ଦୀର୍ଘ ୧୭ ବର୍ଷ ପରେ ଆସିଲା ବହୁଚର୍ଚ୍ଚିତ ମାଲେଗାଁ ବିସ୍ଫୋରକ ମାମଲା। ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ସମେତ ସମସ୍ତ ୭ ଅଭିଯୁକ୍ତଙ୍କୁ କ୍ଲିନଚିଟ ଦେଇଛନ୍ତି ଏନଆଇଏ ଅଦାଲତ। ଏନଆଇଏର ସ୍ପେଶିଆଲ କୋର୍ଟ ସମସ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ବିଜେପିର ପୂର୍ବତନ ସାଂସଦ ସାଧ୍ୱୀ ପ୍ରଜ୍ଞା, ଲେଫ୍ଟାନାଣ୍ଟ କର୍ଣ୍ଣଲ ଶ୍ରୀକାନ୍ତ ପୁରୋହିତଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ବେନିଫିଟ ଅଫ ଡାଉଟରେ ଦୋଷମୁକ୍ତ କରିଛନ୍ତି। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିଲେ- ଅବସରପ୍ରାପ୍ତ ମେଜର ରମେଶ ଉପାଧ୍ୟାୟ, ଅଜୟ ରାହିରକର, ସୁଧାକର ଦ୍ୱିବେଦୀ, ସୁଧାକର ଚତୁର୍ବେଦୀ ଓ ସମୀର କୁଲକର୍ଣ୍ଣି। କଶ୍ମୀରରୁ ଆରଡିଏକ୍ସ ଆଣିବା ଓ କର୍ଣ୍ଣେଲ ପୁରୋହିତଙ୍କ ଘରେ ରଖିବା ନେଇ କୌଣସି ପ୍ରମାଣ ନାହିଁ। ତଦନ୍ତକାରୀ ଏଜେନ୍ସି କିଛି ପ୍ରମାଣ କରିପାରିଲାନି। ଅଭିଯୁକ୍ତଙ୍କ ଉପରେ ଲାଗିଥିବା ଦେଶଦ୍ରୋହ, ଆର୍ମସ ଆକ୍ଟ ଓ ଅନ୍ୟ ଧାରାରେ ରୁଜୁ ଗୋଟିଏ ବି ଆରୋପକୁ ପ୍ରମାଣିତ କରାଯାଇପାରିଲାନି। ଅଭିଯୁକ୍ତଙ୍କ ସ୍ୱରର ଯେଉଁ ରେକର୍ଡିଂ ଦାଖଲ ହୋଇଛି, ତାହା ସନ୍ଦେହଜନକ। ଫରେନସିକ୍ ପ୍ରମାଣ ବି କଣ୍ଟାମିନେଟେଡ୍ ଥିଲା। ବାଇକରେ ବମ୍ ରଖିବାର କୌଣସି ପ୍ରମାଣ ମିଳିଲାନି। ବାଇକ କିଏ ପାର୍କିଂ କରିଥିଲା, ତାହାର ପ୍ରମାଣ ତଦନ୍ତକାରୀ ଏଜେନ୍ସି ଦେଇପାରିଲାନି। କର୍ଣ୍ଣଲ ପୁରୋହିତଙ୍କ ବିରୁଦ୍ଧରେ କେହି ସାକ୍ଷୀ ଦେଲେନି। ଆତଙ୍କବାଦର କୌଣସି ରଙ୍ଗ ନଥାଏ। ୨୦୦୮ରେ ମାଲେଗାଁଓ ବ୍ଲାଷ୍ଟ ମାମଲାରେ କୋର୍ଟ କହିଛନ୍ତି, ଏହା ଦୁର୍ଭାଗ୍ୟଜନକ। ଏଥିରେ ପୀଡ଼ିତଙ୍କ କ୍ଷତି ଭରଣା କରିହେବନି। କିନ୍ତୁ ସମସ୍ତ ପୀଡ଼ିତ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ। କୋର୍ଟ ନିଜ ରାୟରେ କହିଛନ୍ତି, ଅଭିଯୁକ୍ତଙ୍କ ବିରୁଦ୍ଧରେ ଲଗାଯାଇଥିବା ଦେଶଦ୍ରୋହ ମାମଲା ଭୁଲ୍ ଥିଲା। ଅଧିକାଂଶଙ୍କ ମିଛ ଆହତ ରିପୋର୍ଟ କରାଯାଇଥିଲା। ନିର୍ଦୋଷ ସାବ୍ୟସ୍ତ ପରେ ସାଧ୍ୱୀ ପ୍ରଜ୍ଞା କାନ୍ଦି ପକାଇଛନ୍ତି। ଏହା ସହ କହିଛନ୍ତି, ଏହା ଗେରୁଆର ଜିତ୍। ତାଙ୍କ ଜୀବନକୁ ବରବାଦ କରିଦିଆଯାଇଥିଲା। ସେ ଏକ ସାଧୁର ଜୀବନ ଜୀଉଁଥିଲେ। କିନ୍ତୁ ଆରୋପ ଆସିବା ପରେ କେହି ତାଙ୍କ ସହ ଦେଲେନି। ସେ ସନ୍ୟାସୀ ହେତୁ ଜୀବିତ ଅଛନ୍ତି। ମୁମ୍ୱାଇରୁ ପ୍ରାୟ ୨ଶହ କିଲୋମିଟର ଦୂର ମାଲେଗାଁଓ ଟାଉନରେ ରମଜାନ ମାସରେ ହୋଇଥିବା ବିସ୍ଫୋରଣରେ ୬ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଶହେରୁ ଅଧିକ ଆହତ ହୋଇଥିଲେ। ମସଜିଦ ଆଗରେ ଥିବା ଏକ ମୋଟରସାଇକେଲ ଉପରେ ରଖାଯାଇଥିଲା ବିସ୍ଫୋରକ। ଏହି ମାମଲାର ଯାଞ୍ଚ ଆଗ ଏଟିଏସ ବା ଆଣ୍ଟି ଟେରୋରିଷ୍ଟ ସ୍କ୍ୱାର୍ଡକୁ ଦିଆଯାଇଥିଲା। ପରେ ଏହାକୁ ଏନଆଇଏକୁ ତଦନ୍ତ ଦାୟିତ୍ୱ ଦେଇଥିଲେ ସରକାର। ଏଟିଏସ ଆରୋପ ଲଗାଇଥିଲା ଯେ, କର୍ଣ୍ଣେଲ ଠାକୁର ଗାଡ଼ି ଯୋଗାଇଥିଲେ। ଯେଉଁ ଗାଡ଼ି ବିସ୍ଫୋରଣରେ ବ୍ୟବହାର ହୋଇଥିଲା। ଏ ଗାଡ଼ି ଠାକୁରଙ୍କ ନାଁରେ ରେଜିଷ୍ଟର ଥିଲା। ବିସ୍ଫୋରଣ ପୂର୍ବରୁ ଏହାର ଷଡ଼ଯନ୍ତ୍ର ଭୋପାଳ, ଇନ୍ଦୋର ସମେତ କିଛି ସହରରେ ବସିଥିବା ବୈଠକରେ ସ୍ଥିର ହୋଇଥିଲା। ବିସ୍ଫୋରଣ ପର ଦିନଠୁ ନବରାତ୍ରୀ ଆରମ୍ଭ ହେଉଥିଲା। ଏହି ବିସ୍ଫୋରଣ ମାମଲାରେ ପୁଲିସ, ଏଟିଏସ ଓ ଏନଆଇଏ କରୁଥିଲା। ୨୦୧୮ରେ ଆରମ୍ଭ ମକଦ୍ଦମା ଏପ୍ରିଲ ୧୯, ୨୦୨୫ରେ ସରିଥିଲା। ଅଦାଲତ ଏହାର ଶୁଣାଣୀ କରି ରାୟ ସଂରକ୍ଷିତ ରଖିଥିଲେ। ରାୟ ଆସିବା ପରେ ହନୁମାନଗଡ଼ି ମନ୍ଦିରରେ ସେଲିବ୍ରେସନ ହୋଇଛି। ଜୟଶ୍ରୀ ରାମ ନାରା ଦେଇ ଶ୍ରଦ୍ଧାଳୁ ଓ ସନ୍ଥଙ୍କୁ ଲଡ଼ୁ ବଣ୍ଟନ ହୋଇଥିଲା। ଅମରାବତୀର ଭକ୍ତିଧାମ ରାମ ଦରବାରରେ ବି ମିଠା ବଣ୍ଟନ ହୋଇଛି। ମାଲେଗାଁଓ ବ୍ଲାଷ୍ଟରେ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ ପରେ ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି ବି ଦେଖିବାକୁ ମିଳିଛି। ବିଜେପି ବିଧାୟକ ରାମ କଦମ କହିଛନ୍ତି, ଏହି ରାୟ କଂଗ୍ରେସର କ୍ରୁର ଶାସନକୁ ଚାପୁଡ଼ା। ସତକୁ ଚାପିବାକୁ ଉଦ୍ୟମ ହୋଇପାରେ। କିନ୍ତୁ ସତକୁ ପରାଜିତ କରିହେବନି। ଜାଣିଶୁଣି ସନାତନ ଧର୍ମକୁ କଳୁଷିତ କରିବାକୁ ଅପପ୍ରୟାସ ହୋଇଥିଲା। ଆରଏସଏସର ନେତା ଓ ହିନ୍ଦୁ ସଂଗଠନର ସଦସ୍ୟଙ୍କୁ ଫସାଇବାକୁ ଷଡ଼ଯନ୍ତ୍ର ହୋଇଥିଲା। ସତର ବିଜୟ ହୋଇଛି। ଏଆଇଏମଆଇଏମ ସାଂସଦ ଅସାଦୁଦ୍ଦିନ ଓଓ୍ୱେସି କହିଛନ୍ତି, ଏଭଳି ରାୟ ଦୁର୍ଭାଗ୍ୟଜନକ। ଧର୍ମକୁ ଦେଖି ଟାର୍ଗେଟ କରାଯାଇଥିଲା। ଅଭିଯୁକ୍ତଙ୍କୁ ଏଭଳି ନିର୍ଦୋଷ ସଜାଇବା ପଛରେ ଦୁର୍ବଳ ତଦନ୍ତ ଦାୟୀ। ମହାରାଷ୍ଟ୍ର ସରକାର ଏହା ବିରୁଦ୍ଧରେ ଉପରକୋର୍ଟରେ ଅପିଲ୍ କରିବେ କି। ଦିଗବିଜୟ ସିଂ କହିଛନ୍ତି, ଅନେକ ଧର୍ମକୁ ଅସ୍ତ୍ର ଭାବେ ବ୍ୟବହାର କରି ହୀନ ରାଜନୀତିର ଖେଳ ଖେଳନ୍ତି। ଆତଙ୍କବାଦୀଙ୍କର କୌଣସି ଧର୍ମ ନଥାଏ। ଏହି ରାୟକୁ ଚ୍ୟାଲେଞ୍ଜ କରି ଅପିଲ୍ ହେବ ବୋଲି କହିଛନ୍ତି କମଲନାଥ। ଯିଏ ଦୋଷୀ, ସେମାନଙ୍କୁ ଦଣ୍ଡ ମିଳିବା ଦରକାର। ଟାରିଫ ମାଡ଼ ନ୍ୟୁଜକୁ ଚାପିବାକୁ ଏହି ରାୟ ନୂଆ ନ୍ୟୁଜ୍ ନୁହେଁ ତ ବୋଲି ପଚାରିଛନ୍ତି ଅଖିଳେଶ ଯାଦବ। ରାଜ୍ୟସଭାରେ ଅମିତ ଶାହା ବି କହିଥିଲେ, ହିନ୍ଦୁ କଦାପି ଆତଙ୍କବାଦୀ ହୋଇପାରିବେନି। ମାଲେଗାଁଓ ବିସ୍ଫୋରଣ ମାମଲାର ରାୟ ୧୭ ବର୍ଷ ପରେ ଆସିଲା। ପ୍ରମାଣ ଅଭାବରୁ ଖସିଗଲେ ସମସ୍ତ ଅଭିଯୁକ୍ତ। ଯାହାକୁ ନେଇ ରାଜନୀତି ଘମାସାନ ହୋଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now