ଗୋ-ତସ୍କରୀ ସନ୍ଦେହରେ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

ଗୋ-ତସ୍କରୀ ସନ୍ଦେହରେ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କୁ ମାରିଦେଲେ। ମଲରୁ ମ୍ୟାଗି ଖାଇକି ଘରକୁ ଫେରୁଥିଲା ବେଳେ ଛାତ୍ରକୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ। ଅଭିଯୁକ୍ତମାନେ ଛାତ୍ରଙ୍କ ଗାଡ଼ିକୁ ୩୦ କିଲୋମିଟର ଯାଏ ପିଛା କରିଥିଲେ। ଦିଲ୍ଲୀ-ଆଗ୍ରା ଜାତୀୟ ରାଜପଥ ଉପରେ ଗୁଳି ମାରି ହତ୍ୟା କଲେ। ଫରିଦାବାଦର ଏହି ଘଟଣାକୁ ନେଇ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ହରିଆଣାର ଫରିଦାବାଦରେ ଚାଞ୍ଚଲ୍ୟକର ଘଟଣା। ୫ ଜଣ ଗୋରକ୍ଷକ ସଂଘବଦ୍ଧ ଭାବେ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର ଆର୍ୟନ ମିଶ୍ରାଙ୍କୁ ଗୋତସ୍କରୀ ସନ୍ଦେହରେ ହତ୍ୟା କରିଦେଲେ। ଗୁଳି କରିବା ଆଗରୁ ୩୦ କିଲୋମିଟର ପିଛା କରିଥିଲେ ଅଭିଯୁକ୍ତମାନେ। ଅଗଷ୍ଟ ୨୩ର ରାତିର ଘଟଣା। ସେତେବେଳେ ଆର୍ୟନ ନିଜର ଘର ମାଲିକ ଓ ସାଙ୍ଗଙ୍କ ସହ କାରରେ ବସି ଓ୍ୱାଡ଼ଖଲ ସ୍ଥିତ ଏକ ମଲ୍‌ରୁ ମ୍ୟାଗି ଖାଇକି ଫେରୁଥିଲେ। କାର୍ ଆର୍ଯ୍ୟନ ଚଳାଉଥିଲା। ଆକ୍ରମଣକାରୀ ମାନେ ଗାଡ଼ି ରୋକିବାକୁ ଇଙ୍ଗିତ କରିଥିଲେ। କିନ୍ତୁ ଭୟଭୀତ ହୋଇଯାଇଥିଲେ। ଯାହା ଫଳରେ ଗାଡ଼ିକୁ ନ ଅଟକାଇ ନିଜର ବେଗ ବଢ଼ାଇଦେଇଥିଲେ ଆର୍ୟନ। ଆଉ ଦିଲ୍ଲୀ-ଆଗ୍ରା ଜାତୀୟ ରାଜପଥ ଉପରେ ଗୁଳି କରି ହତ୍ୟା କରିଦେଲେ ଅଭିଯୁକ୍ତମାନେ। ୫ ଅଭିଯୁକ୍ତ ସୌରଭ, ଅନିଲ କୌଶିକ, ବରୁଣ, କୃଷ୍ଣା ଓ ଆଦେଶକୁ ପୁଲିସ ଗିରଫ କରିଛି। ମଙ୍ଗଳବାର ୫ ଅଭିଯୁକ୍ତଙ୍କୁ ଜିଲ୍ଲା ଅଦାଲତରେ ହାଜର ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପଚରାଉଚୁରା ବେଳେ ଅଭିଯୁକ୍ତମାନେ ମାନିଥିଲେ ଯେ, ଅଗଷ୍ଟ ୨୩ ରାତିରେ ସେମାନଙ୍କୁ ସୂଚନା ମିଳିଥିଲା ଯେ, ଦୁଇଟି ଏସୟୁଭି ଗାଡ଼ିରେ କିଛି ସନ୍ଦିଗ୍ଧ ଗୋ-ଚାଲାଣ ଲାଗି ସହରକୁ ଆସୁଛନ୍ତି। କିନ୍ତୁ ଅଭିଯୁକ୍ତମାନେ ଆର୍ୟନ ଓ ତାଙ୍କ ଦୁ଼୍ଇ ସାଙ୍ଗ ରକି ଓ ହର୍ଷିତଙ୍କୁ ଭୁଲରେ ଗୋଚାଲାଣକାରୀ ଭାବିନେଇଥିଲେ। ଗଦପୁରୀ ଟୋଲ ପାଖରୁ ୩୦ କିଲୋମିଟର ପିଛା କରି ମର୍ଡର କରିଦେଲେ। ଗୋରକ୍ଷକ ବାହିନୀର କାର୍ ଓ ବେଆଇନ ହତିଆରକୁ ଜବତ କରିଛି ପୁଲିସ। ତାଙ୍କ ପୁଅକୁ ମାରିବାକୁ ଷଡ଼ଯନ୍ତ୍ର ହୋଇଥିବା କହିଛନ୍ତି ଆର୍ୟନଙ୍କ ବାପା। ଅନ୍ୟ କାରରେ ଥିବା ଲୋକଙ୍କ ଉପରେ ସାମାନ୍ୟ ଆକ୍ରମଣ ବି ହୋଇନି।

ନିରୀହ ନିର୍ଦୋଷୀ ଛାତ୍ର ଜଣକ ସନ୍ଦେହରୁ ବଳି ପଡ଼ିଗଲେ। ଗୋରକ୍ଷା ନାଁରେ ଆଇନକୁ ହାତକୁ ନେବା କେତେଦୂର ଯୁକ୍ତିଯୁକ୍ତ ବୋଲି ଚାରିଆଡ଼େ ଚର୍ଚ୍ଚା। ମାନବାଧିକାର ରିପୋର୍ଟ ଅନୁସାରେ, ଭାରତରେ ୨୦୧୫ରୁ ଡିସେମ୍ୱର ୨୦୧୮ରେ ଗୋରୁ ସମ୍ୱନ୍ଧିତ ହିଂସାରେ ଅତି କମରେ ୪୪ ଲୋକଙ୍କ ଜୀବନ ଯାଇଛି। ଏହି ମାମଲାରେ ଜୀବନ ଯାଇଥିବା ଲୋକଙ୍କ ଭିତରେ ୩୪ ମୁସଲମାନ ଅଛନ୍ତି। ଦିଲ୍ଲୀସ୍ଥିତ ଡକ୍ୟୁମେଣ୍ଟେସନ ଅଫ ଦି ଓମ୍ପ୍ରେସଜ ଡାଟାବେସ ଏନଜିଓର ତଥ୍ୟ ଅନୁସାରେ, ଜୁଲାଇ ୨୦୧୪ରୁ ଅଗଷ୍ଟ ୨୦୨୨ ଭିତରେ ଗୋଚାଲାଣ ସମ୍ୱନ୍ଧିତ ହିଂସାରେ ୨୦୬ଟି ମାମଲା ସାମ୍ନାକୁ ଆସିଥିଲା। ଏଥିରେ ୮୫୦ ପୀଡ଼ିତ ମୁସଲମାନ ଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *