ମନ୍ଦିର ଦାନ ଅର୍ଥରେ ଅସୁଲି। ମୁଜାଫରନଗର ପୁଲିସର ଏଭଳି ହୀନ କାମ ପଦାକୁ ଆସିଛି। ମନ୍ଦିର ପୂଜକଙ୍କ ଉପରେ ଚାପ ପକାଇ ମନ୍ଦିର ଦାନ ଅର୍ଥକୁ ପୁଲିସ କେମିତି ଅସୁଲି କରୁଥିଲା, ତାହାର ଗୁମର ଫିଟିଛି। ୩ ମାସ ହେଲା ଏମିତି କରିଆସୁଥିଲେ ପୁଲିସ। ଏଥିରେ ଅତିଷ୍ଠ ହୋଇ ପୂଜକ ଯେତେବେଳେ ବିରୋଧ କଲେ, ତାଙ୍କୁ ମାଡ଼ ମାରିବାକୁ ପଛେଇନଥିଲେ ପୁଲିସ କର୍ମୀ। ମିଛ ମାମଲାରେ ଫସାଇ ଜେଲରେ ଠୁଙ୍କିଦେବେ ବୋଲି ଭୟଭୀତ କରାଇଥିଲେ। ଶାହାପୁର ଥାନାଅଧିକାରୀଙ୍କ ସମେତ ଅନେକଙ୍କ ବିରୁଦ୍ଧରେ ଏଭଳି ମାମଲାରେ ଆକ୍ସନ ହୋଇଛି। ଥାନା ଅଧିକାରୀ ଦୀପକ ଚୌଧୁରୀ ମନ୍ଦିର ଦାନ ଅର୍ଥରୁ ୩୧ ହଜାର, ଫାଣ୍ଡି ଅଧିକାରୀ ଗଜେନ୍ଦ୍ର ଚୌଧୁରୀ ୨୧ ହଜାର, ଘରେ ଏସି ଲଗାଇବାକୁ କନଷ୍ଟେବଳ ରିତିକ୍ ୩୧ ହଜାର, ମଦ ସହ ବ୍ୟାଟେରୀ ଇନଭର୍ଟର ପାଇଁ କନଷ୍ଟେବଳ ଉମେଶ ୨୦ହଜାର ଅସୁଲି କରିଛନ୍ତି। ହରସୋଲି ଗାଁରେ ଥିବା ଶିବମନ୍ଦିରପୂଜକ ସୁଖରାମ ଏଭଳି ଅତ୍ୟାଚାରରେ ଅତିଷ୍ଠ ହୋଇ ଶେଷରେ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ। ପୁଲିସ କର୍ମୀଙ୍କ ଏଭଳି ଚାନ୍ଦା ଆଦାୟରୁ ଶେଷରେ ପୂଜକ ମନ୍ଦିରରେ ତାଲା ଲଗାଇଦେଇଥିଲେ। ଅଭିଯୋଗ ପରେ ଫାଣ୍ଡି ଇନଚାର୍ଜଙ୍କୁ ବଦଳି ସହ ଜଣେ କନଷ୍ଟେବଳଙ୍କୁ ସସପେଣ୍ଡ୍ କରିଦିଆଯାଇଛି। ମନ୍ଦିରରେ ଲାଗିଥିବା ସିସିଟିଭିରେ ଏ ଘଟଣାର ରେକର୍ଡିଂ ଥିଲା। କିନ୍ତୁ ପୁଲିସ କର୍ମୀ ଧରାପଡ଼ିବା ଭୟରେ ଏହାର ଡିବିଆର ଉଠାଇନେଇଥିଲେ। ତାକୁ ବି ଫେରାଇଲେନି। ଏହାକୁ ନେଇ ନାଥ ସମ୍ପ୍ରଦାୟର ଲୋକେ ସନ୍ଥସମାଜ ସମର୍ଥନରେ ଦୋଷୀ ପୁଲିସ କର୍ମୀଙ୍କ ବିରୁଦ୍ଧରେ ଆକ୍ସନ ଲାଗି ଆନ୍ଦୋଳନ କରିଥିଲେ। ଏ ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଚାନ୍ଦା ଲାଗି ପୁଲିସ କେତେ ତଳକୁ ଖସିପାରେ। ମନ୍ଦିର ଦାନ ବାକ୍ସରୁ ଦେଢ଼ ଲକ୍ଷ ଟଙ୍କା ନେଇଗଲା। ଯାହାକି ବିଡ଼ମ୍ୱନା।

Naxatra News is now on Whatsapp
Join and get latest news update delivered to you via whatsapp
Join Now