ଦୁର୍ନୀତି ସାମ୍ନାକୁ ଆଣିବାରୁ- ସାମ୍ୱାଦିକଙ୍କୁ ମର୍ଡର

ଦୁର୍ନୀତିକୁ ଲୋକଲୋଚନକୁ ଆଣିବାରୁ ସାମ୍ୱାଦିକଙ୍କ ଜୀବନ ନେଇଗଲେ। ୧୦୦ କୋଟି ଟଙ୍କାର ରାସ୍ତା କାମ ଅତ୍ୟନ୍ତ ନିମ୍ନମାନର ନେଇ ଛତିଶଗଡ ବିଜାପୁର ଜିଲ୍ଲାର ସାମ୍ୱାଦିକ ମୁକେଶ ଖବର ପ୍ରସାରଣ ପରେ ସରକାର ଏହାର ତଦନ୍ତ ନିର୍ଦେଶ ଦେଇଥିଲେ। ଯାହାକୁ ନେଇ ରକ୍ତମୁଖା ହୋଇପଡ଼ିଥିଲେ ଠିକାଦାର। ଆଉ ନୂଆ ବର୍ଷ ଦିନ ହିଁ ଅପହରଣ କରି ହତ୍ୟା କଲେ। ସୁରେଶ ଚନ୍ଦ୍ରକାର ନାମକ ଠିକାଦାର ମୁକେଶଙ୍କୁ ଅପହରଣ କରି ହତ୍ୟା କରିବା ପରେ ନିଜ ଘରର ପାଇଖାନା ଟାଙ୍କିରେ ରଖିଥିଲା। ପୁଲିସ ତଦନ୍ତ କରି ମୁକେଶଙ୍କ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଠିକାଦାରକୁ ଗିରଫ କରିଛି। ଅଭିଯୁକ୍ତଙ୍କ ସହ ଏହି ହତ୍ୟାକାଣ୍ଡରେ ୩ ଜଣ ସାମିଲ ଥିଲେ।

ମୁକେଶଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲା ଅଭିଯୁକ୍ତ ଠିକାଦାର ସୁରେଶ। ପାଇଖାନା ଟାଙ୍କିରେ ଶବକୁ ରଖି ତା ଉପରେ କଂକ୍ରିଟ୍ କରିଦେଇଥିଲା। ମୁକେଶଙ୍କ ଫୋନ୍ ସୁଇଚ୍ ଅଫ ଥିଲା। ଫୋନ୍‌ର ଶେଷ ଲୋକେସନ ସଂପୃକ୍ତ ଠିକାଦାର ଘର ପାଖରେ ମିଳିଲା। ପୁଲିସ ସେଠାରେ ପହଞ୍ଚି ଛାନଭିନ କରି ଦେଖିଥିଲା ଯେ, ସେପଟିକ୍ ଟ୍ୟାଙ୍କ ପୁରା କଭର ରହିଛି। ସାଧାରଣତଃ ସେପଟିକ୍ ଟ୍ୟାଙ୍କରେ ଘୋଡ଼ଣି ଲଗାଯାଏ। କିନ୍ତୁ ପୁରା ସିମେଣ୍ଟ କଂକ୍ରିଟ ଦେଖି ପୁଲିସର ସନ୍ଦେହ ହୋଇଥିଲା। ଜେସିବି ଲଗାଇ ତାଡ଼ିଥିଲା। ଅଭିଯୁକ୍ତ ଠିକାଦାର ସୁରେଶ ପୂର୍ବରୁ ଏସପିଓ ଥିଲା। କେବଳ ଏତିକି ନୁହେଁ। ଏକ ହେଲିକେପ୍ଟରରେ ବରଯାତ୍ରୀଙ୍କୁ ନେଇ ଜଗଦଲପୁର ଯାଇଥିଲା ବେଳେ ତାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ଅଭିଯୁକ୍ତ ଦିଲ୍ଲୀ ଫେରାର୍ ହେବାକୁ ବସିଥିଲା। ତାକୁ ରାୟପୁର ଏୟାରପୋର୍ଟରୁ ଗିରଫ କରିଛି ପୁଲିସ। ସୁରେଶ ଠିକାଦାର ସହ କଂଗ୍ରେସର ବଡ଼ ବଡ଼ ନେତାଙ୍କ ପାଖଲୋକ ବି କୁହାଯାଏ। ମୁକେଶଙ୍କୁ କୁରାଢ଼ୀରେ ହାଣିଥିଲେ ହତ୍ୟାକାରୀ। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ସାମ୍ୱାଦିକ। ଅଭିଯୁକ୍ତଙ୍କ ସମ୍ପତି ଜବତ ସହ ଫାଶୀ ଦାବିରେ ରାସ୍ତାରୋକ୍ କରିଥିଲେ। ଏଡିଟର ଗିଲ୍ଡ ବି ସାମ୍ୱାଦିକ ହତ୍ୟା ଘଟଣାକୁ ନିନ୍ଦା କରିବା ସହ ସାମ୍ୱାଦିକ ସୁରକ୍ଷା ପୁଣି ପ୍ରଶ୍ନବାଚୀରେ ବୋଲି କହିଛି।

ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ଜଣେ ସାହାସୀ ସାମ୍ୱାଦିକ ଭାବେ ମୁକେଶ ବେଶ୍ ପରିଚିତ। ମୁକେଶଙ୍କ ୟୁଟ୍ୟୁବ୍ ଚାନେଲ ବସ୍ତର ଜଂକସନ ବେଶ୍ ଲୋକପ୍ରିୟତା ସାଉଁଟିଥିଲା। ନକ୍ସଲ ମାମଲା, ଜନଆନ୍ଦୋଳନ ଓ ଆଦିବାସୀ ସମୁଦାୟ ସହ ଜଡ଼ିତ ମାମଲାକୁ ଆଗକୁ ଆଣୁଥିଲେ ମୁକେଶ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *