bihar

  • ନାଳନ୍ଦା ନିକଟରୁ ୧୨ଶହ ବର୍ଷ ପୁରୁଣା ଦୁଇ ପଥର ମୂର୍ତ୍ତି ଉଦ୍ଧାର

    ପାଟନା: ନାଳନ୍ଦା ନିକଟବର୍ତ୍ତୀ  ଏକ ପୋଖରୀରୁ ମିଳିଛି ୧୨ଶହ ବର୍ଷ ପୁରୁଣା ପଥରର ମୂର୍ତ୍ତି। ପୋଖରୀର ପୁନରୁଦ୍ଧାର ସମୟରେ ସ୍ଥାନୀୟ ଲୋକଙ୍କୁ ଦୁଇଟି ପୁରୁଣା ପଥର ମୂର୍ତ୍ତି ମିଳିଥିବା ସୂଚନା ଦେଇଛନ୍ତି ଭାରତୀୟ ପୁରାତତ୍ବ ସର୍ବେକ୍ଷଣ ଅଧିକାରୀ।

    ସୂଚନା ଅନୁଯାୟୀ, ନାଳନ୍ଦା ନିକଟବର୍ତ୍ତୀ ସାର୍ଲିଚାକ ଗାଁ ନିକଟ ତାର୍ସିନ୍ହ ପୋଖରୀରୁ ଏହି ଦୁଇ ପୁରାତନ ମୂର୍ତ୍ତି ଚଳିତ ସପ୍ତାହର ପ୍ରାରମ୍ଭରେ ଉଦ୍ଧାର କରାଯାଇଥିଲା। ବିଶ୍ବ ଐତିହ୍ୟ ନାଳନ୍ଦା ଠାରୁ ୮୮ କିଲୋମିଟର ଦୂରେ ଥିବା ସାର୍ଲିଚାକ ଗାଁ ପୋଖରୀକୁ ବିହାର ସରକାରର ଜଳ ଜୀବନ ହରିୟାଲି ଯୋଜନାରେ ପୁନରୁଦ୍ଧାର କରିବା ବେଳେ ମୂର୍ତ୍ତି ମିଳିଛି। ମୂର୍ତ୍ତି ମିଳିବା ପରେ ସ୍‌ଥାନୀୟ ଲୋକେ ସେସବୁକୁ ଏକ ମନ୍ଦିର କରି ପୂଜା କରିବାକୁ ଯୋଜନା କରିଥିଲେ। କିନ୍ତୁ ଏସମ୍ପର୍କରେ ସୂଚନା ମିଳିବା ପରେ ଏଏସଆଇ ଅଧିକାରୀ ସ୍ଥାନୀୟ ପୁଲିସକୁ ଜଣାଇଥିଲେ। ପୁଲିସ ସେସବୁ ଉଦ୍ଧାର କରିଥିଲା। ପରୀକ୍ଷା ପରେ ସେହି ଦୁଇ ପଥର ମୂର୍ତ୍ତି ୧୨ଶହ ବର୍ଷ ପୁରୁଣା ଥିବା ଜଣାପଡିଥିବା ଏଏସଆଇ ଅଧିକାରୀ ଗୌତମୀ ଭଟ୍ଟାଚାର୍ଯ୍ୟ ସୂଚନା ଦେଇଛନ୍ତି।

    ସେ ଆହୁରି କହିଛନ୍ତି, ଆମେ ସେସବୁକୁ ନାଳନ୍ଦା ମ୍ୟୁଜିୟମରେ ସ୍ଥାପନ କରିବାକୁ ଚାହିଁଛୁ। ତେଣୁ ରାଜ୍ୟ ସରକାରକୁ ତୁରନ୍ତ ସେସବୁକୁ  ଇଣ୍ଡିଆନ ଟ୍ରେଜେର ଟ୍ରୋଭ ଆକ୍ଟ ୧୮୭୮ ଅନୁଯାୟୀ ଏଏସଆଇକୁ ହସ୍ତାନ୍ତର କରିବାକୁ କୁହାଯାଇଛି।

    ତେବେ ଏହା ପୂର୍ବରୁ ଏକ ବର୍ଷ ପୂର୍ବେ ସମାନ ପୋଖରୀରୁ ୧୩ଶହ ବର୍ଷ ପୁରୁଣା ନାଗ ଦେବୀ ମୂର୍ତ୍ତି ଉଦ୍ଧାର କରାଯାଇଥିଲା। ସେହି ମୂର୍ତ୍ତି ପାଲା ଶାସନ କାଳର ଥିବା ଜଣାପଡିଥିଲା।  

  • ଦମ୍ପତିଙ୍କ ନିର୍ମମ ଭାବେ ହତ୍ୟା

    () ବିହାରରେ ଅବସରପ୍ରାପ୍ତ ଦମ୍ପତିଙ୍କ ମୃତଦେହ ଠାବ । ସୋମବାର ଭୋଜପୁର ଜିଲ୍ଲାର ଆରହା ସହରରେ ଅବସରପ୍ରାପ୍ତ ଦମ୍ପତ୍ତିଙ୍କ ମୃତଦେହ ତାଙ୍କ ବାସଭବନରୁ ମିଳିଥିଲା । ସୋମବାର ରାତିରେ ସେମାନଙ୍କ ମର ଶରୀର ପୋଲିସକୁ ମିଳିଥିଲାବେଳେ ଦମ୍ପତିଙ୍କ ଦେହରେ ଅନେକ ଆଘାତ ଦେଖିବାକୁ ମିଳିଥିଲା । ପ୍ରାଥମିକ ତଦନ୍ତରୁ ପୁଲିସକୁ ସନ୍ଦେହ କି, ଉକ୍ତ ଦମ୍ପତିଙ୍କୁ ପ୍ରଥମେ ମୁଣ୍ଡକୁ ଆକ୍ରମଣ କରାଯାଇଥିଲା ଓ ପରେ ତୀକ୍ଷ୍ଣ ହତିଆରରେ ସେମାନଙ୍କୁ ହତ୍ୟା କରାଯାଇଥାଇପାରେ ।

    ମୃତ ବ୍ୟକ୍ତି ଜଣକ ହେଉଛନ୍ତି ମହେନ୍ଦ୍ର ସିଂ (70) ଓ ତାଙ୍କ 65 ବର୍ଷିୟା ପତ୍ନୀ ପୁଷ୍ପା ସିଂ। ଉଭୟ ପତି ଓ ପତ୍ନୀ ରୋହତାସ ଜିଲ୍ଲାର ନାସିରିଗଞ୍ଜ ପୋଲିସ ଷ୍ଟେସନ ଅଧୀନରେ ଥିବା ଅଗ୍ନି ଗାଁରେ ରହୁଥିଲେ ଏବଂ ଅବସର ପରେ କତିରା ଅଞ୍ଚଳରେ ଥିବା ଘରେ ଏକୁଟିଆ ରହୁଥିଲେ ବୋଲି ପୋଲିସ ସୂଚନାରୁ ମିଳିଛି । ମହେନ୍ଦ୍ର ସିଂ ବୀର କନୱର ସିଂ ବିଶ୍ୱବିଦ୍ୟାଳୟରେ ଡିନ୍ ଭାବେ ଅବସର ନେଇଥିବା ବେଳେ ତାଙ୍କ ପତ୍ନୀ ଜଣେ ମହିଳା କଲେଜର ଅବସରପ୍ରାପ୍ତ ମନୋବିଜ୍ଞାନ ପ୍ରଫେସର ଥିଲେ । ଉକ୍ତ ଘଟଣାର ତଦନ୍ତ କରି ହତ୍ୟାକାରୀକୁ ଚିହ୍ନଟ କରିବା ଓ ହତ୍ୟା ପଛର କାରଣ ଖୋଜିବାର ପ୍ରୟାସ କରୁଛି ପୋଲିସି ।

    ଖବର ପାଇବା ପରେ ଭୋଜପୁର ସୁପରିଟେଣ୍ଡେଟ ପ୍ରମୋଦ କୁମାର ଯାଦବ ଏବଂ ସହକାରୀ ପୋଲିସ ସୁପରିଟେଣ୍ଡେଣ୍ଟ ହିମାଶୁଂଙ୍କ ଅଧ୍ୟକ୍ଷତାରେ ଏକ ପୋଲିସ ଟିମ୍ ଗଠନକରି ନାବାଡା ପୋଲିସ ଷ୍ଟେସନ ଅଧୀନ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ କ୍ରାଇମ ସ୍ପଟକୁ ସିଲ କରି ପାଟଣାରୁ ଏକ ଫରେନସିକ୍ ଟିମକୁ ଡାକି ତଦନ୍ତ ଆରମ୍ଭ କରିଛି ।

    ପୋଲିସ ଡବଲ ହତ୍ୟା ମାମଲାର ସମାଧାନ କରିବା ପାଇଁ ମୃତକଙ୍କ ମୋବାଇଲ ଯାଞ୍ଚ କରିବା ସହ ସେହି ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ମୃତକଙ୍କ ସାନଭାଇ ହୀରା ସିଂ କହିଛନ୍ତି ମୁଁ ମୋ ଭାଇ ମହେନ୍ଦ୍ର ସିଂଙ୍କୁ ଜାନୁଆରୀ 26 ତାରିଖରେ ତାଙ୍କ ଘରେ ଭେଟିଥିଲି । ସେ ମତେ ଆଜି କଲ କରି ଡାକିଥିଲେ ଓ କହିଥିଲେ ତାଙ୍କ ପୁଅ ଓ ବୋହୂଙ୍କ ମୋବାଇଲ ନମ୍ବର କାଲିଠାରୁ ଲାଗୁନି । ସେ ଆଜି ତାଙ୍କ ଭାଇଙ୍କ ଘରେ ପହଞ୍ଚିବା ପରେ ଏହି ହତ୍ୟାକାଣ୍ଡ ବିଷୟରେ ଜାଣିବାକୁ ପାଇଥିଲେ।

    ଭୋଜପୁର ପୋଲିସ ସୁପରିଟେଣ୍ଡେଣ୍ଟ ପ୍ରମୋଦ କୁମାର ଯାଦବ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଅବସରପ୍ରାପ୍ତ ଦମ୍ପତିଙ୍କୁ ତାଙ୍କ ଘର ଭିତରେ ପଶି କୌଣସି ଅଜଣା ହତ୍ୟାକାରୀ ହତ୍ୟା କରିଥାଇପାରେ । ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ପୋଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି  । ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |  କିନ୍ତୁ ଖୁବ୍ ଶୀଘ୍ର ଏଥିରେ ସମ୍ପୃକ୍ତ ଅପରାଧୀଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯିବ ବୋଲି ପ୍ରମୋଦ କୁମାର କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଉକ୍ତ ଘଟଣା ସ୍ଥଳକୁ ଆମେ ସିଲ କରିବା ସହ ମର ଶରୀର ପୋଷ୍ଟମୋର୍ଟମ ପାଇଁ ପଠାଇ ଦିଆଯାଇଛି।

  • ଖଜୁର୍ବାନି ପାଇଁ ତ ସାରନ ପାଇଁ କାହିଁ ନୁହେଁ: ସୁଶୀଲ

    ନୂଆଦିଲ୍ଲୀ: ବିଜେପି ସାଂସଦ ସୁଶୀଲ ମୋଦିଙ୍କ ବିହାର ସରକାର ଉପରେ ଆକ୍ରମଣ। ସାରନର ଛାପ୍ରା ବିଷାକ୍ତ ମଦ ମୃତ୍ୟୁ ଉପରେ ନୀତିଶଙ୍କ ଅନୁକମ୍ପାକୁ ନେଇ ବୟାନ ଉପରେ ସୁଶୀଲ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମୋଦି କହିଛନ୍ତି, ୨୦୧୮ ଖଜୁର୍ବାନି ମଦ ମୃତ୍ୟୁରେ ଅନୁକମ୍ପା ଦିଆଯାଇଥିବା ବେଳେ ସାରନ ପାଇଁ କାହିଁ ନୁହେଁ।

    ମୋଦି କହିଥିଲେ, ୨୦୧୮ର ମିଡିଆ ରିପୋର୍ଟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ନିତିଶ କୁମାର କହିଥିଲେ କି, ଯଦି ମଦ ପିଇ ମୃତ୍ୟୁ ହୋଇଥିବା ପ୍ରମାଣିତ ହୁଏ ତେବେ ଅନୁକମ୍ପା ଯୋଗାଇ ଦେବେ। ସେତେବେଳେ ସେ ଖଜୁର୍ବାନି ମଦ ମୃତ୍ୟୁ ପାଇଁ ପ୍ରତି ମୃତକଙ୍କ ପିଛା ୪ ଲକ୍ଷ ଟଙ୍କା ଘୋଷଣା କରିଥିଲେ। ଏବେ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ସୁଶୀଲ। ସେ ଆହୁରି କହିଛନ୍ତି କି, ଯଦି ଆମ ସରକାର ଥାନ୍ତା ତେବେ ଏହି ବିପଦ କାଳରେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେଇଥାନ୍ତା। ନିୟମ ଅନୁଯାୟୀ ନିତିଶ ସାରନ ମତବିଭୀଷିକାର ପୀଡିତଙ୍କୁ ଅନୁକମ୍ପା ଯୋଗାଇଦାବା କଥା।

    ଛାପ୍ରା ମଦ ମୃତ୍ୟଉକୁ ନେଇ ନିତିଶ କୁମାର ମଦ ପିଇ ମୃତ୍ୟୁବରଣ କରିବା ଲୋକଙ୍କ ପରିବାରକୁ ଅନୁକମ୍ପା ଦିଆଯିବ ନାହିଁ ବୋଲି କହିଥିଲେ। ଏହାକୁ କାଉଣ୍ଟର କରି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ନିତିଶଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି।

  • ଯିଏ ମଦ ପିଇବ, ସେ ମରିବ

    ପାଟନା: ବିହାରର ଛପରାରେ ବିଷାକ୍ତ ମଦ ପିଇ ମରିଥିବା ଲୋକଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଏବେ ମଧ୍ୟ ବହୁ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିଛି ଲୋକ ମଧ୍ୟ ଗୁପ୍ତରେ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଉଛନ୍ତି। ଏହାକୁ ନେଇ ବିହାରରେ ରାଜନୀତି ତୀବ୍ର ହେବାରେ ଲାଗିଛି। ବିଜେପି ଓ ନୀତିଶ ସରକାର ପରସ୍ପରକୁ ଆକ୍ରମଣ ପ୍ରତି ଆକ୍ରମଣ କରିବାରେ ଲାଗିଛନ୍ତି।

    ବିଷାକ୍ତ ମଦ ପିଇ ହୋଇଥିବା ମୃତ୍ୟୁ ଘଟଣାରେ  ମୁଖ୍ୟମନ୍ତ୍ରୀ ନୀତିଶ କହିଛନ୍ତି, ବିଜେପି ସରକାରରୁ ବାହାରି ଯାଇଛି ତେଣୁ ଏତେ ଆକ୍ରାମକ ହେଉଛି। ସାରା ଦେଶରେ ବିଷାକ୍ତ ମଦରେ ଲୋକ ମରୁଛନ୍ତି। ବିହାରରେ ମଦ ନିଷେଦ୍ଧ ହେବା ପୂର୍ବରୁ ମଧ୍ୟ ଲୋକେ ମରିଛନ୍ତି ମଦ ପିଇ। ଯିଏ ମଦ ପିଇବ, ସେ ମରିବ।

    ବିହାର ବିଜେପି ଅଧ୍ୟକ୍ଷ ସଞ୍ଜୟ ଜୟସବାଲ  କହିଛନ୍ତି କି, ଯେତେ ପର୍ଯ୍ୟନ୍ତ ପୁଲିସ ଉପରେ କାର୍ଯ୍ୟାନୁଷ୍ଠାନ ନ ହେବ, ସେପର୍ଯ୍ୟନ୍ତ ମଦକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ପାରିବ ନାହିଁ। ଏହା ପଛରେ ନୀତିଶ କୁମାରଙ୍କର ସ୍ବାର୍ଥ ନିହିତ ଥିବା କହିଛନ୍ତି ସଞ୍ଜୟ। ପୂର୍ବରୁ ମଧ୍ୟ ମଦ ପାଇଁ ଲୋକଙ୍କ ମୃତ୍ୟୁ ହୋଇଛି ଓ ଆତ୍ମରକ୍ଷା ପାଇଁ କେବଳ ଛୋଟ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଆସିଛି। ନୀତିଶଙ୍କ ମାନସିକ ସନ୍ତୁଳନ ବିଗିଡି ଯାଇଛି। ଯଦି ସେ ଦିଲ୍ଲୀ ଆସିବେ ଆମେ ତାଙ୍କ ଚିକିତ୍ସା କରିଇପାରିବୁ ବୋଲି କେହିଛନ୍ତି ବିହାର ବିଜେପି ଅଧ୍ୟକ୍ଷ।

    ସେପଟେ ଜେଡିୟୁ ଓ ବିଜେପିର ପରସ୍ପରକୁ କାଦୁଅ ଫୋପଡା ଫୋପଡି ଭିତରେ ଆରଜେଡିର ବରିଷ୍ଠ ନେତା ଶିବାନନ୍ଦ ତିୱାରୀ କହିଛନ୍ତି କି, ସତ୍ତାରୁ ବିଦା ହେବା ପରେ ବିଜେପି ବିଚଳିତ ହୋଇ ପଡିଛି। ମଦକୁ ନେଇ ଜାତୀୟସ୍ତରରେ ଏକ ନୀତି ହେବା ଆବଶ୍ୟକ। ଗୁଜୁରାଟରେ ମଦ ନିଷିଦ୍ଧ ହୋଇଛି, କିନ୍ତୁ ସେଠାରେ ଏହାର ହୋମ ଡେଲିଭରୀ ହେଉଛି। ଚଳିତ ବର୍ଷ ଜୁଲାଇରେ ଗୁଜୁରାଟରେ  ବିଷାକ୍ତ ମଦ ପିଇ ୫୭ ଲୋକଙ୍କ ମୃତ୍ୟୁ ହୋଇଥିଲା, ଯେତେବେଳେ ଲୋକେ ପୁଲିସ ନିକଟରେ ଅବୈଧ ମଦ ବିକି୍ର ସମ୍ପର୍କରେ ଅଭିଯୋଗ କରିଥିଲେ। କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ୍ୟ ଥିଲା।

  • ଜେଡିୟୁ ପ୍ରବକ୍ତା ନିଖିଳ ମଣ୍ଡଳଙ୍କ ଇସ୍ତଫା

    ପାଟନା: ଜେଡିୟୁ ଓ  ଆରଜେଡି ସହ ମୋଟ ୭ ଦଳକୁ ନେଇ ମହା ମେଣ୍ଟକୁ ନେଇ ବିହାରରେ ସରକାର ଗଠନ କରିଛନ୍ତି ନୀତିଶ କୁମାର। କିନ୍ତୁ କୁମାରଙ୍କ ସରକାର ଗଠନର ଦିନ କେଇଟାରେ ଜେଡିୟୁ ପ୍ରବକ୍ତା ନିଖିଳ ମଣ୍ଡଳ ସୋମବାର ନିଜ ପଦରୁ ଦେଇଛନ୍ତି ଇସ୍ତଫା। ଏହି ଇସ୍ତଫା ସେ ବ୍ୟକ୍ତିଗତ କାରଣରୁ ଦେଇଥିବା କହିଛନ୍ତି।

    ଜେଡିୟୁ ପ୍ରବକ୍ତା ନିଖିଳ ମଣ୍ଡଳ ପଦରୁ ଇସ୍ତଫା ଦେବା ସହ ଏହାକୁ ବ୍ୟକ୍ତିଗତ କାରଣ କହୁଥିବା ବେଳେ କିନ୍ତୁ ରାଜନୈତିକ ବିଶେଷଜ୍ଞ ଏହାର ଭିନ୍ନ ଆକଳନ କରୁଛନ୍ତି। ଜେଡିୟୁ ଓ ଆରଜେଡି ହାତ ମିଳାଇବା ପରେ ରାଜ୍ୟର ରାଜନୈତିକ ସମୀକରଣ ବଦଳିବା ପରି ମନେ ହେଉଛି। ମଣ୍ଡଳ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଓ ତାଙ୍କ ପୁଅ ତେଜସ୍ବୀ ଯାଦବଙ୍କ ଜଣେ ବଡ ସମାଲୋଚକ ରହିଆସିଛନ୍ତି। ଏବେ ସରକାରରେ ଆଜେଡିର ସମ୍ପୃକ୍ତି ପରେ ଲାଲୁ ସରକାର କାଳୀନ ଓ ପରିବାରର ଦୁର୍ନୀତିକୁ ଘଣ୍ଟ ଘୋଡାଇବାକୁ ହୁଏତ ସେ ନିଜକୁ ଅସହଜ ମନେ କରୁଛନ୍ତି।

    ଏହା ବ୍ୟତୀତ ଅନୁମାନ କରାଯାଉଛି କି, ହୁଏତ ମଣ୍ଡଳଙ୍କୁ ଅନୁଭୂତ ହୋଇଥିଲା କି ୨୦୨୫ ନିର୍ବାଚନରେ ତାଙ୍କୁ ଟିକେଟ ମିଳିବ ନାହିଁ। ହେଲେ ୨୦୨୪ରେ ମଧେପୁରରୁ ଲୋକସଭା ନିର୍ବାଚନ ଲଢିବାର ସମ୍ଭାବନା ରହିଛି। ୨୦୨୦ରେ ନିଖିଳ ମଣ୍ଡଳ ମଧେପୁରାରୁ ବିଧାନସଭା ନିର୍ବାଚନ ଲଢିଥିଲେ। ଏହି ନିର୍ବାଚନରେ ସେ ଆରଜେଡିର ଡ. ଚନ୍ଦ୍ରଶେଖରଙ୍କଠାରୁ ପରାଜୟ ବରଣ କରିଥିଲେ। ଚନ୍ଦ୍ରଶେଖର ବର୍ତ୍ତମାନ ସରକାରରେ ଶିକ୍ଷାମନ୍ତ୍ରୀ ହୋଇଛନ୍ତି।

    ସୂଚନା ମୁତାବକ, ମଣ୍ଡଳ ଗତ କିଛି ମାସ ହେବ ନିଜ ନିର୍ବାଚନ ମଣ୍ଡଳୀକୁ ବାରମ୍ବାର ଗସ୍ତ କରୁଛନ୍ତି, ଯାହାକୁ ନେଇ ଆକଳନ କରାଯାଉଛି କି, ସେ ୨୦୨୪ରେ ମଧେପୁରାରୁ ଲୋକସଭା ନିର୍ବାଚନକୁ ଓହ୍ଲାଇ ପାରନ୍ତି।

  • ଆରଜେଡି ନେତାଙ୍କ ଘରେ ସିବିଆଇ ରେଡ୍

    ପାଟଣା: ବିହାରରେ ସିବିଆଇ ରେଡ୍। ନୀତିଶ ସରକାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ଦିନ ହିଁ ଆରଜେଡି ନେତାଙ୍କ ଘରେ ସିବିଆଇ ରେଡ୍ ହୋଇଛି। ଯାହାକୁ ନେଇ ବିହାର ରାଜନୀତିକ ହଟଚମଟ ଜୋର ଧରିଛି। ଆରଜେଡି ବିଧାୟକ ସୁନୀଲ ସିଂ ଓ ତିନି ଜଣ ସାଂସଦ ଆରଏସ ଅସଫାକ୍ କରିମଙ୍କ, ଫୟାଜ୍ ଅହମ୍ମଦ ଓ ସୁବୋଧ ରାୟଙ୍କ ଘରେ ଓ ଅଫିସରେ ସିବିଆଇ ରେଡ୍ ନେଇ ବିଜେପି ଓ ମହାଗଠବନ୍ଧନ ସରକାର ମୁହାଁମୁହିଁ ହୋଇଛନ୍ତି।

    ଚାକିରୀ ପାଇଁ ଜମି ଦୁର୍ନୀତିର ପୁରୁଣା ଚିଠା ପୁଣି ଖୋଲିଛି ସିବିଆଇ। ଆରଜେଡି ବିଧାନପରିଷଦ ସଦସ୍ୟ ସୁନୀଲ ସିଂ ଓ ତିନି ଜଣ ସାଂସଦ ଅସଫାକ୍ କରିମ୍, ଫୟାଜ୍ ଅହମ୍ମଦ ଓ ସୁବୋଧ ରାୟଙ୍କ ଘର ଓ ଅଫିସ ଉପରେ ସିବିଆଇ ରେଡ୍ କରିଛି। ତେବେ ଏହି ସମୟ ସଂଯୋଗ ନା ଆଉ କିଛି ବୋଲି ଚର୍ଚ୍ଚା ବି ହେଉଛି। କାରଣ ନୀତିଶ ସରକାର ନିଜ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାର ଦିନ ଥିଲା। ଆଉ ଏତିକିବେଳେ ସିବିଆଇ ଆରଜେଡି ନେତାଙ୍କ ଘରେ ଛାପା ମାରିବାକୁ ନେଇ ମହାଗଠବନ୍ଧନ ସରକାର ସହଜରେ ଗ୍ରହଣ କରିପାରୁନି। ଏହା ଉଦ୍ଦେଶ୍ୟମୂଳକ ଭାବେ କରାଯାଉଥିବା କହିଛି ଆରଜେଡି। ଏହି ରେଡ୍ ର କୌଣସି ମାଏନା ନାହିଁ। ବିଜେପି ଭାବୁଛି, ସିବିଆଇକୁ ପଛରେ ଲଗାଇଦେଲେ ବିଧାୟକମାନେ ଭୟଭୀତ ହୋଇଯିବେ। ଆଉ ସେମାନଙ୍କ ପଟକୁ ଢଳିବେ। ଏହା ସେମାନଙ୍କ ଦିବାସ୍ୱପ୍ନ ବୋଲି କହିଛନ୍ତି ଆରଜେଡି ଏମଏଲସି ତଥା ବିହାର ରାଜ୍ୟ କୋପରେଟିଭ୍ ମାର୍କେଟିଂ ୟୁନିଅନର ଅଧ୍ୟକ୍ଷ ସୁନୀଲ ସିଂ।

    ଆରଜେଡି ସାଂସଦ ମନୋଜ ଝା କହିଛନ୍ତି, ଏହା କୌଣସି ସିବିଆଇ, ଇଡି କି ଆଇଟିର ରେଡ୍ ବୋଲି କୁହାଯିବା ସମୀଚିନ ହେବନି। ବରଂ ଏହି ରେଡ୍ ବିଜେପି କରିଛି ବୋଲି କହିବା ଉଚିତ୍ ହେବ। ସିବିଆଇ ଏବେ ବିଜେପି ଅଧୀନରେ କାମ କରୁଛି। ସିବିଆଇ ଅଫିସ ବିଜେପିର ସ୍କ୍ରିପ୍ଟରେ ଚାଲୁଛି। ଯେଉଁଦିନ ମହାଗଠବନ୍ଧନ ସରକାରର ଫ୍ଲୋର-ଟେଷ୍ଟ ସେଦିନ ଏଭଳି ରେଡ୍ ଆଉ କଅଣ ବାର୍ତ୍ତା ଦେଉଛି, ଏହା ବୁଝିବାକୁ ବାକି ନାହିଁ। ଏବେକାର ମେଣ୍ଟ ସରକାର ଜନତାର ବିକାଶ ପାଇଁ ଉଦ୍ଦିଷ୍ଟ। ସରକାର କଅଣ ତାଙ୍କ ଇଙ୍ଗିତରେ ଚାଲିବ ବୋଲି ଭାବୁଛି କି ବିଜେପି। ଆଉ କେହି କହିଲେଣି, ବିହାର ଗଣତନ୍ତ୍ରର ମାଟି। ଏଠି ଯେତେ ତଦନ୍ତକାରୀ ଏଜେନ୍ସି ପଠାଇଲେ ବି, କେହି ମହାଗଠବନ୍ଧନ ସରକାର ଉପରେ ଚାପ ପକାଇପାରିବେନି। ଲାଲୁଙ୍କ ପତ୍ନୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ କହିଛନ୍ତି, ଗୋଟିଏ ନୂଆ ସରକାର ଗଠନ ହୋଇଛି। ବିଜେପିକୁ ଛାଡ଼ିଦେଲେ ବାକି ସବୁ ଦଳ ଆମ ସହ ଅଛି। ସଂଖ୍ୟାଗରିଷ୍ଠତା ଥିବାରୁ ସିବିଆଇ ଚଢାଉ କରି ଆମକୁ ଭୟଭୀତ କରିବାକୁ ଚେଷ୍ଟା ହେଉଛି। କିନ୍ତୁ ଆମେ ଭୟଭୀତ ନୋହୁଁ। କାରଣ ଏହା ପ୍ରଥମ ଥର ହେଉନି।

    ରେଳବାଇରେ ଚାକିରୀ ପାଇଁ ଜମି ପ୍ରସଙ୍ଗରେ ଲାଲୁ ଯାଦବ, ତାଙ୍କ ପତ୍ନୀ ଓ ଝିଅଙ୍କ ସମେତ ଅନେକଙ୍କୁ ଅଭିଯୁକ୍ତ ଦର୍ଶାଇ ସିବିଆଇ ଗଲା ମେ ମାସରେ ୧୭ଟି ଜାଗାରେ ରେଡ୍ କରିଥିଲା। ଜୁଲାଇରେ ଲାଲୁ ଯାଦବଙ୍କ ଅଫିସରେ ଓଏସଡି ଭାବେ କାମ କରୁଥିବା ଭୋଳା ଯାଦବଙ୍କୁ ଗିରଫ କରିଥିଲା ସିବିଆଇ। ଲାଲୁ ରେଳ ମନ୍ତ୍ରୀ ଥିଲା ବେଳେ ଭୋଳା ଓଏସଡି ଥିଲେ। ୨୦୦୪ରୁ ୨୦୦୯ ଯାଏ ଲାଲୁ ରେଳମନ୍ତ୍ରୀ ଥିଲା ବେଳେ ରେଳବାଇରେ ଚାକିରୀ ପାଇବାକୁ ହେଲେ ଲାଲୁ ଲୋକଙ୍କଠୁ କାରସାଦି କରି ଜମି ନେଉଥିବା ଅଭିଯୋଗ ହୋଇଥିଲା।

  • ଆଜି ଫ୍ଲୋର ଟେଷ୍ଟ

    ପାଟଣା: ଆଜି ଫ୍ଲୋର ଟେଷ୍ଟ। ବିହାର ବିଧାନସଭାରେ ଆଜି ବହୁମତ ପରୀକ୍ଷା ଦେବେ ନୀତିଶ- ତେଜସ୍ୱୀ ମହାମେଣ୍ଟ ସରକାର। ତା ପୂର୍ବରୁ ଆଜି ସକାଳୁ ସକାଳୁ ପାଟନାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିଂ ସିବିଆଇର ରେଡ୍ । ଗଠବନ୍ଧନ ସରକାରରେ ଥିବା ରାଷ୍ଟ୍ରୀୟ ଜନତା ଦଳ ଆରଜେଡିର ବିଧାନ ପରିଷଦ ସଦସ୍ୟ ସୁନୀଲ ସିଂହଙ୍କ ଘରେ ରେଡ୍ କରିଛି । ସୁନୀଲ ସିଂହ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଅତି ଘନିଷ୍ଠ ବୋଲି କୁହାଯାଉଛି। ରେଲୱେରେ ନିଯୁକ୍ତି ଏବଂ ଜମି ଜାଲିଆତି ମାମଲାରେ ସିବିଆଇ ରେଡ୍ କରୁଛି । ଉଦ୍ଦେଶ୍ୟମୂଳକ ଭାବେ ସିବିଆଇ ରେଡ୍ କରିଛି। ଆରଜେଡି ବିଧାୟକଙ୍କୁ ଜାଣିଶୁଣି ହଇରାଣ ହରକତ ଏବଂ ଡରାଇବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ସୁନୀଲ ସିଂହ। 

  • ପୁଲିସ ଲାଠି ଚାର୍ଜ ପରେ ବିଜେପି ଟାର୍ଗେଟରେ ନୀତିଶ ସରକାର

    ପାଟନା: ବିହାରର ରାଜଧାନୀ ପାଟନାରେ ଶିକ୍ଷକ ଆଶାୟୀଙ୍କ ହଙ୍ଗାମା। ଏମାନେ ସପ୍ତମ ଚରଣର ନିଯୁକ୍ତିର ଦାବି ସହ ଶିକ୍ଷାମନ୍ତ୍ରୀଙ୍କ ବିରୋଧରେ ଦେଇଥିଲେ ନାରାବାଜୀ। ବିରାଟ ପ୍ରଦର୍ଶନ ଓ ନାରାବାଜୀକୁ ଦେଖି ପୁଲିସ ପ୍ରଦର୍ଶନକାରୀଙ୍କ ଉପରେ କରିଛି ଲାଠି ଚାର୍ଜ। ଏହା ପରେ ବିଜେପି ରାଜ୍ୟ ସରକାର ଉପରେ ଆକ୍ରମଣ କରିବାକୁ ପଛାଇ ନାହିଁ।

    ବିହାରରେ ୨୦୧୯ ପରଠାରୁ କୌଣସି ନିଯୁକ୍ତି ହୋଇ ନାହିଁ। ତିନି ବର୍ଷ ହେଲା ସରକାର ଖାଲି ମିଛ ଆଶ୍ବାସନ ଦେଇ ଚାଲିଛି। ସରକାର ଗଠନ ପୂର୍ବରୁ ତେଜସ୍ବୀ ଯାଦବ କହିଥିଲେ କି, ତାଙ୍କ ଦଳ ସରକାରକୁ ଆସିଲେ ଆଗ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଦେବେ।  ଏବେ ସରକାର ହେଲା, ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଦାବି ନେଇ ରାଜଧାନୀ ପାଟରେ ଶିକ୍ଷକ ନିଯୁକ୍ତି ଆଶାୟୀଙ୍କ ଦେଖିବାକୁ ମିଳିଛି ପ୍ରବଳ ଭିଡ।

    ତୁରନ୍ତ ନିଯୁକ୍ତ ଆରମ୍ଭ କରିବା ଦାବି ସହ ଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ପ୍ରଦର୍ଶନକାରୀ ନାରାବାଜୀ କରିଥିଲେ। ପ୍ରବଳ ଭିଡ  ଓ ପ୍ରଦର୍ଶନର ଉଗ୍ରତାକୁ ଦେଖି ପୁଲିସ ସେଠାରେ ପ୍ରଦର୍ଶନକାରୀଙ୍କୁ ଘଉଡାଇବାକୁ ପୁଲିସ ଲାଠି ଚାର୍ଜ କରିଛି। ଏହା ବ୍ୟତୀତ ଅଧିକ ପୁଲିସ ଫୋର୍ସ ମଗାଯିବା ସହ ୱାଟର କେନନ ମଧ୍ୟ ମହଜୁଦ ରଖାଯାଇଛି।

    ସେପଟେ ବିଜେପି ଏହାକୁ ନେଇ ନିଜ ଅପମାନର ପ୍ରତିଶୋଧ ନେବାକୁ ଚେଷ୍ଟା କରୁଛି। ବିଜେପି ପ୍ରବକ୍ତା ଶହଜାଦ ଜୟ ହିନ୍ଦ  କହିଛନ୍ତି କି, ଏଡିଏମର ଗୁଣ୍ଡାଗର୍ଦ୍ଦି ଓ ତ୍ରିରଙ୍ଗାର ଅପମାନ ଉପରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ, କିନ୍ତୁ ଶିକ୍ଷକ ପଦ ପାଇଁ ଦାବିରେ ଲାଠି ଚାର୍ଜ।  

  • ନୀତିଶ ରଖିଲେ ଗୃହ, ତେଜସ୍ୱୀଙ୍କୁ ସ୍ୱାସ୍ଥ୍ୟ

    ପାଟନା: ବିହାରରେ ନୀତିଶ ସରକାରର କ୍ୟାବିନେଟ ବିସ୍ତାର ହୋଇଛି। କ୍ୟାବିନେଟ ବିସ୍ତାର ପରେ ପରେ ବିଭାଗ ବଣ୍ଟନ ମଧ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୃହ ବିଭାଗ ନିଜ ପାଖରେ ରଖିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ମିଳିଛି ସ୍ୱାସ୍ଥ୍ୟ ବିଭାଗ। ତେଜ ପ୍ରତାପଙ୍କୁ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ।
    ବିହାରରେ ନୀତିଶ ବିଜେପିଠାରୁ ସବୁ ସମ୍ପର୍କ ଛିଡାଇବା ପରେ ବେସ ଆକ୍ଟିଭ ଓ ଫାଷ୍ଟ ଥିବା ପରି ମନେ ହେଉଛନ୍ତି। ସବୁ କିଛି ବେଶ ଦ୍ରୁତ ଗତିରେ ଚାଲିଛି। ମଙ୍ଗଳବାର ଦିନ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ପରେ ପରେ ବିଭାଗ ବଣ୍ଟନ କରିଛନ୍ତି। ନିଜ ପାଖରେ ଗୃହ ବିଭାଗ ସହ ମାନାନ୍ୟ ପ୍ରଶାସନ, ମନ୍ତ୍ରୀମଣ୍ଡଳ ସଚିବାଳୟ, ନିର୍ବାଚନ ବିଭାଗ ରଖିଥିବା ବେଳେ ତେଜସ୍ୱୀଙ୍କୁ ଦେଇଛନ୍ତି ସ୍ୱାସ୍ଥ୍ୟ, ରାସ୍ତା ନିର୍ମାଣ, ନଗର ବିକାଶ ଓ ଆବାସ ତଥା ଗ୍ରାମ୍ୟୀଣ କାର୍ଯ୍ୟ ବିଭାଗ।
    ବିଜୟ ଚୌଧୁରୀଙ୍କୁ ଅର୍ଥ, ବାଣିଜ୍ୟ କର ଓ ସଂସଦୀୟ କାର୍ଯ୍ୟ ମନ୍ତ୍ରଣାଳୟ ଦିଆଯାଇଥିବା ବେଳେ ବିଜେନ୍ଦ୍ର ପ୍ରସାଦ ଯାଦବଙ୍କୁ ମିଳିଛି ଶକ୍ତି ଓ ଯୋଜନା ତଥା ବିକାଶ ବିଭାଗ। ଆଲୋକ କୁମାର ମେହତାଙ୍କୁ ରାଜସ୍ୱ ଏବଂ ଭୂମି ସୁଧାର ବିଭାଗ; ତେଜ ପ୍ରତାପ ଯାଦବଙ୍କୁ ପରିବେଶ, ବନ, ଜଳବାୟୁ ପରିବର୍ତ୍ତନ ବିଭାଗ; ଆଫାକ ଆଲମଙ୍କୁ ପଶୁ ଏବଂ ମତ୍ସ୍ୟ ସଂସାଧନ; ଆଶୋକ ଚୌଧୁରୀଙ୍କୁ ଭବନ ନିର୍ମାଣ; ଶ୍ରବଣ କୁମାରଙ୍କୁ ଗ୍ରାମୀଣ ବିକାଶ, ସୁରେନ୍ଦ୍ର ପ୍ରସାଦ ଯାଦବଙ୍କୁ ସହକାରିତା, ଡା ରାମାନନ୍ଦ ଯାଦବଙ୍କୁ ଖଣି ଓ ଭୂତତ୍ୱ ବିଭାଗ ମିଳିଛି।

    ବିହାର କ୍ୟାବିନେଟରେ ଜେଡିୟୁ ଠାରୁ ଆରଜେଡି ଖାତାକୁ ଅଧିକ ମନ୍ତ୍ରୀପଦ ଯାଇଛି। ଆରଜେଡିର ୧୬ ଜଣ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଥିବା ବେଳେ ଜେଡିୟୁରୁ ୧୧, କଂଗ୍ରେସରୁ ଜଣେ ଓ ଜଣେ ଲେଖା ହାମ ଓ ସ୍ୱାଧୀନ ରହିଛନ୍ତି।

  • ୧୬ରେ ବିହାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ

    ପାଟନା: ବିହାରରେ ନୀତିଶ କୁମାରଙ୍କ ନୂଆ ସରକାରରେ କାହାକୁ କେଉଁ ବିଭାଗ ଦିଆଯିବ, ତାକୁ ନେଇ ତେଜସ୍ୱୀ ଯାଦବଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସହମତି ହୋଇଛି । ଅଗଷ୍ଟ ୧୬ ତାରିଖରେ ଜେଡିୟୁ ଓ ମହାମେଣ୍ଟ ସରକାରର ମନ୍ତ୍ରୀମଣ୍ଡଳ ବିସ୍ତାର ହେବାକୁ ଯାଉଛି । ଏହା ପୂର୍ବରୁ ନୀତିଶ ଓ ତେଜସ୍ୱୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ରୁଦ୍ଧ ଦ୍ୱାର ବୈଠକ ହୋଇଥିଲା, ଯେଉଁଥିରେ ଉଭୟ ନେତା ଏକ ନିର୍ଯାସରେ ପହଞ୍ଚିଥିବା ଜଣାପଡିଛି ।
    ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଦିଲ୍ଲୀରେ ନିଜ ସହଯୋଗୀ ଦଳର ବଡ ନେତାଙ୍କ ସହ ସାକ୍ଷାତ କରିଥିଲେ । ଯେଉଁଠି ସହମତି ପାଇବା ପରେ ତେଜସ୍ୱୀ ବିହାର ଫେରିଥିଲେ ଓ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଥିଲେ । ତେଜସ୍ୱୀ ସ୍ପଷ୍ଟ କରିଥିଲେ କି, ମନ୍ତ୍ରୀପଦକୁ ନେଇ ନାମ ସ୍ଥିର ହୋଇସାରିଛି ।
    ତେଜସ୍ୱୀ ନିକଟରେ ଦିଲ୍ଲୀ ଯାଇ ସୋନିଆ ଗାନ୍ଧୀଙ୍କ, ଭାକପା ନେତା ଡି ରାଜୁ ଓ ସୀତାରାମ ୟେଚୁରୀଙ୍କ ସହ ସାକ୍ଷାତ କରିଥିଲେ । ସେମାନଙ୍କ ସହ ବିହାର ମନ୍ତ୍ରୀମଣ୍ଡଳ ଉପରେ ଆଲୋଚନା କରିଥିଲେ ।

Back to top button