ବହୁ ଚର୍ଚ୍ଚିତ ଲୁମେକ୍ସ ମହାଠକେଇ ମାମଲାରେ ଅଭିଯୁକ୍ତଙ୍କ ସହ ଆଇପିଏସ ଉମାଶଙ୍କର ଦାସଙ୍କ ଲିଂକକୁ ନେଇ ଅନେକ ଚର୍ଚ୍ଚା ହେଲାଣି। କଥା ଦାଣ୍ଡରେ ଗଡ଼ି ହାଟରେ ପଡ଼ିଲାଣି। ଡିସିପି ଥିଲା ବେଳେ କେମିତି ଅଭିଯୁକ୍ତଙ୍କ ସୁରକ୍ଷାକବଚ ସାଜିଥିଲେ ଉମାଶଙ୍କର। ପାଲଟା ଅଭିଯୋଗକାରିଣୀ ତଥା ପୀଡ଼ିତା ନିଶାରାଣୀ ମହାପାତ୍ରଙ୍କ ସ୍ୱାମୀ ପ୍ରଜ୍ଞାପ୍ରକାଶ ନାୟକଙ୍କୁ ଅଭିଯୁକ୍ତଙ୍କ ସହ କମ୍ପ୍ରାମାଇଜ କରିବାକୁ ପକାଇଥିଲେ ଚାପ। ଏଥିରେ ଫେଲ୍ ମାରିବାରୁ ରାତିଅଧିଆ ଘରୁ ଉଠାଇନେବା, ଥାନାରେ ନିର୍ଯାତନା ଦେବା ଆଉ ପୀଡ଼ିତା ଅଦାଲତର ଦ୍ୱାରସ୍ଥ ହେବା ମାତ୍ରେ ଭୟରେ ମିଛ ମାମଲାରେ ଗିରଫ କରି ଜେଲ୍ ପଠାଇଦେଇଥିବା ଅଭିଯୋଗ ହୋଇଆସୁଛି। ସିସିଟିଭି ଫୁଟେଜ ଓ ଆରଟିଆଇ ତଥ୍ୟ ଏହାର ପ୍ରମାଣ ଦେଉଛି ବୋଲି କହି ନ୍ୟାୟ ପାଇବାକୁ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ପୀଡ଼ିତା। ଉମାଶଙ୍କର ଦାସ ଓ ଅନ୍ୟ ୭ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ୨୪ ଘଣ୍ଟା ଭିତରେ ଏତଲା ରୁଜୁ କରିବାକୁ ମଞ୍ଚେଶ୍ୱର ପୁଲିସକୁ ନିର୍ଦେଶ ଦେଇଥିଲେ ଜେଏମଏଫସି-୨ କୋର୍ଟ। ଅକ୍ଟୋବର ୯, ୨୦୨୪ରେ ଅଦାଲତ ଯେଉଁ ଅନ୍ୟ ଅଧିକାରୀଙ୍କ ନାଁରେ ଏତଲା ପଞ୍ଜୀକରଣ କରିବାକୁ କହିଥିଲେ, ସେମାନଙ୍କ ଭିତରେ ଅଛନ୍ତି ତରୁଣ ଦାସ, ପ୍ରକାଶ ପାଲ, ସଞ୍ଜୀବ ଶତପଥୀ, ସମିତା ମିଶ୍ର ପ୍ରମୁଖ। ହେଲେ ୨ ମାସ ପରେ ବି ଏହାକୁ ଅନୁପାଳନ କରାଗଲାନି। କୋର୍ଟ ବାରମ୍ୱାର ରିମାଇଣ୍ଡର, କାରଣଦର୍ଶାଅ ନୋଟିସ, ବ୍ୟକ୍ତିଗତ ହାଜିରା ନେଇ ନିର୍ଦେଶ ଦେଇଥିଲେ ସୁଦ୍ଧା ଏତଲା ପଞ୍ଜୀକରଣ ହୋଇପାରିଲାନି। କେବଳ ଏତିକି ନୁହେଁ। ମହାମହିମ ରାଷ୍ଟ୍ରପତିଙ୍କ ଅଫିସରୁ ବି ମୁଖ୍ୟ ଶାସନ ସଚିବଙ୍କୁ ୫ଟି ଇମେଲ୍ ଆସିଲାଣି ଏ ସନ୍ଦର୍ଭରେ। ମୁଖ୍ୟ ସଚିବ ଏଥିରେ ହସ୍ତକ୍ଷେପ କରି ଏତଲା ପଞ୍ଜୀକରଣକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଥିଲା। କିନ୍ତୁ କୌଣସି ଆକ୍ସନ ନାହିଁ। ଗୃହ ସଚିବ ବି ଭୁବନେଶ୍ୱର ଡିସିପିଙ୍କୁ ଏ ବାବଦରେ ଦୁଇଟି ଚିଠି କଲେଣି। କିନ୍ତୁ ଫଳ ଶୂନ୍। ଏହାରି ଭିତରେ ନ୍ୟାୟ ଲାଗି ସଂଘର୍ଷ ଜାରି ରଖିଥିବା ପୀଡ଼ିତା ବି ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ଗୁହାରି କରିସାରିଲେଣି। କିନ୍ତୁ କିଛି ହେଉନି।
ଅଦାଲତଙ୍କ ନିର୍ଦେଶର ଅନୁପାଳନ ହେଉନି କାହିଁକି। କାହିଁକି ଆଇପିଏସ ଉମାଶଙ୍କର ଦାସ ଓ ଅନ୍ୟ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ଏତଲା ପଞ୍ଜୀକରଣ କରାଯାଉନି। ଏବେ ଉମାଶଙ୍କର କମିଶନରେଟ ପୁଲିସର ଅତିରିକ୍ତ ସିପି। ଡିସିପି ଥିଲା ବେଳେ ନିଜ ପଦ ଓ କ୍ଷମତାର ଦୁରୁପଯୋଗ କରିଥିବା ଅଭିଯୋଗ ଥିଲା। ଆଉ ଏବେ ତ ପଦୋନ୍ନତି ପାଇ ଅତିରିକ୍ତ ସିପି ପାହ୍ୟାରେ ଉମାଶଙ୍କର। ତା ହେଲେ କେମିତି କମିଶନରେଟ ପୁଲିସ ତାଙ୍କ ଉପରେ ଆକ୍ସନ ନେବ। ସେଥିଲାଗି ତ ଏ ମାମଲା କ୍ରାଇମବ୍ରାଞ୍ଚକୁ ନ ଦେଲା ଯାଏ ନିରପେକ୍ଷ ନ୍ୟାୟ ମିଳିବାର ଆଶା କ୍ଷୀଣ ଲାଗୁଛି। ଶାସକ ଦଳ କହିଛି, ଅଦାଲତଙ୍କ ନିର୍ଦେଶର ଅନୁପାଳନ ହେବା ଉଚିତ୍। ଯେତେ ପ୍ରଭାବଶାଳୀ ହେଲେ ବି ମୋହନ ସରକାର ଅମଳରେ କାହାକୁ ବରଦାସ୍ତ କରାଯିବନି।
ଏମିତି କୌଣସି ଫୋରମ ନାହିଁ, ଯେଉଁଠି ନିଶାରାଣୀ ଓ ପ୍ରଜ୍ଞାପ୍ରକାଶ ଫେରାଦ୍ ହୋଇନାହାନ୍ତି। କିନ୍ତୁ ନ୍ୟାୟାଳୟଙ୍କ ନିର୍ଦେଶକୁ ଯେଉଁଠି କାର୍ଯ୍ୟକାରୀ କରାଯାଉନି। ସେଠାରେ ଶେଷ ରାହା ହେଉଛନ୍ତି ସରକାର। ଦେଖିବାର କଥା, ଏଭଳି ଅଫିସରଙ୍କ କାରନାମା ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା ବେଳେ ଏମାନଙ୍କୁ ସାବାଡ଼ କରିବାକୁ ସରକାର କି ପଦକ୍ଷେପ ନେଉଛନ୍ତି।
ରିପୋର୍ଟ-ପ୍ରଦୀପ ନାୟକ
Naxatra News is now on Whatsapp
Join and get latest news update delivered to you via whatsapp
Join Now