() ଲକଜରି ଭିଲ୍ଲା ଓ ଘର ଦେବା ନାଁରେ ବ୍ରାଇଟ ହୋମ୍ସ ଡେକର ସଂସ୍ଥା ଲୋକଙ୍କୁ ଚୂନ ଲଗାଇଲା। ଲୋକେ ଏତେ ବଡ଼ ସଂସ୍ଥା ଭାବି ବିଶ୍ୱାସରେ ବି ଆଗୁଆ ଟଙ୍କା ଦେଇଚାଲିଥିଲେ। କିନ୍ତୁ ସବୁ ଖେଳ ରେଜିଷ୍ଟ୍ରେସନ ବେଳକୁ ଧରାପଡ଼ିଯାଇଥିଲା। ଆଉ ଟଙ୍କା ଫେରସ୍ତ ମାଗିବାରୁ କିଛି ଦେଇ ବାକି ଟଙ୍କା ଚେକରେ ନେବ କହି ସମୟ ମାଗିଲା। ହେଲେ ଚେକ୍ ବାଉନ୍ସ ହୋଇଚାଲିଲା। ବଡ଼ କଥା ହେଲା, ଏହି ଗୋଲକଧନ୍ଦାର ବି ମାଷ୍ଟରମାଇଣ୍ଡ ରାଜୀବ ଦାସ ଓ ତାଙ୍କ ପତ୍ନୀ ସୋନିଆ ତ୍ରିପାଠୀ।
ଲକଜରି ଗ୍ରାଣ୍ଡ୍ ଭିଲ୍ଲା। ଆଖି ଦେଖିଲେ ଲାଖିଯିବ। ଇଣ୍ଟେରିଅର ଡିଜାଇନ ବି ଚମତ୍କାର। ଏହା ସହ ସହରର ହଟ୍ କେକ୍ ଏରିଆରେ ଆଖିଦୃଶିଆ ଜମି। ବ୍ରାଇଟ ହୋମ୍ସ ଡେକର ନାଁରେ ସଂସ୍ଥା ଖୋଲି କିଛି ଏମିତି ଡିଜାଇନ ଦେଖାଇ ନିବେଶକଙ୍କୁ ଆକୃଷ୍ଟ କରିଥିଲେ ରାଜୀବ ଲୋଚନ ଦାସ ଓ ତାଙ୍କ ପତ୍ନୀ ସୋନିଆ ତ୍ରିପାଠୀ। ଅନୁରୂପ ଏଭଳି ଭିଲ୍ଲାର ଚିତ୍ର ଦେଖାଇ ଲୋକଙ୍କୁ ପ୍ରଲୋଭିତ କରିଥିଲେ ଏହି ଦମ୍ପତ୍ତି। ଅବଶ୍ୟ ଏବେ ବ୍ରାଇଟ ହୋମ୍ସ ଡେକର ସଂସ୍ଥା ଓ୍ୱେବସାଇଟରେ ଖୋଲିଲେ ଦେଖିବାକୁ ମିଳିବ ଏହା କ୍ଲୋଜ୍ ଡାଉନ୍। ତେବେ ଆସନ୍ତୁ ନଜର ପକାଇବା କିଏ କେମିତି ଏହି ଦମ୍ପତ୍ତିଙ୍କ ଠକାମୀ ଜାଲରେ ପଡ଼ିଥିଲେ। ସଂସ୍ଥାର ଏଭଳି ଲୋଭନୀୟ ଅଫର ଦେଖି ପ୍ରଜ୍ଞାପ୍ରକାଶ ନାୟକ ନାମକ ବ୍ୟକ୍ତି ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ ଏଭଳି ଜମି ଓ ଭିଲ୍ଲା ପାଇବା ଆଶାରେ ଆଗୁଆ ଟଙ୍କା ପୈଠ କରିଥିଲେ। ଏ ଡିଲ୍ ହୋଇଥିଲା ଜାନୁଆରୀ ୨୦୨୦ରେ। କିନ୍ତୁ ଯେତେବେଳେ ଜମି ପଞ୍ଜୀକରଣ ସମୟ ଆସିଲା, ସେତେବେଳେ ଭୁବନେଶ୍ୱର ସବ-ରେଜିଷ୍ଟ୍ରାର କାରସାଦିକୁ ଧରା ପକାଇଦେଲେ। କାରଣ ନିଜର ଜମି କହି ପ୍ରକାଶଙ୍କ ନାଁରେ ପଞ୍ଜୀକରଣ କରିବାକୁ ଯେତେବେଳେ ସବ-ରେଜିଷ୍ଟ୍ରାର ଅଫିସ ନେଇଥିଲେ ଏହି ଦମ୍ପତ୍ତି। ସେତେବେଳେ ଜମି ସେମାନଙ୍କ ନାଁରେ ନାହିଁ ବୋଲି କହିବା ସହ ଏହା ରେଜିଷ୍ଟ୍ରେସନ ହୋଇପାରିବନି ବୋଲି ସଫା ସଫା ମନା କରିଦେଇଥିଲେ ସବ୍-ରେଜିଷ୍ଟ୍ରାର। ଏ କଥା ଜାଣିବାରୁ ରାଜୀବ ଓ ସୋନିଆଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ ପ୍ରକାଶ।
୪ଟି ତାରିଖରେ ୪ଟି କିସ୍ତିରେ ବ୍ରାଇଟ ହୋମ୍ସ ଡେକର ସଂସ୍ଥାର ମୁଖ୍ୟ ହିସାବରେ ସୋନିଆ ତ୍ରିପାଠୀ ପ୍ରକାଶଙ୍କଠୁ ୫ କୋଟି ୩୨ ଲକ୍ଷ ୪୦ହଜାର ଟଙ୍କା ନେଇସାରିଥିଲେ। ଆଉ ଟଙ୍କା ଫେରସ୍ତ ମାଗିବାରୁ ଦୁଇଟି କିସ୍ତିରେ ମୋଟ୍ ୮୦ ଲକ୍ଷ ଟଙ୍କା ଫେରାଇଦେଇଥିଲେ ସୋନିଆ। କିନ୍ତୁ ବାକି ୪ କୋଟି ୫୨ ଲକ୍ଷ ୪୦ହଜାର ଟଙ୍କା ଚେକରେ ପୈଠ କରିଦେବେ ବୋଲି କଥା ଦେଇଥିଲେ। ସେଥିଲାଗି ଜୁନ୍ ମାସରେ ଚେକ୍ ଦେଇ ଏହାକୁ ଡିସେମ୍ୱରରେ ଲଗାଇବାକୁ ପ୍ରକାଶଙ୍କୁ ସୋନିଆ କହିଥିଲେ। ଆଉ ବିଶ୍ୱାସରେ ବି ପ୍ରକାଶ ଚେକକୁ ଡିସେମ୍ୱରରେ ଲଗାଇଥିଲେ। ହେଲେ ଗୋଟିଏ ପରେ ଗୋଟିଏ ଚେକ୍ ବାଉନ୍ସ ହେବାକୁ ଲାଗିଲା। ଏହାକୁ ନେଇ ଏୟାରଫିଲ୍ଡ ଥାନାରେ ମାମଲା ରୁଜୁ ହୋଇଥିଲା। ଆଗୁଆ ଜାମିନ ପାଇଁ ହାଇକୋର୍ଟ ଯାଇଥିଲେ ଏହି ଦମ୍ପତ୍ତି। ହେଲେ ହାଇକୋର୍ଟ ଖାରଜ କରିଦେଇ ଆତ୍ମସମର୍ପଣ ଲାଗି ନିର୍ଦେଶ ଦେଇଥିଲେ। ଏୟାରଫିଲ୍ଡ ଥାନା ବି ହାଇକୋର୍ଟଙ୍କ ନିର୍ଦେଶକୁ ଅନୁପାଳନ କରିବା ପୂର୍ବକ କଳାରାହାଙ୍ଗରେ ଥିବା ରାଜୀବ ଓ ସୋନିଆଙ୍କ ଘରେ ରେଡ୍ କରିଥିଲା। ବେଶ୍ ତନାଘନା ଆରମ୍ଭରୁ କରିଥିଲେ ଏୟାରଫିଲ୍ଡ ଆଇଆଇସି। ହେଲେ ସେମାନେ ଫେରାର୍ ଥିବାରୁ ଠାବ କରିପାରିନଥିଲା। କିନ୍ତୁ କିଛି ଦିନ ପରେ ପୁଲିସ ଏ ମାମଲାରେ ପୁରା ଶୀଥିଳ ପଡ଼ିଯାଇଥିବା ଅଭିଯୋଗ କରି ଅଭିଯୋଗକାରୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ନ୍ୟାୟ ପାଇଁ। ତଦନ୍ତ କେତେ ବାଟ ଗଲା, କେସ୍ ଡାଏରୀ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ ତତ୍କାଳୀନ ଥାନା ଅଧିକାରୀଙ୍କୁ। ୩ଟି ବିଭିନ୍ନ ତାରିଖରେ କୋର୍ଟ ନୋଟିସ୍ ବି ଜାରି କରିଥିଲେ ଥାନା ଅଧିକାରୀଙ୍କୁ।
କିନ୍ତୁ ଏହାକୁ କାର୍ଯ୍ୟକାରୀ କରିନଥିବାରୁ କୋର୍ଟ ତତ୍କାଳୀନ ଆଇଆଇସିଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ପ୍ରୋସିଡିଂ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ। କିନ୍ତୁ ଏହା ଭିତରେ ଆଇଆଇସିଙ୍କ ବଦଳି ହୋଇସାରିଥିଲା। ଆଉ କୋର୍ଟ ମାମଲାର ସ୍ଥିତି ବାବଦରେ ପବ୍ଲିକ ପ୍ରୋସିକ୍ୟୁଟରଙ୍କଠୁ ଅବଗତ ହୋଇ ଜାଣିବାକୁ ପାଇଥିଲେ ଯେ, ଏବେ ବି ଅଭିଯୁକ୍ତ ଫେରାର୍। ଆଇଆଇସି ଟ୍ରାନ୍ସଫର। ବାସ୍ ଏତିକିରେ କଥା ଅଟକିରହିଛି। ଯେଉଁ ଆଇଆଇସି ତତ୍ପରତାର ସହ ତଦନ୍ତ କରୁଥିଲେ, ସେ ଅଚାନକ କାହା ଚାପରେ ଶୀଥିଳ ହୋଇଗଲେ ନା ତାଙ୍କୁ ମାମଲାରୁ ହଟାଇବାକୁ ବଦଳିର ନାଟକ କରାଯାଇଥିଲା, ତାକୁ ନେଇ ସାଧାରଣରେ ପ୍ରଶ୍ନ। ସେପଟେ ଅଭିଯୁକ୍ତ ଦମ୍ପତ୍ତି କାଗଜପତ୍ରରେ ଫେରାର ନା ସତରେ ପୁଲିସ ସେମାନଙ୍କୁ ପାଉନି। ବ୍ରାଇଟ ହୋମ୍ସ ଡେକର ସଂସ୍ଥା ଏବେ କ୍ଲୋଜ୍ ଡାଉନ୍। ସଂସ୍ଥାର ମୁଖ୍ୟ ଏବେ କେଉଁଠି, ତାହାର ପତ୍ତା ପାଉନି ପୁଲିସ। ତେବେ ଏଭଳି ଠକଙ୍କୁ ଠାବ କରିବାକୁ ବାଟ କଅଣ। ପ୍ରକାଶଙ୍କ ଭଳି ବ୍ୟକ୍ତିବିଶେଷ ଏଭଳି ବ୍ୟକ୍ତିଙ୍କ ପାଲରେ ପଡ଼ିବା ଭଳି ଅନ୍ୟ କେହି ଏମାନଙ୍କ ହାବୁଡ଼ରେ ନ ପଡ଼ନ୍ତୁ। ସେଥିଲାଗି ପୁଲିସର ବି ସମଦାୟିତ୍ୱ ରହିଛି। ଏଭଳି ଠକଙ୍କୁ ଧରି ସମାଜକୁ ସତର୍କ ରହିବାର ବାର୍ତ୍ତା ଦେବାର ଆବଶ୍ୟକତା ରହିଛି।
ପ୍ରଦୀପ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now