LUMEX RESOURCE EOW ACTION (ଠକଙ୍କୁ ଧରିବ ଇଓଡବ୍ଲୁ)

Spread the love

29/03/2023

() ଲୁମେକ୍ସ ଲୁଟ୍ ମାମଲାକୁ ଘାଣ୍ଟିବ ଇଓଡବ୍ଲୁ। ରାଜୀବ ଦାସ ଓ ସୋନିଆ ତ୍ରିପାଠୀଙ୍କ ସମେତ ୫ ଜଣଙ୍କ ଅଭଯୁକ୍ତଙ୍କ ନାଁରେ ଇଓଡବ୍ଲୁ ମାମଲା ରୁଜୁ କରିଛି। ସବୁ ଦିଗକୁ ତଦନ୍ତ ହେବ। ତଦନ୍ତକୁ ନିଜେ ଅନୁଧ୍ୟାନ କରିବେ ଅରୁଣ ବୋଥ୍ରା। ମୁଖ୍ୟମନ୍ତ୍ରୀଙ୍କୁ ବି ଏ ସନ୍ଦର୍ଭରେ ଚିଠି ଲେଖିଛନ୍ତି ବାହିନୀପତି। ଆଉ ଫାଇଭ-ଟି ଉପକ୍ରମ ଆଧାରରେ ତଦନ୍ତରେ ସ୍ୱଛତା ବଜାୟ ରଖିବାକୁ ଆରମ୍ଭ ହୋଇଛି ପଦକ୍ଷେପ।

ଲୁମେକ୍ସ ମହାଠକେଇ ମାମଲାରେ ଦୁର୍ନୀତି ଓ ଜାତିଆତିର ଚେର ବେଶ୍ ଗଭୀର। ଏଭଳି ଠକେଇକୁ ନେଇ ଓଡ଼ିଶା ଉଠୁଛି ପଡ଼ୁଛି। କାରଣ କମିଶନରେଟ ପୁଲିସର ପାରିଲାପଣିଆ ପଦାରେ ପଡ଼ିବା ଆଉ ବିଧାନସଭାରେ ତୁମ୍ୱିତୋଫାନ ପରେ ଇଓଡବ୍ଲୁ ଏହି ମାମଲାକୁ ହାତକୁ ନେବା ପରେ ଏହାର ଗୁରୁତ୍ୱ ଅଧିକ ବଢ଼ିଯାଇଛି। କୋଟି କୋଟି ଟଙ୍କାର ଠକେଇ ଅଭିଯୁକ୍ତଙ୍କ ଦେହରେ କାହିଁକି କମିଶନରେଟ ପୁଲିସ ହାତ ମାରିପାରୁନି, ତାକୁ ନେଇ ଗୋଟିଏ ପଟେ ସନ୍ଦେହର ବଳୟ ଛିଡ଼ା ହୋଇଛି। ତ ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଏହି ମାମଲାକୁ ଇଓଡବ୍ଲୁକୁ ତଦନ୍ତ ଲାଗି ଦେଇଛନ୍ତି। ଅଭିଯୋଗପତ୍ରରୁ ଜଣାପଡ଼ିଛି, ସିଙ୍ଗାପୁରରେ ବ୍ଲେସବକ୍ ଇଣ୍ଟରନାସନାଲ କମ୍ପାନୀ ସେମାନଙ୍କର ଅଛି କହି ଅଭିଯୁକ୍ତମାନେ ନିଶାରାଣୀ ଓ ତାଙ୍କ ସ୍ୱାମୀ ପ୍ରଜ୍ଞାପ୍ରକାଶ ନାୟକଙ୍କୁ ଭୁଆଁ ବୁଲାଇଥିଲେ। ଏ କମ୍ପାନୀରେ ସେମାନେ ନିର୍ଦେଶକ ଅଛନ୍ତି ବୋଲି କହି ବିଭିନ୍ନ ଜାଲି ଦସ୍ତାବିଜ୍ ଦେଖାଇଥିଲେ। ସିଙ୍ଗାପୁରରେ ଥିବା ଏହି କମ୍ପାନୀ ସେମାନଙ୍କର ସମସ୍ତ ଆନ୍ତର୍ଜାତୀୟ ବେପାରର ବୁଝାସୁଝା କରୁଛି ବୋଲି ବିଶ୍ୱାସ ଜନ୍ମାଇ ଆରମ୍ଭ କରିଥିଲେ କାରସାଦି। ଆଉ ନିଶାରାଣୀ ଓ ପ୍ରଜ୍ଞାଙ୍କଠୁ ଟଙ୍କା ନେଇଥିଲେ। ଡିଏଲଏଫ ସାଇବର ସିଟିରେ ଯେଉଁ ଘର ଲୁମେକ୍ସ କମ୍ପାନୀ ନାଁରେ ଭଡ଼ା ସୂତ୍ରରେ ନେଇଥିଲେ, ସେ ଘର ଥିଲା ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ରଙ୍କର। ଲୋପାମୁଦ୍ରାଙ୍କୁ ବି ଛାଡ଼ିନାହାନ୍ତି ଅଭିଯୁକ୍ତ। କୁଆଡ଼େ ଲୋପାମୁଦ୍ରାଙ୍କର ଦସ୍ତଖତକୁ ଜାଲି କରି ଆରଓସିରେ କମ୍ପାନୀ ପଞ୍ଜୀକରଣ କରିବାକୁ ସକ୍ଷମ ହୋଇଥିଲେ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ଅଭିଯୁକ୍ତ ରାଜୀବ ଦାସ, ସୋନିଆ ତ୍ରିପାଠୀ, ଉଷାରାଣୀ ପାଣିଗ୍ରାହୀ, ହିମାଂଶୁ ପାଣିଗ୍ରାହୀ ଓ ବିମଳ ପାଢ଼ୀଙ୍କ ଉପରେ ଆଇନଗତ ଆକ୍ସନ ଓ ସେମାନଙ୍କଠୁ ଟଙ୍କା ଫେରସ୍ତ ନେଇ ଦୀର୍ଘ ଦିନ ହେଲା ଧାଉଁଛନ୍ତି ନିଶାରାଣୀ ଓ ପ୍ରଜ୍ଞା। ହେଲେ କୋର୍ଟଙ୍କ ନିର୍ଦେଶ ପରେ ବି କମିଶନରେଟ ପୁଲିସର ଶୀଥିଳତା ଓ ତଦନ୍ତରେ ଅହେତୁକ ବିଳମ୍ୱ ସାଙ୍ଗକୁ କେବଳ ଅଭିଯୋଗକାରୀଙ୍କ ଚାରିପଟେ ତଦନ୍ତ ବୁଲୁଛି ବୋଲି ସନ୍ଦେହ ହେଉଥିଲା। ଏହାକୁ ନେଇ ବିଧାନସଭାରେ ସରକାରଙ୍କଠୁ ଉତ୍ତର ଲୋଡ଼ିଥିଲେ ବିରୋଧୀ। ଠକକୁ ଗିରଫ ଓ ନିବେଶକାରୀକୁ ନ୍ୟାୟ ଦେବା ସକାଶେ ଅନବରତ ପ୍ରୟାସ କରି ବିଧାନସଭାରେ ସ୍ୱର ଉଠାଇଥିଲେ ବାହିନୀପତି। ବାହିନୀପତିଙ୍କୁ ସମର୍ଥନ କରି ବିଜେପି ବି ସମସ୍ୱରରେ ଜବାବ ମାଗିଥିଲା ସରକାରଙ୍କୁ। ଆଉ କମିଶନରେଟ ପୁଲିସ ଏଭଳି ମାମଲାରେ ଅପରାଧିକ ଦିଗକୁ ଉନ୍ମୋଚନ କରିବାରେ ବିଳମ୍ୱ କରୁଥିବା କଥା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବି ହୃଦବୋଧ କରିଛି। ସେଥିଲାଗି ତ ମାମଲା ଏବେ ଇଓଡବ୍ଲୁ ହାତକୁ ନେବା ପରେ ତଦନ୍ତ ତ୍ୱରିତ ହେବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ବି ଲେଖିଛନ୍ତି ବାହିନୀପତି।

ସେପଟେ ଇଓଡବ୍ଲୁ ମାମଲା ହାତକୁ ନେବା ପରେ ତଦନ୍ତ ତ୍ୱରିତ ହେବ ବୋଲି ଆଶା ରହିଛି। ଅଭିଯୁକ୍ତଙ୍କ ସମ୍ପର୍କୀୟ ଅତିରିକ୍ତ ସିପି ଉମାଶଙ୍କର ଦାସ ହୋଇଥିବା ହେତୁ ତଦନ୍ତ ଆଗଉନି କହି ଅଭିଯୋଗକାରିଣୀ ମୁଖ୍ୟମନ୍ତ୍ରୀ, ଫାଇଭ-ଟି ସଚିବ, ଗୃହ ସଚିବ ଓ ଡିଜିଙ୍କୁ ଚିଠି ଲେଖିଥିଲେ। ଆଉ ତଦନ୍ତରେ ସ୍ୱଛତା ବଜାୟ ରଖିବା ସହ ତ୍ୱରିତ ନ୍ୟାୟ ଦେବାକୁ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଫାଇଭ-ଟି ସଚିବ ଓ ଏଡିଜି କ୍ରାଇମବ୍ରାଞ୍ଚ ଅରୁଣ ବୋଥ୍ରା ଉଦ୍ୟମ ଆରମ୍ଭ କରିସାରିଛନ୍ତି। ଅରୁଣ ବୋଥ୍ରାଙ୍କ ଭଳି ଦକ୍ଷ ଅଫିସର ବି ଏହି ମାମଲାରେ ତଦନ୍ତରୁ ସବୁ ଦିଗକୁ ନିଜେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି।  ଏଣିକି ନ୍ୟାୟ ଲାଗି ନିଶାରାଣୀ ଓ ପ୍ରଜ୍ଞାଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବନି ବୋଲି ସବୁଠି ଚର୍ଚ୍ଚା।

ଦେଖିବାର କଥା, ଅଭିଯୁକ୍ତ କେବେ ବନ୍ଧା ହେବେ। ଏତେ ବଡ଼ ଧରଣର ଆର୍ଥିକ ନେଣଦେଣର ସବୁ ପ୍ରମାଣ ହାତା ପାହାନ୍ତାରେ। ଦୁର୍ନୀତିର ଚେରକୁ ଧରିବ ଇଓଡବ୍ଲୁ।

ବ୍ୟୁରୋ ରିପୋର୍ଟ ନକ୍ଷତ୍ର ନ୍ୟୁଜ

Leave a Reply

Your email address will not be published. Required fields are marked *