୫ ବର୍ଷର ଶିଶୁକୁ ଦୁଷ୍କର୍ମ କରି ହତ୍ୟା

ଭୋପାଳରୁ ଆସିଛି ଛାତିଥରା ଘଟଣା। ୩ ଦିନ ଧରି ନିଖୋଜ ଥିବା ୫ ବର୍ଷର  କୋମଳମତି ଶିଶୁକୁ ଆଗ ଝୁଣି ଖାଇଲା ନରପିଶାଚ। ଆଉ ତା ପରେ ଜୀବନରୁ ମାରିଦେଲା। ଶବକୁ ଫ୍ଲାଟର ପାଣିଟାଙ୍କିରେ ଲୁଚାଇ ରଖିଥିଲା। ହତ୍ୟାକାରୀ ଆଉ କେହି ନୁହେଁ, ମୃତକଙ୍କ ପଡ଼ୋଶୀ। ଶାହାଜହାଁନବାଦ ଥାନା ଅନ୍ତର୍ଗତ ଇଦଗାହା ହିଲ୍ସ ମଲ୍ଟିରେ ରହୁଥିବା ୫ ବର୍ଷୀୟା ଶିଶୁଟି ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ପଢ଼ୁଥିଲା। ଶିଶୁଟିର ମାଆ ଓ ବାପା କାମକୁ ଯାଇଥିଲେ। ମଙ୍ଗଳବାର ଦ୍ୱିପ୍ରହରରୁ ଶିଶୁଟି ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ନ ମିଳିବାରୁ ଥାନାରେ ଏତଲା ଦେଇଥିଲେ ବାପା ମାଆ। ପୁଲିସ ମଙ୍ଗଳବାରରୁ ତଲାସି ଅଭିଯାନ ଜାରି ରଖିଥିଲା। କିନ୍ତୁ କୌଣସି ଟେର୍ ପାଇପାରିନଥିଲା। ଏହା ପରେ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଯାଞ୍ଚରୁ ଜଣାପଡ଼ିଥିଲା, ପିଲାଟି ଘର ପରିସର ବାହାରକୁ ହିଁ ଯାଇନି। ଏହା ପରେ ପୁଲିସ ମଲ୍ଟିର ସମସ୍ତ ଫ୍ଲାଟ୍ ତନ୍ନ ତନ୍ନ କରି ଛାନଭିନ୍ କରିଥିଲା। ପିଲାଟିର ଘର ସାମ୍ନାରେ ଥିବା ଫ୍ଲାଟରୁ ଦୁର୍ଗନ୍ଧ ଆସୁଥିଲା। ତଦନ୍ତ ପରେ ପିଲାଟିର ଶବ ପାଣି ଟାଙ୍କିରୁ ମିଳିଥିଲା। କିଏ ଓ କାହିଁକି ହତ୍ୟା କଲା, ତାକୁ ନେଇ ପୁଲିସ ହରଡ଼ଘଣାରେ ପଡ଼ିଯାଇଥିଲା। କାରଣ ହତ୍ୟାକାରୀ ଯୁବକ ଏତଲା ହେବା ଦିନଠୁ ପୁଲିସ ସହ ବୁଲୁଥିଲା। ପୁଲିସ ସାଙ୍ଗରେ ରହି ପିଲାଟିକୁ ଖୋଜିବାର ବାହାନା କରୁଥିଲା। ଅଭିଯୁକ୍ତ ୩୨ ବର୍ଷୀୟ ଅତୁଲ ମହାଲେ। ଏହି ନାରକୀୟ କାଣ୍ଡରେ ଅତୁଲର ମାଆ ବସନ୍ତୀ ଓ ବଡ଼ ଉଭଣୀ ଚଞ୍ଚଳ ବି ସାମିଲ୍ ଥିବା ଜାଣିବା ପରେ ଉଭୟଙ୍କୁ ବାନ୍ଧିଛି ପୁଲିସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *