ପତ୍ନୀର ନିର୍ଯ୍ୟାତନା ସହିନପାରି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ ବେଙ୍ଗାଲୁରୁର ଅତୁଲ ସୁବାଷ। ଲମ୍ୱା ଭିଡ଼ିଓରେ ନିର୍ଯ୍ୟାତନାର ଟିକିନିଖି ବିବରଣୀ ଦେବା ପରେ ଆତ୍ମହତ୍ୟା କରିଦେଇଥିଲେ ଅତୁଲ। ଯେଉଁ ଘଟଣା ସାରା ଦେଶରେ ହଇଚଇ ଖେଳାଇଥିଲା। ତେବେ ଏଭଳି ଘଟଣାର ପୁନରାବୃତ୍ତି ଦିଲ୍ଲୀରେ ଦେଖିବାକୁ ମିଳିଛି। ୩୯ ବର୍ଷୀୟ ପୁନିତ ପତ୍ନୀଙ୍କ ନିର୍ଯ୍ୟାତନା ସହିନପାରି ଆତ୍ମହତ୍ୟା କରିଛନ୍ତି। ପତ୍ନୀ କେମିତି ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଇଥିଲେ, ତାହାର ଅଡ଼ିଓ କ୍ଲିପ୍ ଭାଇରାଲ ହୋଇଛି। ଉଭୟଙ୍କ ଭିତରେ ହୋଇଥିବା ୧୬ ମିନିଟର ଅଡ଼ିଓ ବାର୍ତ୍ତାଳାପ ଭାଇରାଲ୍ ହୋଇଛି। ଦିଲ୍ଲୀର ପୁନିତ ଖୁରାନା ୨୦୧୬ରେ ବିବାହ କରିଥିଲେ। ପୁନିତଙ୍କ ପରିବାରର କହିବା କଥା ଯେ, ପୁନିତ ଓ ତାଙ୍କ ପତ୍ନୀଙ୍କ ଭିତରେ ବିବାହ ବିଛେଦ ନେଇ ମାମଲା ଚାଲିଥିଲା। ଯାହା ପରେ ପୁନିତଙ୍କୁ ସବୁ ସମୟରେ ଫୋନରେ ତାଙ୍କ ପତ୍ନୀ ନାନା କଥା କହି ମାନସିକ ଓ ଆର୍ଥିକ ସ୍ତରରେ ଶୋଷଣ କରିଚାଲିଥିଲେ। ପୁନିତ ନିଜ ଘରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିବା ଆଗରୁ ପ୍ରାୟ ଘଣ୍ଟାକର ଭିଡ଼ିଓ ବି କରିଛନ୍ତି। ବିଳମ୍ୱିତ ରାତି ୩ଟାରେ ପତ୍ନୀଙ୍କ ସହ ଫୋନରେ ଝଗଡ଼ା ହୋଇଥିଲା। ଏହା ପରେ ୫୯ ମିନିଟର ଭିଡ଼ିଓରେ ପୁରା କାହାଣୀ କହି ଶେଷରେ ଝୁଲିପଡ଼ିଲେ ପୁନିତ। ୪୦ ବର୍ଷୀୟ ପୁନିତ ଏକ କାଫେ ମ୍ୟାନେଜର ଭାବେ କାମ କରୁଥିଲେ। ନିଜ ପତ୍ନୀ ତଥା ତାଙ୍କ ବିଜନେସ ପାର୍ଟନର ମନିକା ଜଗଦୀଶ ପାହଓ୍ୱାଙ୍କ ସହ ଛାଡ଼ପତ୍ର ମାମଲା ଚାଲିଥିଲା।
ବିବାହର ଦେଢ଼ ବର୍ଷ ଯାଏ ସବୁ ଠିକ୍ ଚାଲିଥିଲା। କିନ୍ତୁ ତା ପରେ ପତି ପତ୍ନୀଙ୍କ ଭିତରେ ନିୟମିତ ଝଗଡ଼ା ହେଉଥିଲା। ୨ ବର୍ଷ ପରେ ଛାଡ଼ପତ୍ର ଦେବାକୁ ପରସ୍ପର ସ୍ଥିର କରିଥିଲେ। ପୁନିତ ନିଜ ପତ୍ନୀଙ୍କ ସହ ମିଶି ବେକରି କାରବାର କରୁଥିଲେ। ଫର୍ ଗଡସ କେକ୍ ଓ ଉଡବ୍ୟାକ୍ କାଫେ ନାଁରେ କାଫେ ଖୋଲିଥିଲେ ମିଶିକି। ଛାଡ଼ପତ୍ର ସମେତ ବ୍ୟବସାୟକୁ ନେଇ ବି ଉଭୟଙ୍କ ଭିତରେ ବିବାଦ ଥିଲା। ପୁନିତଙ୍କ ଭଉଣୀ କହିଛନ୍ତି ଯେ, ଛାଡପତ୍ର ମାମଲା ଆରମ୍ଭ ପରେ କୋର୍ଟ ଦୁଇ ଜଣଙ୍କୁ ଗୋଟିଏ ଗୋଟିଏ କାଫେର ଅଧିକାର ଦେଇଥିଲେ। କିନ୍ତୁ ମନିକା ଇମେଲ୍ ଆଇଡି ମାଗିକି ଇନଷ୍ଟାଗ୍ରାମ ଆଇଡିକୁ ହ୍ୟାକ୍ କରିଦେଇଥିଲେ। ଏଥିପାଇଁ ମନିକାଙ୍କୁ ରାତି ୩ ଟାରେ ଫୋନ କରିବାକୁ ବାଧ୍ୟ ହୋଇଥିଲେ ପୁନିତ୍। ତେବେ ପୁନିତ ଓ ମନିକାଙ୍କ ଦାମ୍ପତ୍ୟ ଜୀବନରେ କୌଣସି ତୃତୀୟ ବ୍ୟକ୍ତିର ଏଣ୍ଟ୍ରି ଏହି ଝଡ଼ର ମୁଖ୍ୟ କାରଣ ବୋଲି ବି ଚର୍ଚ୍ଚା ହେଉଛି।କାରଣ ଅଡ଼ିଓରେ ପୁନିତଙ୍କର କୌଣସି ଝିଅ ସହ ଚକ୍କର ଥିବା କଥା କହିଥିଲେ ମନିକା। ପୁନିତ କେବଳ ସୁଇସାଇଡ୍ କରିବାକୁ କହୁଛି, କିନ୍ତୁ କରୁନି ବୋଲି କଟାକ୍ଷ କରିଥିଲେ ମନିକା। ପୁଲିସ କହିଛି, ମନିକା ନିଜ ବାପ ଘରେ ରହୁଥିଲେ। ଯେଉଁ ଘରେ ପୁନିତ୍ ଆତ୍ମହତ୍ୟା କରିଛନ୍ତି, ସେ ଘର ମନିକାଙ୍କ ନାଁରେ ରହିଛି। ପୁଲିସ ମୋବାଇଲ୍ ସିଜ୍ କରିଛି। ଫରେନସିକ ଯାଞ୍ଚ ଲାଗି ପଠାଇଛି।
ଭିଡ଼ିଓରେ ପୁନିତ କହିଛନ୍ତି ଯେ, ତାଙ୍କୁ କିଭଳି ତାଙ୍କ ପତ୍ନୀ ଓ ଶ୍ୱଶୁର ଘର ମାନସିକ ରୂପରେ ପ୍ରତାରିତ କରୁଛନ୍ତି। ତାଙ୍କୁ ଧମକ ଓ ଗାଳିଗୁଲଜ କରାଯାଉଛି। ଆଗକୁ ଏ ଘଟଣା କି ମୋଡ଼ ନେଉଛି, ତା ଉପରେ ସମସ୍ତଙ୍କ ନଜର।
Naxatra News is now on Whatsapp
Join and get latest news update delivered to you via whatsapp
Join Now