ଭାଇଗିରିର ଆଶ୍ରା ପାଲଟୁଛି କ୍ୟାମ୍ପସ

Spread the love

ଭୁବନେଶ୍ବର:  ରାଜଧାନୀର ଏକ ଘରୋଇ ଇଞ୍ଜିନିଅରିଂ କଲେଜର ପ୍ରଥମ ବର୍ଷ ଛାତ୍ରଙ୍କୁ ଆକ୍ରମଣ ଏବଂ ପରେ  ଅପହରଣ ଘଟଣାର  ପର୍ଦ୍ଦାଫାସ ହୋଇଛି । ଅପହୃତ  ଯୁବକଙ୍କୁ  ଜଟଣୀରୁ  ଗିରଫ  କରିଛି  ଖଣ୍ଡଗିରି ଥାନା  ପୋଲିସ। ଗିରଫ  ଯୁବକ  ଜଣକ ଉକ୍ତ କଲେଜର ଦ୍ୱିତୀୟ ବର୍ଷର ଛାତ୍ର । ଅନ୍ୟପଟେ ରାଜନୈତିକ ଶତ୍ରୁତା ପାଇଁ ପୁଅକୁ ଜାଣିଶୁଣି ଫସାଇ  ଦିଆଯାଉଛି  ବୋଲି କହିଛନ୍ତି  ଅଭିଯୁକ୍ତଙ୍କ ମା ।

ପୁଣି ରାଜଧାନୀରେ ଛାତ୍ର ଅପହରଣ। ଭୁବନେଶ୍ୱରରୁ ଅପହରଣ ହୋଇଥିବା ବେଳେ ଜଟଣୀରୁ ଉଦ୍ଧାର ହୋଇଛନ୍ତି ଅପହୃତ ଯୁବକ।  ଏହା ପରେ ପୁଲିସ ଗିରଫ କରିଛି ଅପହରଣକାରୀକୁ । ସିନିଅର ଆଉ ଜୁନିଅରଙ୍କ  ଭାଇଗିରି ପାଇଁ ଛକା ପଞ୍ଝା । ୯ତାରିଖ ପାଖାପାଖି ରାତି ୯ଟା। ଖଣ୍ଡଗିରି ଥାନା ଅଧୀନରେ ଥିବା ଏକ ଘରୋଇ କଲେଜ କ୍ୟାମ୍ପସ ବାହାରେ ବାର୍ଥ ଡେ ପାର୍ଟି ପାଳନ କରୁଥିଲେ କିଛି କଲେଜ ଯୁବକ। ଠିକ ସେତିକି ବେଳେ ଅନ୍ୟ ଏକ ଗୋଷ୍ଠୀର ଯୁବକ ମାନେ ସେଠାରେ ପହଂଚିଥିଲେ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ଭିତରେ ହୋଇଥିଲା ବଚସା। ଏହାପରେ ପ୍ରୀତମ କୁମାର ଷଡ଼ଙ୍ଗୀ ନାମକ ଯୁବକକୁ  ଆକ୍ରମଣ କରିବା ସହ ଅପହରଣ କରି ନେଇଯାଇଥିଲେ କିଛି ଯୁବକ। ପରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହେବା ପରେ ଅପହୃତଙ୍କୁ ଉଦ୍ଧାର କରିଛି ପୋଲିସ।  

ଘଟଣାରେ ସମ୍ପୃକ୍ତ ଇଂଜିନିୟରିଂ ଦ୍ୱିତୀୟ ବର୍ଷର ଜଣେ ଛାତ୍ର କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ନୀତିଶ ତ୍ରିପାଠୀ। ନୀତିଶ ଠାରୁ ଅପହରଣରେ ବ୍ୟବହୃତ ଗାଡି ଜବତ ହୋଇଛି।

ସେପଟେ ଅଭିଯୁକ୍ତ ନୀତିଶଙ୍କ ମାଙ୍କ ବୟାନ ଘଟଣାକୁ ଭିନ୍ନ ରୂପ ଦେଇଛି। ଗ୍ୟାଙ୍ଗରେ ସାମିଲ ନହେବାରୁ ପୁଅକୁ ଫସାଯାଉଥିବା କହିଛନ୍ତି ଅଭିଯୁକ୍ତଙ୍କ ମା। ପୂର୍ବରୁ ରାଗିଙ୍ଗ କେଶରେ ଫସେଇ ଥିବା ବେଳେ ଏବେ ଅପହରଣ କେଶରେ ଫସା ଯାଉଥିବା ସେ ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଏହା ଏକ  ରାଜନୈତିକ ଚକ୍ରାନ୍ତ ବୋଲି ସେ କହିଛନ୍ତି। ପୂର୍ବରୁ ଅନେକ ଥର  ଦଳୀୟ  ରାଲିରେ ଯିବା ପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା। ମାତ୍ର ସେ ଯିବାକୁ ରାଜି ନାଁ ହେବାରୁ ନୀତିଶଙ୍କୁ ଏଭଳି ହଇରାଣ କରାଯାଇଛି।

ଭାଇଗିରି ପାଇଁ ଆସରା ପାଲଟୁଛି କ୍ୟାମ୍ପସ। ପତିଆରା ସାବ୍ୟସ୍ତ ପାଇଁ ଅପରାଧ ମୁହାଁ ହେଉଛନ୍ତି କଲେଜ ପଢୁଆ ଛାତ୍ର। ଛିନତାଇ, ହତ୍ୟା ଉଦ୍ୟମ, ଅପହରଣ ଭଳି ଅନେକ ଅପରାଧିକ ମାମଲାରେ ଲିପ୍ତ ରହୁଛନ୍ତି।  ଏଭଳି ଘଟଣାରେ କେବେ ବ୍ରେକ ଲାଗୁଛି ତା ଉପରେ ନଜର।

 ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *