ଗୋପାଳପୁର ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ହୋଇଥିବା ଗଣଦୁଷ୍କର୍ମ ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ଆଜି ତୃତୀୟ ଦିନରେ ପହଞ୍ଚିଛି । ଆଜି ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳପୁର ଥାନାରେ ପହଞ୍ଚି କିଛି କାଗଜପତ୍ର ନେଇ ଥାନାରେ ବାହାରି ଅନ୍ୟତ୍ର ଯାଇଥିଲେ । କିଛି ସାକ୍ଷୀଙ୍କୁ ଘଟଣାକୁ ନେଇ ପଚରାଉଚୁରା କରିବା ନିମନ୍ତେ ଯାଇଥିବା ସୂଚନା ମିଳିଛି । ସେପଟେ ଗତ ରବିବାର ଗଣଦୁଷ୍କର୍ମ ହୋଇଥିବା ବେଳେ ସେହିଦିନ ରାତିରେ ହିଁ ଗୋପାଳପୁର ଥାନାରେ ଅଭିଯୋଗ ପରେ ପୀଡ଼ିତାଙ୍କ ବ୍ରହ୍ମପୁର ଏମକେସିଜି ମେଡ଼ିକାଲର ଫରେନ୍ସିକ୍ ମେଡ଼ିସିନ୍ ଟେକ୍ସିକୋଲୋଜି ତଥା ଏଫଏମଟି ବିଭାଗରେ ଡ଼ାକ୍ତରୀ ମାଇନା ସହ ନମୁନା ସଂଗ୍ରହ ହୋଇଥିଲା । ଏହାପରେ ଗତ ମଙ୍ଗଳବାର ଦିନ ସମସ୍ତ ଅଭିଯୁକ୍ତ ମାନଙ୍କର ନମୁନା ସଂଗ୍ରହ ସହ ଡ଼ାକ୍ତରୀ ମାଇନା ହୋଇଥିଲା । ପୀଡ଼ିତାଙ୍କ ନଖ ଠାରୁ ଆରମ୍ଭ କରି ରକ୍ତ ନମୁନା ସହ ପ୍ରାଇଭେଟ୍ ପାର୍ଟରୁ ମଧ୍ୟ କିଛି ନମୁନା ସଂଗ୍ରହ କରାଯାଇ ଭୁବନେଶ୍ବରର ଏସଏଫଏସଏଲକୁ ପଠାଯାଇଛି । ବିଭିନ୍ନ ନମୁନା ସଂଗ୍ରହ ହୋଇଛି କିନ୍ତୁ ଭୁବନେଶ୍ବରର ଏସଏଫଏସଏଲରେ ହିଁ ଡ଼ିଏନଏ ଟେଷ୍ଟ ହେଉଛି ବୋଲି କହିଛନ୍ତି ଫରେନ୍ସିକ ବିଭାଗର ବରିଷ୍ଠ ଡ଼ାକ୍ତର । ତେବେ ନମୁନା ସଂଗ୍ରହ କରାଯିବା ସମୟରେ କଣ୍ଡମ୍ ବ୍ୟବହାର କରାଯାଇ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଜଣାପଡ଼ିଛି । ଠିକ୍ ସମୟରେ ପୀଡ଼ିତାଙ୍କ ସମସ୍ତ ପ୍ରକାରର ନମୁନା ସଂଗ୍ରହ କରାଯାଇ ପଠାଯାଇଛି । ସେହିପରି ସମସ୍ତ ଅଭିଯୁକ୍ତ ମାନଙ୍କର ମଧ୍ୟ ନମୁନା ସଂଗ୍ରହ କରାଯାଇଥିବା ବେଳେ ପୀଡ଼ିତା ତିନି ଜଣ ହିଁ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଛି । ତେବେ ଅଭିଯୁକ୍ତ ମାନଙ୍କ ମଧ୍ୟରେ ୬ ସାବାଳକ ଓ ୩ ନାବାଳକ ରହିଥିବା ବେଳେ କେଉଁମାନେ ଗଣଦୁଷ୍କର୍ମ କରିଛନ୍ତି ତାହା ମଧ୍ୟ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ । କିଛି ଦିନ ମଧ୍ୟରେ ରିପୋର୍ଟ ଆସିବାକୁ ଥିବା ବେଳେ ସମ୍ପୃକ୍ତ ରିପୋର୍ଟ ମାମଲାର ତଦନ୍ତକାରୀ ଅଧିକାରୀଙ୍କ ନେତୃତ୍ବରେ କୋର୍ଟରେ ଦାଖଲ ହେବ ବୋଲି ସୂଚନା ଦେଇଛନ୍ତି ଏମକେସିଜି ମେଡ଼ିକାଲ ଏଫଏମଟି ବିଭାଗୀୟ ମୁଖ୍ୟ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now