ଜଙ୍ଗଲରେ ଥିଲା କାର୍। ଆଉ କାରରୁ ୫୨ କିଲୋ ସୁନା। ୯ କୋଟି ୮୬ ଲକ୍ଷ ଟଙ୍କା ନଗଦ ମିଳିଛି । ମଧ୍ୟପ୍ରଦେଶ ଭୋପାଳର ମେଣ୍ଡୋରୀ ଜଙ୍ଗଲରୁ ଜବତ କାରରୁ ଆୟକର ବିଭାଗ ଏହାକୁ ଜବତ କରିଛି। ଦୁଇ ଦିନ ହେଲା ଆୟକର ବିଭାଗ ଓ ଲୋକାୟୁକ୍ତଙ୍କ ମିଳିତ ରେଡ୍ ବେଳେ ଏତେ ସୁନା ଓ ଟଙ୍କା ସିଜ୍ ହୋଇଛି। ଏତେ ସଂଖ୍ୟକ ନଗଦ ଓ ସୁନା ଦେଖି ଅଫିସରଙ୍କ ଆଖି ଜଳକା ହୋଇଯାଇଛି। ଯେଉଁ ଇନୋଭା କାରରୁ ଏତେ ବିପୁଳ ଟଙ୍କା ଓ ସୁନା ଜବତ ହୋଇଛି, ତାହାର ମାଲିକ କିଏ। ଚେତନ ଗୌର ନାମକ ବ୍ୟକ୍ତିଙ୍କ ନାଁରେ କାର୍ ରେଜିଷ୍ଟ୍ରେସନ ହୋଇଛି। କିନ୍ତୁ ଚେତନ ଏ ବାବଦରେ କିଛି ଜାଣନ୍ତିନି ବୋଲି ସଫେଇ ଦେଇଛନ୍ତି। ସେ ଆରଟିଓର ପୂର୍ବତନ ଚେୟାରମ୍ୟାନ ସୌରଭ ଶର୍ମାଙ୍କ ବନ୍ଧୁ ଅଟନ୍ତି। ଟିମ୍ ଏହି ଆଧାରକୁ ଧରି ଆଗକୁ ଛାନଭିନ୍ ଆରମ୍ଭ କରିସାରିଛି। ଭୋପାଳ ଓ ଇନ୍ଦୋରରେ ଏକ ପ୍ରମୁଖ କନଷ୍ଟ୍ରକ୍ସନ କମ୍ପାନୀର ୫୧ ଠିକଣାରେ ଏହି ରେଡ୍ ହୋଇଥିଲା। ସଂପୃକ୍ତ ତ୍ରିଶୂଳ କନଷ୍ଟ୍ରକ୍ସନ କମ୍ପାନୀ ଉପରେ ଟିକସ ଚୋରି ଓ ବେଆଇନ ଗତିବିଧିରେ ଲିପ୍ତ ନେଇ ଅଭିଯୋଗ ଥିଲା। ଏହି ରେଡ୍ ପରେ ରାଜ୍ୟରେ କମ୍ପନ ସୃଷ୍ଟି ହୋଇଛି। ଏତେ ମାତ୍ରାରେ ସୁନା ଓ ଟଙ୍କା କେଉଁଠୁ ଆସିଲା। ଏହାର ବ୍ୟବହାର କେଉଁ ଉଦ୍ଦେଶ୍ୟରେ ହୋଇଥିଲା ଜାଣିବାକୁ ତନାଘନା ଜାରି ରଖିଛି ଆୟକର ବିଭାଗ। ତ୍ରିଶୂଳ କନଷ୍ଟ୍ରକ୍ସନ କମ୍ପାନୀର ମାଲିକ ରାଜେଶ ଶର୍ମାଙ୍କ ଘର ଓ ଅଫିସ ସମେତ ତାଙ୍କ ସମ୍ପର୍କରେ ଥିବା ଲୋକଙ୍କ ଘରେ ବି ରେଡ୍ ହୋଇଛି। କନଷ୍ଟ୍ରକ୍ସନ କମ୍ପାନୀର ୧୦ଟି ଲକର ବି ଠାବ କରିଛି ଆଇଟି ଟିମ୍। ଜବତ ସୁନାର ଦାମ ୪୦କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଆକଳନ କରାଯାଇଛି। ଏହା ବ୍ୟତୀତ ଭୋପାଳରେ ପୂର୍ବତନ ଆରଟିଓ କନଷ୍ଟେବଳଙ୍କ ଘର ଓ ଦପ୍ତରରେ ଲୋକାୟୁକ୍ତ ଟିମ୍ ରେଡ୍ କରିଥିଲେ। ୨ କୋଟି୮୫ଲକ୍ଷ ନଗଦ, ୬୦ କିଲୋ ରୂପା ସହ ୫୦ଲକ୍ଷ ଟଙ୍କାର ସୁନା-ହୀରା ଅଳଙ୍କାର ଜବତ ହୋଇଛି। ତେବେ କନଷ୍ଟ୍ରକ୍ସନ କମ୍ପାନୀ ସହ ପୂର୍ବତନ ଆରଟିଓ କନଷ୍ଟେବଳଙ୍କ କୌଣସି ଲିଂକ୍ ନାହିଁ ତ। ତଦନ୍ତ ପରେ ସବୁ ସ୍ପଷ୍ଟ ହେବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now