LUMEX RESOURCE FRAUDULENTS (ନିବେଶକଙ୍କୁ ଜାଲି ଦସ୍ତାବିଜ୍ ବଳରେ ଲୁଟ୍)

Spread the love

11/04/2023

()ନିବେଶ ଆସିବ। ଓଡ଼ିଶା ସମୃଦ୍ଧଶାଳୀ ହେବ। ଏ ଦିଗରେ ମୁଖ୍ୟମନ୍ତ୍ରୀ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ହେଲେ ଓଡ଼ିଶାରେ ନିବେଶକ ସୁରକ୍ଷିତ ତ। ଅନେକ ସଂସ୍ଥା ଯେଭଳି ଛତୁ ଫୁଟିଲା ଭଳି କମ୍ପାନୀ ଖୋଲି ନିବେଶକଙ୍କୁ ଜାଲି ଦସ୍ତାବିଜ୍ ବଳରେ ଲୁଟ୍ କରି ଚାଲିଛନ୍ତି। ଏହାକୁ ନେଇ ଅଭିଯୋଗ କଲେ ବି ବ୍ୟବସ୍ଥା ତ୍ୱରିତ ନ୍ୟାୟ ଦେବାରେ ବିଫଳ ହେଉଛି। ଲୁମେକ୍ସ ଲୁଟ୍‌ର ଫର୍ଦ୍ଦ ଯେତେ ଖୋଲିଲେ ବି କିଛି ଏମିତି ଗନ୍ଧ ବାରି ହେଉଛି। ରାଜୀବ ଦାସଙ୍କ କାରନାମାକୁ ନେଇ ମାମଲା କମିଶନରେଟ ପୁଲିସ, ଇଓଡବ୍ଲୁରେ ସୀମିତ ରହିନି। ଆଗରୁ ସିବିଆଇ ବି ଚିଟଫଣ୍ଡ କେଳେଙ୍କାରୀରେ ଘଣ୍ଟାଚକଟା କରିସାରିଛି।

ସବୁ ନକଲି। ଠିକଣା ମିଳୁନି। ଯେଉଁ ଠିକଣା କମ୍ପାନୀ ଖୋଲିଲା ବେଳକୁ ଦିଆଯାଇଥିଲା, ସେ ସବୁ ଭୁଲ୍। ଲୁମେକ୍ସ ସଂସ୍ଥାର ମାଷ୍ଟରମାଇଣ୍ଡ ରାଜୀବ ଦାସଙ୍କ କାରସାଦିର ଚିଠା ଏତେ ଲମ୍ୱା ଯେ, ସରୁନି। ଲୁମେକ୍ସ ସଂସ୍ଥା ଖୋଲି ନିବେଶକଙ୍କୁ ଚୂନ ଲଗାଇଲା ବେଳଠୁ ହିଁ ସବୁ ଫ୍ରଡ୍ କାଗଜପତ୍ର ପ୍ରସ୍ତୁତ କରିସାରିଥିଲେ ରାଜୀବ। ଆଉ ଆରଓସିରେ ପଞ୍ଜୀକରଣ ବେଳେ ତ ଘର ଭଡ଼ା ଦେଇଥିବା ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ରଙ୍କ ଦସ୍ତଖତକୁ ବି ଜାଲି କରିବାକୁ ପଛାଇନଥିଲେ। ଯେଉଁ ସବୁ ସଂସ୍ଥା ସହ କାରବାର କରୁଥିବାର କହୁଥିଲେ, ସେମାନଙ୍କର ନଜରରେ ନେଣଦେଣ, ଚୁକ୍ତିକୁ ନେଇ ଦସ୍ତାବିଜ୍ ଦେଖାଇବା ପରେ ସବୁ ମାନିଲେଣି, ରାଜୀବ ଓ ଲୁମେକ୍ସ ଉଭୟ ଫ୍ରଡ୍। ଆଇନଗତ ଆକ୍ସନ ପାଇଁ ବି ପ୍ରସ୍ତୁତ ହେଲେଣି। ଜିଓକେମ୍, ଜିନ୍ଦଲରୁ ନେଇ ଆଦିତ୍ୟ ବିର୍ଲା ଯାଏ ବହୁ ବଡ଼ ବଡ଼ କମ୍ପାନୀ ସହ ରାଜୀବଙ୍କର ବ୍ୟବସାୟିକ ନେଣଦେଣର ମିଛ ଏବେ ପଦାରେ। ତେବେ ରାଜୀବ ଖୋଲିଥିବା କମ୍ପାନୀର ଗତିବିଧି ପରଖିବାକୁ ନିୟୋଜିତ କୋର୍ଟ ଅଫିସର ଦର୍ଶାଇଥିଲେ ଯେ, ଅନେକ କମ୍ପାନୀ ସହ ଲୁମେକ୍ସର ନେଣଦେଣ ସନ୍ଦେହଜନକ ଓ ସବୁ ଫ୍ରଡ୍। କୋର୍ଟ ଅଫିସର ଫରେନସିକ୍ ଅଡିଟ୍ କରି ସମ୍ଭାବ୍ୟ ଠକାମୀର ଶୀକାର ହୋଇଥିବା କମ୍ପାନୀ ଗୁଡ଼ିକ ଥିଲା, ଶ୍ରୀ ଅଟୋମୋଟିଭସ୍, ମାର୍କ ଇନଫ୍ରା ଓ ପିଜେ ଇଣ୍ଟରନାସନାଲ। ଆଉ ପିଜେ ମିନେରାଲ୍ସ ଇଣ୍ଟରନାସନାଲ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାର ଅଫିସ ଠିକଣା କହୁଛି, ବରମୁଣ୍ଡାର ହାଉସିଂବୋର୍ଡ କଲୋନୀର ଏଚଆଇଜି-୧୨। ଆମ ପ୍ରତିନିଧି ଗଲା ବେଳକୁ ଏଠି ସେମିତି କିଛି ଅଫିସ୍ ହିଁ ନାହିଁ। ଯେମିତି କାନନବିହାରରେ ଥିବା ରେଭାଟଜ ଗ୍ଲୋବାଲ୍ ଅଫିସ। ସେଠି ବି ଅଫିସ୍‌ର ଚିହ୍ନବର୍ଣ୍ଣ ନଥିଲା। ଇଏ ତ ଗଲା ରାଜୀବ ବିଛାଇଥିବା ଜାଲି ନେଟଓ୍ୱର୍କ ଓ ଜାଲିଆତିର ସାମ୍ରାଜ୍ୟ। ଏବେ ନଜର ପକାଇବା ରାଜୀବଙ୍କ ବିରୁଦ୍ଧରେ ମାମଲା କେବଳ କମିଶନରେଟ ପୁଲିସ ଓ ଇଓଡବ୍ଲୁରେ ଅଛି ନା ଆଉ କେଉଁଠି। ଏ ଦସ୍ତାବିଜ୍ ଉପରେ ନଜର ପକାନ୍ତୁ। ରାଜୀବ ଚିଟ୍‌ଫଣ୍ଡ କେଳେଙ୍କାରୀରେ ବି ଥିଲେ। ୨୦୧୭ର ମାମଲା। ସ୍ୱସ୍ତିକ ଇଣ୍ଡିଆ ମଲଟି ପରପୋଜ୍ ଚିଟଫଣ୍ଡ ମାମଲାରେ ସିବିଆଇ ରାଜୀବଙ୍କୁ ଜେରା ବି କରିଛି। ୪୧ (ଏ) ନୋଟିସ ଆଧାରରେ ଅଭିଯୁକ୍ତ ଦର୍ଶାଇ ତାଙ୍କଠୁ ନଥିପତ୍ର ଜବତ କରିଥିଲା ସିବିଆଇ। କେବଳ ଏତିକି ନୁହେଁ। ରାଜୀବ ଆୟକର ବିଭାଗର ସ୍କାନରରେ। ବଡ଼ କଥା ହେଲା, ରାଜୀବ ଏ ସଂକ୍ରାନ୍ତରେ ନକଲ ମାଗିବାରୁ ସିବିଆଇର ତଦନ୍ତକାରୀ ଅଧିକାରୀ ଦେବାକୁ ସଫା ସଫା ମନା କରିଦେଇଥିଲେ। ବିନା ଅଦାଲତଙ୍କ ନିର୍ଦେଶରେ ଏହାକୁ ଦେଇପାରିବିନି ବୋଲି ସ୍ପଷ୍ଟ କରିଦେଇଥିଲେ ତଦନ୍ତକାରୀ ଅଧିକାରୀ। ୨୦୨୦ରେ ରାଜୀବ ସତ୍ୟପାଠ ଜରିଆରେ ଏହା ଦର୍ଶାଇଥିଲେ।.. ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି। ଓଡ଼ିଶାକୁ ନିବେଶ ଆସୁ ବୋଲି ଅହରହ ଉଦ୍ୟମ ଜାରି ରଖିଛନ୍ତି। ନିବେଶ ଆସିଲେ ଓଡ଼ିଶା ସମୃଦ୍ଧଶାଳୀ ହେବ। କିନ୍ତୁ ଅନେକ ଜାଲି କମ୍ପାନୀ ବହୁ ବଡ଼ ବଡ଼ ସଂସ୍ଥା ସହ ବ୍ୟବସାୟିକ କାରବାର କରୁଥିବାର ମିଛ କହି, ଜାଲି ଦସ୍ତାବିଜ୍ ଦେଖାଇ ନିବେଶକଙ୍କୁ ଲୁଟ୍ ରେ ମାତିଛନ୍ତି। ଯଦି ଏମାନଙ୍କ ସ୍ୱାର୍ଥ ସୁରକ୍ଷିତ ହେବନି, ତେବେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭିଜନ ପ୍ରତି ଏଭଳି ଠକେଇ ବଡ଼ ପ୍ରତିବନ୍ଧକ ସାଜିବନି କି। ସେଥିଲାଗି ତ ବ୍ୟବସ୍ଥାକୁ ଗତିଶୀଳ କରିବା ଜରୁରୀ ହୋଇପଡ଼ିଛି। ସେଥିଲାଗି ତ ରାଜୀବଙ୍କ ସମ୍ପର୍କୀୟ କୁହାଯାଉଥିବା ଅତିରିକ୍ତ ସିପି ଉମାଶଙ୍କର ଦାସଙ୍କ ସମେତ ହାଇକୋର୍ଟଙ୍କ ନିର୍ଦେଶ ସତ୍ତ୍ୱେ ତଦନ୍ତରେ ଅବହେଳା କରିଥିବା ତଦନ୍ତକାରୀ ଅଧିକାରୀଙ୍କୁ ବଦଳି ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ତାରାପ୍ରସାଦ ବାହିନୀପତି। ଅଭିଯୁକ୍ତଙ୍କୁ ଗିରଫ ସହ ନିବେଶକଙ୍କୁ ନ୍ୟାୟ ଦେବାକୁ ଦାବି କରିଥିଲେ। ନିବେଶକଙ୍କ ସ୍ୱାର୍ଥ ସୁରକ୍ଷା ଦିଗରେ ତୃଣମୂଳସ୍ତରରୁ ତଦନ୍ତ ଏଜେନ୍ସି ସକ୍ରିୟ ହେବା ଜରୁରୀ। ଠକଙ୍କୁ ଗିରଫ କରିବା ତ ଦୂରର କଥା। ସେମାନଙ୍କ ସମ୍ପତ୍ତି ଜବତ କରିବା, ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବା ଭଳି ପଦକ୍ଷେପ ନିଆଯାଉନଥିବାରୁ ଅଭିଯୁକ୍ତ ବେଫିକର। ଆଉ ଅଭିଯୋଗକାରୀ ନିରାଶ। ଯାହାକି ବିଡ଼ମ୍ୱନା।

ବ୍ୟୁରୋ ରିପୋର୍ଟ ନକ୍ଷତ୍ର ନ୍ୟୁଜ୍

Leave a Reply

Your email address will not be published. Required fields are marked *