ହାଜତ ମୃତ୍ୟୁ: ପରିବାର ଆଣିଲେ ହତ୍ୟା ଅଭିଯୋଗ

Spread the love

ଯାଜପୁର:  ଯାଜପୁର ବଡ଼ଚଣା ଥାନା ଅଧୀନ ଧାନମଣ୍ଡଳ ଫାଣ୍ଡି ହାଜତରେ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ  । ଘଟଣାକୁ ନେଇ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ ।  ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଯାଜପୁର ରୋଡ଼ ଏସଡିପିଓ କହିଛନ୍ତି।  ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ବଡ଼ଚଣା ଥାନା ସମ୍ମୁଖରେ ପୋଲିସ ମୁତୟନ ହୋଇଛନ୍ତି… । 

ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ବନ୍ଧା ହୋଇଥିଲେ ସିନ୍ଧୁପୁର ଅଞ୍ଚଳର ଇଶ୍ଵର ସେଠୀ । ଧାନମଣ୍ଡଳ ଫାଣ୍ଡି ହାଜତରେ ରଖିଥିଲା ପୋଲିସ । ବୁଧବାର ସନ୍ଧ୍ୟାରେ ଯୁବକ ଜଣକ ଆତ୍ମହତ୍ୟା କରିବାକ ଉଦ୍ୟମ କରିଥିଲେ  । ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ବଡ଼ଚଣା ମେଡିକାଲରେ ଭର୍ତି କରାଯାଇଥିଲା। ସେଠାରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ତେବେ ବୁଧବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାକୁ ନେଇ ପରିବାର ଲୋକେ ହତ୍ୟା କରାଯାଇଥିବା ଅଭିଯୋଗ ଆଣଇଛନ୍ତି  । 

ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଅଡୁଆରେ  । ପୋଲିସ ଅଭିଯୁକ୍ତ ଙ୍କୁ ଆଣିଥିବା ବେଳେ କାହିଁକି କୋର୍ଟ ଚାଲାଣ କରିନଥିଲା ବୋଲି ପ୍ରଶ୍ନ ଉଠିଛି। ବଡ଼ଚଣା ଥାନା ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ଜାତୀୟ ମାନବାଧିକାର କମିଶନଙ୍କ ନିୟମ ଅନୁଯାୟୀ ଜଣେ ସିନିୟର ଡିଏସପି ଘଟଣାର ତଦନ୍ତ କରୁଛନ୍ତି। ତେବେ ଅଭିଯୁକ୍ତ ଜଣକ ହାଜତ ଭିତରେ କାହିଁକି ଆତ୍ମହତ୍ୟା ଉଦ୍ୟମ କଲା ? କିପରି ତାର ମୃତ୍ୟୁ ଘଟିଲା ?  ସେ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି। ସେପଟେ ଶବ ବ୍ୟବଛେଦ ରିପୋର୍ଟ କୁ ଅପେକ୍ଷା କରିଛି ପୋଲିସ।

ପ୍ରକୃତ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ କରାଯିବ ବୋଲି ପରିବାର ଲୋକେ ଚେତାବନୀ ଦେଇଛନ୍ତି…। 

 ହିମାଂଶୁ କୁମାର ପାଢ଼ୀ

Leave a Reply

Your email address will not be published. Required fields are marked *