର୍ଶାଉଛି। କିନ୍ତୁ ସୋସିଆଲ ମିଡ଼ିଆରେ ରାଜୀବ ବେଶ୍ ସକ୍ରିୟ।

ଜମି ଫ୍ରଡ୍‌ଷ୍ଟାର ମାୟାଜାଲରେ ପଡି ସବୁ କିଛି ହରାଇଦେଇଥିବା ଲୋକଙ୍କୁ ନ୍ୟାୟ ଦେବାକୁ ଇଓଡବ୍ଲୁ ଯେଭଳି ତତ୍ପରତା ଦେଖାଇଲା, ତାହା ସାଧୁବାଦର କଥା। ହେଲେ ଏଠି ବି କୋଟି କୋଟି ଟଙ୍କାର ଠକେଇ କରିଛନ୍ତି ସୋନାଲୀ ଓ ତାଙ୍କ ସ୍ୱାମୀ ରାଜୀବ ବୋଲି ଅଭିଯୋଗ ହୋଇଛି। ସରେଣ୍ଡର ନଚେତ ଆରେଷ୍ଟ କରିବାକୁ କୋର୍ଟ ନିର୍ଦେଶ ବି ଦେଇସାରିଥିଲେ। ହେଲେ ପୁଲିସର ହାତ ଯାଉନି କାହିଁକି। କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଫ୍ରଡ୍ ହୋଇଥିଲେ, ଇଓଡବ୍ଲୁ ଆପଣା ଛାଏଁ ମାମଲା ନେବାରେ ଅସୁବିଧା ନାହିଁ। ଏଠି ତ ପୁଣି ସବୁ ନେଣଦେଣ ଅନଲାଇନରେ। ନଗଦରେ ହୋଇନି ଯେ, ଏହାକୁ ପ୍ରମାଣିତ କରିବାକୁ ନାକେଦମ୍ ହେବାକୁ ପଡ଼ିବ। ସାଧାରଣରେ ବିଶ୍ୱାସ ଆସିବ କେମିତି। ଯଦି ବଡ଼ବଡ଼ିଆଙ୍କୁ ହାତ ମାରିବନି ଇଓଡବ୍ଲୁ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *