ମିଛ କହି ବିବାହ କରିବା ପଡ଼ିଲା ମହଙ୍ଗା

Spread the love

କଥାରେ ଅଛି ବିବାହ ହେଉଛି ପବିତ୍ର ସାମାଜିକ ବନ୍ଧନର ପ୍ରତୀକ। ବର କନ୍ୟା ଯେତେବେଳେ ପରସ୍ପରର ହାତ ଧରନ୍ତି ଓ ଅଗ୍ନିକୁ ସାକ୍ଷୀ ରଖି ବିବାହ କରନ୍ତି। ସେଠି ସତ ଓ ବିଶ୍ୱାସର ଡୋରି ସାତ ଜନମକୁ ବନ୍ଧା ହୋଇଗଲା ବୋଲି ବିବେଚନା କରାଯାଇଥାଏ। ହେଲେ ଏଠି ଆମେ ଏମିତି ଏକ ଯୁବକର କଥା କହିବୁ, ଯେ ମିଛ ଉପରେ ମିଛ କହି କିଭଳି ବିବାହ ତ କରିଥିଲା। ତା ଉପରେ ବି ମିଛର ସିରିଜ୍ ଏମିତି ଜାରି ରଖିଲା କି, ତା କଥାରେ ଭଳି ଯାଇ ଶ୍ୱଶୂର ଘର ବି ଜାଲରେ ପଡ଼ି ଲକ୍ଷ ଲକ୍ଷ ଟଙ୍କା ତା ପଛରେ ଖର୍ଚ୍ଚ କଲେ। ଶେଷରେ ଏଭଳି ଧୂର୍ତ୍ତ ବର ଓ ତା ବାପାକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ମିଛ କହି ବିବାହ କରିବା ଶେଷରେ ମହଙ୍ଗା ପଡ଼ିଲା।

ଘଟଣାଟି ମହାସମୁନ୍ଦରୁ ଆସିଛି। ଯୁବକ ଜଣକ ବେରୋଜଗାର ଥିଲା। କିନ୍ତୁ ଚାକିରୀ କରୁଥିବାର ମିଛ ନିଯୁକ୍ତି ପତ୍ର ଦେଖାଇ ପତ୍ନୀ ଓ ଶ୍ୱଶୁରାଳୟକୁ ଚକମା ଦେଇଥିଲା। କେବଳ ଏତିକି ନୁହେଁ, ସାଢେ ୧୦ ଲକ୍ଷରୁ ଅଧିକ ଟଙ୍କାର ଚୂନ ବି ଲଗାଇଥିଲା ଶ୍ୱଶୁରଘରକୁ। ଆଉ ଏହାକୁ ପରେ ଜାଣିପାରି ପତ୍ନୀ ଧୋକା ଖାଇଥିବାର ମାମଲା ରୁଜୁ କରିଥିଲେ ଥାନାରେ। ପୀଡିତା ଯୋଗିତା ସାବତ ଅଭିଯୋଗ କରିଥିଲେ କି, ଭାରତ ସାଓଙ୍କ ସହ ସେ ରୀତିନୀତି ସହ ବିବାହ କରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ଭାରତ ଓ ତାଙ୍କ ଶ୍ୱଶୁର ଘାସିରାମ ମିଛ କହି ତାଙ୍କ ଘରେ ବନ୍ଧୁ ବାନ୍ଧିଥିଲେ। ପୁଅ ସରକାରୀ ଚାକିରୀ କରୁଛି।

ଜିଲ୍ଲା ସହକାରୀ ବ୍ୟାଙ୍କରେ ଆକାଉଣ୍ଟ ଅଫିସର ଅଛି ବୋଲି କହିଥିଲେ। ଆଉ ବିବାହ ପରେ ଭାରତ କାହିଁକି ଚାକିରୀକୁ ଯାଉନି ବୋଲି ଜାଣିବାକୁ ଚାହିଁବାରୁ କୁଆଡ଼େ ତାଙ୍କୁ ବ୍ୟାଙ୍କ ଚାକିରୀରୁ ବହିଷ୍କାର କରାଯାଇଛି ବୋଲି ମିଛ ସୂଚନା ଦେଇଥିଲେ। ଏହା ପରେ ପୁଣି ପୁଲିସ ବିଭାଗରେ ଡିଏସପି ଚାକିରୀ ପାଇଁ ଚୟନ ହୋଇଛନ୍ତି ବୋଲି ଆଉ ଏକ ମିଛ କହିଥିଲେ। ଏହାକୁ ନେଇ ଜାଲି ନିଯୁକ୍ତିପତ୍ର ଦେଖାଇ ପତ୍ନୀ ଓ ଶ୍ୱଶୁରଘରର ବିଶ୍ୱାସ ଜିତିଥିଲେ। ଟ୍ରେନିଂର ଦସ୍ତାବିଜ୍ ଦେଖାଇ ପତ୍ନୀଙ୍କ ବାପା ଓ ଭାଇଙ୍କଠୁ ୧୦ଲକ୍ଷ ୬୦ ହଜାର ଟଙ୍କା ନେଇଥିଲେ। ଆଉ ପତ୍ନୀ ଏ ସବୁ ମିଛ ବୋଲି ଜାଣିବା ପରେ ପୁଲିସରେ ଅଭିଯୋଗ କରିଥିଲେ। ତୁରନ୍ତ ପୁଲିସ ଭାରତ ଓ ତାଙ୍କ ବାପାଙ୍କୁ ଗିରଫ କରି ପଚରାଉଚୁରା ପରେ ସବୁ ସତ ଓଗାଳିଥିଲେ ଉଭୟ। ଉଭୟ ବାପ ପୁଅଙ୍କୁ ନ୍ୟାୟିକ ରିମାଣ୍ଡକୁ ପଠାଇ ଦିଆଯାଇଛି।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *