କନେଷ୍ଟବଳଙ୍କୁ କାର୍ ଚଢ଼ାଇ ମାରିଦେବା ମାମଲାରେ ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ

କାର୍ ଚଢ଼ାଇ ମାରିଦେଲେ କନଷ୍ଟେବଳଙ୍କୁ। ଦିଲ୍ଲୀର ନାଙ୍ଗଲାଇ ଥାନା ଅନ୍ତର୍ଗତ କନେଷ୍ଟବଳ ସନ୍ଦୀପଙ୍କୁ ହତ୍ୟା ମାମଲାରେ ପୁଲିସ ଜଣେ ଅଭିଯୁକ୍ତ ରଜନୀଶକୁ ଗିରଫ କରିଛି। ଅନ୍ୟ ଜଣେ ଫେରାର ଅଛି। ଓ୍ୱାଗନର କାରରେ ଯାଉଥିବା ଅଭିଯୁକ୍ତଙ୍କୁ ଦ୍ରୁତ ଗତି ଓ ବେପରୁଆ ଢଙ୍ଗରେ ଗାଡ଼ି ନ ଚଳାଇବାକୁ ମନା କରିବାରୁ ଅଭିଯୁକ୍ତମାନେ ସନ୍ଦୀପଙ୍କ ଉପରେ କାର୍ ଚଢ଼ାଇଦେଇଥିଲେ।ସହଯୋଗୀକୁ ଗିରଫ କରିବାକୁ ପୁଲିସ ତନାଘନା ଜାରି ରଖିଛି। କନେଷ୍ଟବଳ ସନ୍ଦୀପ ମଲ୍ଲିକଙ୍କୁ ଓ୍ୱାଗନର କାରରେ ଥିବା ଦୁଇ ଅଭିଯୁକ୍ତ କାର୍ ଚଢ଼ାଇ ମାରିଦେଇଥିଲେ। ନାଙ୍ଗଲୋଇ ଥାନା ଅନ୍ତର୍ଗତ ଏରିଆରେ ପାଟ୍ରୋଲିଂ ପାଇଁ ବାହାରିଥିଲେ ସନ୍ଦୀପ। ଏହି ଅବସରରେ ଜଣେ କାର ଚାଳକ ତାଙ୍କ ଗାଡ଼ିକୁ ଜୋରରେ ଧକ୍କା ଦେଇଥିଲେ। ପ୍ରାୟ ୧୦ ମିଟର ବାଇକ୍ ସମେତ ଘୋଷାରି ନେଇଥିଲା। ଏଥିରେ ସନ୍ଦୀପଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ମୃତ୍ୟୁ ହୋଇଯାଇଥିଲା। ଘଟଣାସ୍ଥଳର ସିସିଟିଭି ଫୁଟେଜରୁ ଦେଖାଯାଇଛି ଯେ, ସନ୍ଦୀପ ସାଦା ପୋଷାକରେ ପାଟ୍ରୋଲିଂ କରୁଥିଲେ। ରାତି ପ୍ରାୟ ୨ଟା୨୫ ମିନିଟର ଘଟଣା। ବୀଣା ଏନକ୍ସେଭ ପାଖରେ ବାମ ଆଡ଼କୁ ଯିବାକୁ ଏକ ଓ୍ୱାଗନର କାରକୁ ଓଭରଟେକ୍ କରିଥିଲେ ସନ୍ଦୀପ। କିନ୍ତୁ ଓ୍ୱାଗନରକୁ ଦ୍ରୁତ ଗତି ସହ ବେପରୁଆ ଭାବେ ଚଳାଉଥିଲେ ଚାଳକ। କାର୍ ଚାଳକକୁ ଏଭଳି ବେପରୁଆ ଢଙ୍ଗରେ ନ ଚଳାଇବାକୁ ସଙ୍କେତ ଦେଇ ଆଗକୁ ବଢ଼ିଥିଲେ ସନ୍ଦୀପ। ଏଥିରେ ଉତକ୍ଷିପ୍ତ ହୋଇ କାର ଚାଳକ ଅଚାନକ ଗାଡ଼ିର ବେଗ ବଢ଼ାଇ ସନ୍ଦୀପଙ୍କୁ ଜୋରରେ ଧକ୍କା ଦେଇଥିଲେ। ଆଉ ଦୁର୍ଘଟଣା ଘଟାଇବା ପରେ ଗାଡ଼ିକୁ ଘଟଣାସ୍ଥଳରେ ଛାଡ଼ି ଫେରାର୍ ହୋଇଯାଇଥିଲେ ଅଭିଯୁକ୍ତ।

ସୂଚନା ପାଇବା ପରେ ଆହତ କନେଷ୍ଟବଳ ସନ୍ଦୀପଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ବାଲାଜୀ ହସ୍ପିଟାଲକୁ ରେଫର କରିଥିଲେ। କିନ୍ତୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ସନ୍ଦୀପଙ୍କ ମୃତ୍ୟୁ ହୋଇଛି। ଶବ ବ୍ୟବଛେଦ ଲାଗି ପଠାଇଦିଆଯାଇଥିଲା। ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୁଲିସ ବଛା ବଛା ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ କରିଥିଲା। ମୁଖ୍ୟ ଅଭିଯୁକ୍ତ ରଜନୀଶକୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତକୁ ପୁଲିସ ଖୋଜୁଛି। ଶନିବାର ବିଳମ୍ୱିତ ରାତିରେ ସିଟିରେ ଷ୍ଟ୍ରିଟ୍ କ୍ରାଇମକୁ ନିୟନ୍ତ୍ରଣ ସକାଶେ ସାଦା ପୋଷାକରେ ପାଟ୍ରୋଲିଂ ପାଇଁ ବାହାରିଥିଲେ ସନ୍ଦୀପ।

ମାଆ, ପତ୍ନୀ ଓ ୫ ବର୍ଷର ପୁଅକୁ ଛାଡ଼ି ଆରପାରିରେ ସନ୍ଦୀପ। ସେପ୍ଟେମ୍ୱର ୨୫ରେ ହିଟ୍ ଆଣ୍ଡ ରନ୍ ର ଆଉ ଏକ ମାମଲା ସାମ୍ନାକୁ ଆସିଥିଲା। ପୂର୍ବ ଦିଲ୍ଲୀର ଘାଜିପୁରର ମୁର୍ଗାମଣ୍ଡି ପାଖରେ ଜଣେ ଅଜ୍ଞାତ ଗାଡ଼ି ଜଣେ ଓକିଲକୁ ମଡ଼ାଇ ମାରିଦେଇଥିଲା। ଓକିଲଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଓକିଲ ମିଥଲେଶ ରାତି ୧୧ଟାରେ ବାଇକରେ କୋର୍ଟରୁ ଘରକୁ ଫେରୁଥିଲେ। ଏପର୍ଯ୍ୟନ୍ତ ଗାଡ଼ି କି ଚାଳକର କୌଣସି ଟେର୍ ପାଇପାରିନି ପୁଲିସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *