ଧର୍ମଶାଳା ବିଧାୟକ ହିଂମାଶୁ ଶେଖର ସାହୁଙ୍କୁ ସଂଘବଦ୍ଧ ଆକ୍ରମଣ

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ସଂଘବଦ୍ଧ ଆକ୍ରମଣ। ଯାଜପୁର-କୁଆଖିଆ ରାସ୍ତାର ବୁଢାଘାଟରେ ବିଧାୟକଙ୍କୁ ଗାଡ଼ିକୁ ଅତର୍କିତ ଟେକାପଥର ମାଡ଼ ସହ ଗାଡ଼ି ଭିତରେ ବସିଥିବା ବେଳେ ମାଡ଼ ମାରିଥିଲେ କିଛି ଯୁବକ। ଏହା ପଛରେ ବବି ଦାସଙ୍କ ହାତ ଥିବା ଆରୋପ ଲଦିଛନ୍ତି ବିଧାୟକ। ବିଜେଡି-ବିଜେପି କର୍ମୀଙ୍କ ଭିତରେ ମୁହାଁମୁହିଁ ସ୍ଥିତିରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଭିଯୁକ୍ତଙ୍କୁ ଗିରଫଦାରି ଜାରି ଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିଲାଣି କହି ଆରୋପ ପ୍ରତ୍ୟାରୋପ ରାଜନୀତି ତେଜିଛି।

ଧର୍ମଶାଳା ବିଧାୟକ ହିଂମାଶୁ ଶେଖର ସାହୁଙ୍କୁ ସଂଘବଦ୍ଧ ଆକ୍ରମଣ। ଯାଜପୁର ବିରଜା ହାଟ ଖୋଲିବା ପ୍ରତିବାଦରେ ବୁଢାଘାଟରେ ଶତାଧିକ ବିଜେଡି କର୍ମୀ ଟାୟାର ଜାଳି ରାସ୍ତା ଅବରୋଧ ବେଳେ ସେ ବାଟ ଦେଇ ଯାଉଥିବା ବିଧାୟକଙ୍କୁ ଅଚାନକ ଆକ୍ରମଣ କରିଥିଲେ କିଛି ଯୁବକ। ବିଧାୟକଙ୍କୁ ଗାଳିଗୁଲଜ, ଗାଡ଼ି ଉପରକୁ ଟେକାପଥର ମାଡ଼ କରିବା ସହ ଗାଡ଼ିରେ ବସିଥିବା ବିଧାୟକଙ୍କୁ ଟଣାଓଟରା କରି ମାଡ଼ ମାରିଥିଲେ। ଆକ୍ରମଣକାରୀଙ୍କ କବଳରୁ ମୁକୁଳିବା ପରେ ଏହା ପଛରେ ବବିଙ୍କ ହାତ ଥିବା ଆରୋପ ଲଦିଛନ୍ତି ବିଧାୟକ। ବିଜେଡି ଗୁଣ୍ଡାରାଜରେ ସମସ୍ତେ ଭୟଭୀତ। ବିଧାୟକଙ୍କୁ ଆକ୍ରମଣ ପରେ ତାଙ୍କ ଶତାଧିକ ସମର୍ଥକ ରୁଣ୍ଡ ହେବାରୁ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ଭିତରେ ଆକ୍ରମଣରୁ ଅନେକ ଆହତ ବି ହୋଇଥିଲେ। ସ୍ଥିତିକୁ ସମ୍ଭାଳିବାକୁ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। ବବି ବି ଏ ନେଇ ମୁହଁ ଖୋଲିଛନ୍ତି। ବିଜେଡି ହିଂସାରେ ବିଶ୍ୱାସ କରେନା। କୌଣସି ହିଂସାକୁ ପ୍ରଶ୍ରୟ ଦିଆଯିବନି। ଏଭଳି ଘଟଣା ଘଟାଇଥିବା ଲୋକଙ୍କ ବିରୋଧରେ ପୁଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି କହିଥିଲେ ବବି।

ବିଧାୟକଙ୍କ ଉପରେ ଆକ୍ରମଣ ଅଭିଯୋଗରେ ପୁଲିସ ବି ୧୦ଜଣଙ୍କୁ ଅଟକ ରଖି ପଚରାଉଚୁରା ପରେ ଗିରଫ କରିଛି। ଆଇନଶୃଙ୍ଖଳା ଅତିରିକ୍ତ ଡିଜି ସଞ୍ଜୟ କୁମାର ଯାଜପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ୩ଟି ଟିମ୍ ହୋଇଥିଲା। ବିଧାୟକଙ୍କ ଉପରେ ଆକ୍ରମଣକୁ ନେଇ ରାଜସ୍ୱ ମନ୍ତ୍ରୀ କହିଛନ୍ତି, ରାଜନୀତିରେ ହିଂସା ଗଣତନ୍ତ୍ରରେ ଶୁଭଙ୍କର ନୁହେଁ। ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଏହାକୁ ବରଦାସ୍ତ କରାଯିବନି। ସୁକିନ୍ଦା ବିଧାୟକ ତଥା ସମବାୟ ମନ୍ତ୍ରୀ କହିଛନ୍ତି, ଏହି ଘଟଣା ରାଜନୈତିକ ପ୍ରଣୋଦିତ ନୁହେଁ କି ପ୍ରାୟୋଜିତ ଭଳି ଲାଗୁନି। ରାସ୍ତାରୋକ ଭିତରେ କିଛି ଆକ୍ରମଣକାରୀ ବବିଙ୍କ ନାଁ ନେଇ ଏଭଳି ଭିଆଇଥିବେ।

ତେବେ ବିରଜା ହାଟକୁ କେନ୍ଦ୍ର କରି ତୁମୁଳକାଣ୍ଡ ଘଟିଥିବାରୁ ଆଉ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବାରୁ ବାଧ୍ୟ ହୋଇ ପ୍ରଶାସନ ହାଟକୁ ସାମୟିକ ବନ୍ଦ କରିଦେଇଛି। ଗୋଟିଏ ଗୋଷ୍ଠୀ ବିରଜା ହାଟକୁ ନୂଆ ସ୍ଥାନକୁ ନେବାକୁ ଜିଦ୍ ଧରିଥିଲା ବେଳେ ଆଉ ଏକ ଗୋଷ୍ଠୀ ପୁରୁଣା ଜାଗାରେ ରହୁ ବୋଲି ଅଡ଼ି ବସିଥିଲେ। ମା ବିରଜାଙ୍କ ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ବିରଜା ହାଟକୁ ପୁନଃପ୍ରତିଷ୍ଠା ଗୋଟିଏ ଗୋଷ୍ଠୀ ଚାହୁଁଥିଲେ ତ ହାଟ ଖୋଲାଇ ନଦେବାକୁ ପ୍ରତିପକ୍ଷ ଅଡ଼ି ବସିଥିଲେ। ହାଟ ଖୋଲିବା ବିରୋଧରେ ଯାଜପୁର- ସିଂହପୁର ରାସ୍ତାକୁ କିଛି ସମୟ ଅବରୋଧ କରିଥିଲେ ବିଜେଡି କର୍ମୀ। ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ସ୍ଥାନୀୟ ଅଞ୍ଚଳରେ ଧାରା ୧୬୩ ଲଗାଇବାକୁ ଦାବି ହୋଇଛି।

ହାଟକୁ ନେଇ ବିଜେଡିର ରାସ୍ତାରୋକରୁ ଆନ୍ଦୋଳନ ଅବସରରେ ବିଧାୟକ ଆକ୍ରମଣର ଶୀକାର ହେବା ପରଠୁ ଯେତିକି ରାଜନୀତିର ନିଆଁ ଧରିଛି। ତାକୁ ତାଳ ଦେଇ ବିରଜା ହାଟକୁ ସାମୟିକ ବନ୍ଦ କରି ପ୍ରଶାସନ ଆନ୍ଦୋଳନର ନିଆଁକୁ ସାମୟିକ ଲିଭାଇଛି। କିଛି ଦିନ ତଳେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଦଶହରାରେ ଗାଁକୁ ବୁଲିବାକୁ ଯାଇଥିଲା ବେଳେ ଗାଡ଼ି ଅଟକାଇ ଅଣ୍ଡା ମାଡ ହୋଇଥିଲା। ଏହା ପଛରେ ହିଂମାଶୁଙ୍କ ହାତ ଥିବା ଆରୋପ ଲଦିଥିଲେ ପ୍ରଣବ। କିନ୍ତୁ ବିଜେଡିର ଅସନ୍ତୁଷ୍ଟିଆଙ୍କ ଏହା କାମ କହିଥିଲେ ବିଧାୟକ ହିଂମାଶୁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *