ପ୍ରେମ ଯୋଗୁଁ ଘରଦ୍ବାର ଜଳିପୋଡ଼ି ଛାରଖାର ହୋଇଗଲା। ଗରିବ ପରିବାରଟି ଉପରେ ଦୁଃଖର ପାହାଡ଼ ଖସି ପଡ଼ିଲା। ଧାମନଗର ଥାନା ଆନନ୍ଦପୁର ପଞ୍ଚାୟତର ୪ ନମ୍ବର ୱାର୍ଡ ଗୋପାଳ ସାହିର ଜଣେ ଯୁବତୀଙ୍କ ପୁରା ପରିବାର ଏବେ ବେଘର। ଯୁବତୀଙ୍କ ଘରକୁ ତାଙ୍କର ତଥାକଥିତ ପ୍ରେମିକ ଗତ ୧୪ ତାରିଖରେ ଘର ଜାଳି ଦେଇଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଯୁବତୀଙ୍କ ଦାଦା ଧାମନଗର ଥାନାରେ ଅଭିଯୋଗ କରିଛନ୍ତି। ତଦନ୍ତ ଭାର ନେଇଥିବା ସବ ଇନସପେକ୍ଟର ତଦନ୍ତ କରୁଛନ୍ତି। ଯୁବତୀଙ୍କୁ ଡାକି ପଚରାଉଚରା କରିଛନ୍ତି। ହେଲେ ଘଟଣାର ୪ ଦିନ ପରେ ବି ଅଭିଯୁକ୍ତ ବିରୋଧରେ କାର୍ଯ୍ଯାନୁଷ୍ଠାନ ଶୂନ। ଧାମନଗର ଥାନା ଅଧିକାରୀ ଫନିନ୍ଦ୍ର ଭୂଷଣ ନାଇକ କହିଛନ୍ତି ଆମେ ଯୁବକ ଓ ଅଭିଯୁକ୍ତ ଯୁବକଙ୍କ କଲ୍ ରେକର୍ଡ ଯାଞ୍ଚ କରୁଛୁ। ଏଥିରେ ଯଦି କିଛି ସୂରାକ ମିଳେ ତା ହେଲେ ସେହି ଯୁବକଙ୍କୁ ଗିରଫ କରିବୁ। ଯୁବତୀ ଜଣକ ପୂର୍ବରୁ ବିବାହ କରିଥିଲେ। ହେଲେ ବିବାହର ୨୦ଦିନ ପରେ ବନ୍ଯାରେ ଭାସିଯାଇ ତାଙ୍କ ସ୍ବାମୀଙ୍କର ଦେହାନ୍ତ ଘଟିଥିଲା। ଏହାପରେ ଯୁବତୀ ଜଣକ ଘରଦ୍ବାର ଛାଡ଼ି ବାହାରେ ରହି ଚାକିରୀ କରୁଥିଲେ।
ଏହାରି ଭିତରେ ଧାମନଗର ଥାନା ଅଞ୍ଚଳ ଚୁଡ଼ାକୁଟି ବିଦ୍ୟାଧରପୁରରେ ଥିବା ସଂପର୍କୀୟ ମାମୁଁ ଘରକୁ ଯିବା ଆସିବା ଭିତରେ ସଂପର୍କୀୟ ଭାଇ ସହ ନିବିଡ଼ତା ବଢ଼ିଥିଲା। ବିଭିନ୍ନ ସମୟରେ ସଂପର୍କୀୟ ଭାଇ ସ୍ମୃତିରଞ୍ଜନ ଦାସ ତାଙ୍କୁ ସାହାଯ୍ୟ ସହଯୋଗ କରୁଥିଲେ। ଦୁହେଁ କଥାବାର୍ତ୍ତା ଭିତରେ ପ୍ରେମ ହୋଇଥିଲା। ସେହି ପ୍ରେମ କେତେବେଳେ ନିବିଡ଼ତା ହୋଇଯାଇଥିଲା। ହେଲେ ସ୍ମୃତିରଞ୍ଜନ ଦିନକୁ ଦିନ ଆକଟ କରିବାରେ ଲାଗିଲେ। ସବୁ କଥାରେ ମୁଣ୍ଡ ଖେଳାଇବାରୁ ଯୁବତୀ ଜଣକ ଦୂରେଇବା ଆରମ୍ଭ କରିଥିଲେ। ଏହାପରେ ସ୍ମୃତିରଞ୍ଜନ ଯୁବତୀ କାମ କରୁଥିବା ଅଫିସରେ ପହଞ୍ଚି ମଧ୍ୟ ଗାଳିଗୁଲଜ କରୁଥିଲେ। ଏହି କାରଣରୁ ଯୁବତୀ ତାଙ୍କୁ କଲ୍ ବ୍ଲକ କରିଥିଲେ। ତା ସତ୍ତ୍ବେ ସେ ବିଭିନ୍ନ ସମୟରେ ହ୍ବାଟସଆପ୍ ଓ ମୋବାଇଲରେ ଧମକପୂର୍ଣ୍ଣ ମେସେଜ ଦେଉଥିଲେ। ଏପରିକି ଦେଖା ନ କଲେ କି ତାଙ୍କ କଥାରେ ରାଜି ନ ହେଲେ ସାଂଘାତିକ ପରିଣାମ ଭୋଗିବାକୁ ପଡ଼ିବ ବୋଲି କହିଥିଲେ। ଘର ଜାଳିଦେବାକୁ ବି ଧମକ ଦେଇଥିଲେ। ଏଥିରେ ନ ଡରି ଯୁବତୀ ସ୍ମୃତିକୁ ଆଭଏଡ କରିବାରୁ ସେ ଆହୁରି ଉତକ୍ଷିପତ୍ ହୋଇଥିଲା। ରାଗରେ ଡିସେମ୍ବର ୯ ତାରିଖରେ ଆସି ଘର ଜାଳିଦେବାକୁ ଉଦ୍ୟମ କରିଥିଲା। ହେଲେ ସେଦିନ ଗାଁରେ ଲୋକେ ଉଠି ପଡ଼ିବାରୁ ସେ ପଳାଇଥିଲା। ତା ପରେ ବି ଯୁବତୀଙ୍କ ପରିବାର ଲୋକେ ଚୁପ୍ ରହିଥିଲେ। ଏଥର ପୁଣି ୧୪ ତାରିଖ ରାତିରେ ଆସି ଘର ଜାଳି ଦେଇଥିବା ଯୁବତୀ ଜଣକ ତାଙ୍କ ବୟାନରେ କହିଛନ୍ତି। ଏହି ଅଗ୍ନିକାଣ୍ଡରେ ପ୍ରେମିକାର ୫ ବଖରା ଘର ସମେତ ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି । ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।
ଧାମନଗର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ଗୃହରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ଧ୍ୱଂସ ହୋଇଯାଇଥିଲା । ତେବେ ଏହି ଅଗ୍ନିକାଣ୍ଡରେ ଧାନ, ଚାଉଳ ଠାରୁ ଆରମ୍ଭ କରି କଂସା, ବାସନ ସୁନା, ଅଳଙ୍କାର ଟିଭି, ଫ୍ରିଜ୍ ସମେତ ଘରର ସମସ୍ତ ଆସବାବ ପତ୍ରକୁ ମିଶାଇ ପ୍ରାୟ ୧୫ ଲକ୍ଷ ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now