ଧରାପଡ଼ିଲେ ନକଲି ଇଡି ଟିମ୍। ଟିମର ୧୨ ଜଣଙ୍କୁ ଗିରଫ କଲା କଚ୍ଛ ପୁଲିସ। ଜମେ ସୁନା ବ୍ୟବସାୟୀଙ୍କ ଦୋକାନରେ ରେଡ୍ ମାରୁଥିଲେ ଏହି ନକଲି ଟିମ୍। ନିଜକୁ ଇଡି ଅଧିକାରୀର ପରିଚୟ ଦେଇ ରେଡ୍ ବେଳେ ଧରା ପଡ଼ିଛନ୍ତି। ଏହି ଗ୍ୟାଙ୍ଗରେ ଅହମଦାବାଦ, ଗାନ୍ଧୀଧାନ ଓ ଭୁଜର ଲୋକ ଅଛନ୍ତି। ଯେଉଁମାନେ ନକଲି ଇଡି ଅଧିକାରୀ ସାଜି ସହରର ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଟାର୍ଗେଟ କରୁଥିଲେ। ସଂପୃକ୍ତ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଅହମଦାବାଦ, ଭୁଜରେ ରେଡ୍ କରିବା ପରେ ଗାନ୍ଧୀଧାମରେ ପରବର୍ତ୍ତୀ ରେଡ୍ କରିବାକୁ ବାହାରିଥିଲେ। କିନ୍ତୁ ରେଡ୍ ବେଳେ ଏମାନଙ୍କ ହାବଭାବ ସନ୍ଦେହଜନକ ହେବାରୁ ସଂପୃକ୍ତ ବ୍ୟବସାୟୀ ଥାନାକୁ ଅବଗତ କରାଇଥିଲେ। ଆଉ ପୁଲିସ ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳକୁ ଯାଇ ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରିଥିଲା। ଜେରା ପରେ ଅନ୍ୟ ୧୦ ଜଣଙ୍କୁ ଧରିଛି ପୁଲିସ। ବୁଧବାର ଏ ସନ୍ଦର୍ଭରେ ବିଧିବଦ୍ଧ ଏତଲା ହୋଇ ଛାନଭିନ ଜାରି ରଖିଛି ପୁଲିସ। ଜଣେ ମହିଳାଙ୍କ ସମେତ ୧୨ଜଣିଆ ଗ୍ୟାଙ୍ଗକୁ ଧରିଛି ପୁଲିସ। ବଡ଼ ବଡ଼ ବ୍ୟବସାୟୀଙ୍କୁ ଧମକ ଦେଇ ରେଡ୍ର ଭୟ ଦେଖାଉଥିଲେ। ଲକ୍ଷ ଲକ୍ଷ ଟଙ୍କା ଅସୁଲି କରୁଥିଲେ। ନିକଟରେ ଯେଉଁ ବ୍ୟବସାୟୀଙ୍କ ଗହଣା ଦୋକାନରେ ରେଡ୍ କରିଥିଲେ, ତାଙ୍କଠୁ ପ୍ରାୟ ୨୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନାର ଅଳଙ୍କାର ନେଇ ଗାଏବ ହୋଇଯାଇଥିଲେ। ନକଲି ଇଡି ଅଧିକାରୀ ମାତିଛନ୍ତି କହି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ଆମ୍ ଆଦମୀ ଦଳ। ବିଜେପି ଶାସିତ ରାଜ୍ୟ ନକଲି ମଡେଲର ସୂତ୍ରଧର ସାଜିଛି କହି ଆକ୍ଷେପ ଲଦିଛି ଆପ୍। ଗୁଜରାଟରେ ଏହା ପୂର୍ବରୁ ପିଏମଓର ନକଲି ଅଧିକାରୀ, ବିଚାରପତି, କୋର୍ଟ, ସ୍କୁଲ, ଶିକ୍ଷକର ନଜିର ପଦାକୁ ଆସିସାରିଛି। ଏବେ ନକଲି ଇଡି ଟିମ୍ ବି ସକ୍ରିୟ ଥିଲେ। ମୋଦି ଓ ଶାହାଙ୍କ ରାଜ୍ୟରେ ଏତେ ବଡ଼ ଫ୍ରଡ୍ କେମିତି ହେଉଛି ବୋଲି ପଚାରିଛି। ୨୦୧୩ରେ ଫିଲ୍ମ ସ୍ପେଶିଆଲ-୨୬ରେ ଯେମିତି ନକଲି ଆୟକର ଅଧିକାରୀ ସାଜି ଅଭିନେତା ଅକ୍ଷୟ କୁମାର, ଅନୁପମ ଖେରଙ୍କ ସମେତ ଅନ୍ୟ କଳାକାର ବେପାରୀଙ୍କୁ ଚୂନ ଲଗାଇଥିଲେ। ଗୁଜରାଟରେ ଅନୁରୂପ ସ୍ପେଶିଆଲ-୧୨ ଥିଲା ବୋଲି ସବୁଠି ଚର୍ଚ୍ଚା।
Naxatra News is now on Whatsapp
Join and get latest news update delivered to you via whatsapp
Join Now