ଦମ୍ପତିଙ୍କ ନିର୍ମମ ଭାବେ ହତ୍ୟା

Spread the love

() ବିହାରରେ ଅବସରପ୍ରାପ୍ତ ଦମ୍ପତିଙ୍କ ମୃତଦେହ ଠାବ । ସୋମବାର ଭୋଜପୁର ଜିଲ୍ଲାର ଆରହା ସହରରେ ଅବସରପ୍ରାପ୍ତ ଦମ୍ପତ୍ତିଙ୍କ ମୃତଦେହ ତାଙ୍କ ବାସଭବନରୁ ମିଳିଥିଲା । ସୋମବାର ରାତିରେ ସେମାନଙ୍କ ମର ଶରୀର ପୋଲିସକୁ ମିଳିଥିଲାବେଳେ ଦମ୍ପତିଙ୍କ ଦେହରେ ଅନେକ ଆଘାତ ଦେଖିବାକୁ ମିଳିଥିଲା । ପ୍ରାଥମିକ ତଦନ୍ତରୁ ପୁଲିସକୁ ସନ୍ଦେହ କି, ଉକ୍ତ ଦମ୍ପତିଙ୍କୁ ପ୍ରଥମେ ମୁଣ୍ଡକୁ ଆକ୍ରମଣ କରାଯାଇଥିଲା ଓ ପରେ ତୀକ୍ଷ୍ଣ ହତିଆରରେ ସେମାନଙ୍କୁ ହତ୍ୟା କରାଯାଇଥାଇପାରେ ।

ମୃତ ବ୍ୟକ୍ତି ଜଣକ ହେଉଛନ୍ତି ମହେନ୍ଦ୍ର ସିଂ (70) ଓ ତାଙ୍କ 65 ବର୍ଷିୟା ପତ୍ନୀ ପୁଷ୍ପା ସିଂ। ଉଭୟ ପତି ଓ ପତ୍ନୀ ରୋହତାସ ଜିଲ୍ଲାର ନାସିରିଗଞ୍ଜ ପୋଲିସ ଷ୍ଟେସନ ଅଧୀନରେ ଥିବା ଅଗ୍ନି ଗାଁରେ ରହୁଥିଲେ ଏବଂ ଅବସର ପରେ କତିରା ଅଞ୍ଚଳରେ ଥିବା ଘରେ ଏକୁଟିଆ ରହୁଥିଲେ ବୋଲି ପୋଲିସ ସୂଚନାରୁ ମିଳିଛି । ମହେନ୍ଦ୍ର ସିଂ ବୀର କନୱର ସିଂ ବିଶ୍ୱବିଦ୍ୟାଳୟରେ ଡିନ୍ ଭାବେ ଅବସର ନେଇଥିବା ବେଳେ ତାଙ୍କ ପତ୍ନୀ ଜଣେ ମହିଳା କଲେଜର ଅବସରପ୍ରାପ୍ତ ମନୋବିଜ୍ଞାନ ପ୍ରଫେସର ଥିଲେ । ଉକ୍ତ ଘଟଣାର ତଦନ୍ତ କରି ହତ୍ୟାକାରୀକୁ ଚିହ୍ନଟ କରିବା ଓ ହତ୍ୟା ପଛର କାରଣ ଖୋଜିବାର ପ୍ରୟାସ କରୁଛି ପୋଲିସି ।

ଖବର ପାଇବା ପରେ ଭୋଜପୁର ସୁପରିଟେଣ୍ଡେଟ ପ୍ରମୋଦ କୁମାର ଯାଦବ ଏବଂ ସହକାରୀ ପୋଲିସ ସୁପରିଟେଣ୍ଡେଣ୍ଟ ହିମାଶୁଂଙ୍କ ଅଧ୍ୟକ୍ଷତାରେ ଏକ ପୋଲିସ ଟିମ୍ ଗଠନକରି ନାବାଡା ପୋଲିସ ଷ୍ଟେସନ ଅଧୀନ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ କ୍ରାଇମ ସ୍ପଟକୁ ସିଲ କରି ପାଟଣାରୁ ଏକ ଫରେନସିକ୍ ଟିମକୁ ଡାକି ତଦନ୍ତ ଆରମ୍ଭ କରିଛି ।

ପୋଲିସ ଡବଲ ହତ୍ୟା ମାମଲାର ସମାଧାନ କରିବା ପାଇଁ ମୃତକଙ୍କ ମୋବାଇଲ ଯାଞ୍ଚ କରିବା ସହ ସେହି ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ମୃତକଙ୍କ ସାନଭାଇ ହୀରା ସିଂ କହିଛନ୍ତି ମୁଁ ମୋ ଭାଇ ମହେନ୍ଦ୍ର ସିଂଙ୍କୁ ଜାନୁଆରୀ 26 ତାରିଖରେ ତାଙ୍କ ଘରେ ଭେଟିଥିଲି । ସେ ମତେ ଆଜି କଲ କରି ଡାକିଥିଲେ ଓ କହିଥିଲେ ତାଙ୍କ ପୁଅ ଓ ବୋହୂଙ୍କ ମୋବାଇଲ ନମ୍ବର କାଲିଠାରୁ ଲାଗୁନି । ସେ ଆଜି ତାଙ୍କ ଭାଇଙ୍କ ଘରେ ପହଞ୍ଚିବା ପରେ ଏହି ହତ୍ୟାକାଣ୍ଡ ବିଷୟରେ ଜାଣିବାକୁ ପାଇଥିଲେ।

ଭୋଜପୁର ପୋଲିସ ସୁପରିଟେଣ୍ଡେଣ୍ଟ ପ୍ରମୋଦ କୁମାର ଯାଦବ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଅବସରପ୍ରାପ୍ତ ଦମ୍ପତିଙ୍କୁ ତାଙ୍କ ଘର ଭିତରେ ପଶି କୌଣସି ଅଜଣା ହତ୍ୟାକାରୀ ହତ୍ୟା କରିଥାଇପାରେ । ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ପୋଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି  । ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |  କିନ୍ତୁ ଖୁବ୍ ଶୀଘ୍ର ଏଥିରେ ସମ୍ପୃକ୍ତ ଅପରାଧୀଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯିବ ବୋଲି ପ୍ରମୋଦ କୁମାର କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଉକ୍ତ ଘଟଣା ସ୍ଥଳକୁ ଆମେ ସିଲ କରିବା ସହ ମର ଶରୀର ପୋଷ୍ଟମୋର୍ଟମ ପାଇଁ ପଠାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *