୨୬ ନଭେମ୍ୱର ମୁମ୍ୱାଇରେ ଆତଙ୍କି ଆକ୍ରମଣର ମାଷ୍ଟରମାଇଣ୍ଡ୍ ଓ ଦୋଷୀ ଆତଙ୍କବାଦୀ ତହବୁର ରାଣା ଭାରତ ଫେରିବ। ଆମେରିକାରେ ରହୁଥିବା ଆତଙ୍କବାଦୀ ରାଣାକୁ ଭାରତ ପ୍ରତ୍ୟପ୍ରଣ ଲାଗି ଆମେରିକା ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇଛନ୍ତି। ୨୦୦୮ ନଭେମ୍ୱର ୨୬ ମୁମ୍ୱାଇ ଆତଙ୍କି ଆକ୍ରମଣର ମାଷ୍ଟରମାଇଣ୍ଡ ଡେଭିଡ୍ କୋଲମୈନ ହେଡଲିଙ୍କୁ ସହଯୋଗ କରିଥିଲା ରାଣା। ପାକିସ୍ତାନର ମୂଳବାସିନ୍ଦା ରାଣା କାନାଡ଼ାର ନାଗରିକତ୍ୱ ନେଇଛି। ତହବୁରକୁ ଭାରତ ଆଣିବାର ସମସ୍ତ ରାସ୍ତା ସଫା ହୋଇଛି। ତହବୁରର ରିଭ୍ୟୁ ପିଟିସନକୁ ଖାରଜ କରିଦେଇଛନ୍ତି ୟୁଏସ ସୁପ୍ରିମକୋର୍ଟ। ଜାନୁଆରୀ ୨୧ରେ ରାଣାର ପିଟିସନକୁ ଅସ୍ୱୀକାର କରିଦେଇଥିଲେ ଅଦାଲତ। ରାଣା ଏବେ ଲସ ଆଞ୍ଜେଲ୍ସର ମେଟ୍ରୋପଲିଟାନ ଡିଟେନସନ ସେଣ୍ଟରରେ ଅଛି।
ଏହାକୁ ଭାରତର ବଡ଼ କୂଟନୈତିକ ବିଜୟ ବୋଲି କୁହାଯାଉଛି। ତାଜ୍ ହୋଟେଲରେ ଆତଙ୍କି ଆକ୍ରମଣର ଦୋଷୀ ତହବୁରର ପିଟିସନ ଖାରଜ କରିବାକୁ ଡିସେମ୍ୱର ୧୮ରେ ବାଇଡେନ୍ ପ୍ରଶାସନ ସୁପ୍ରିମକୋର୍ଟରେ ଅପିଲ୍ କରିଥିଲେ। ଆମେରିକାର ସୈନ୍ ଫ୍ରାନ୍ସିସକୋର ଏକ ଅଦାଲତରେ ବି ପିଟିସନ କରି ନିରାଶ ହୋଇଥିଲା ତହବୁର। ସର୍କିଟ କୋର୍ଟ ସେପ୍ଟେମ୍ୱର ୨୩ରେ ରାଣାର ପିଟିସନକୁ ଖାରଜ କରିଦେଇଥିଲେ। ସବୁ ଅଦାଲତ ରାଣାର ଭାରତ ପ୍ରତ୍ୟର୍ପଣ ସପକ୍ଷରେ ରାୟ ଶୁଣାଇଥିଲେ। ନଭେମ୍ୱର ୧୩ରେ ରାଣା ଆମେରିକା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା। ଅଦାଲତରେ ଦଲିଲ୍ ଦେଇ ଯୁକ୍ତି ରଖିଥିଲା ଯେ, ୨୦୦୮ ମୁମ୍ୱାଇ ଆତଙ୍କି ଆକ୍ରମଣରେ ଅଭିଯୋଗରୁ ଚିକାଗୋର ଏକ ସଂଘୀୟ କୋର୍ଟ ତାକୁ ଦୋଷମୁକ୍ତ କରିଛି। କିନ୍ତୁ ଆମେରିକାର ସଲିସିଟର ଜେନେରାଲ ଏଲିଜାବେଥ୍ ବି ପ୍ରିଲୋଗର ରାଣାର ଏହି ଯୁକ୍ତିକୁ ଖଣ୍ଡନ କରି ଭାରତ ପ୍ରତ୍ୟର୍ପଣରୁ ବାଦ୍ ପାଇବାକୁ ରାଣା ହକଦାର ନୁହେଁ ବୋଲି କହିଥିଲେ।
୨୦୦୮ରେ ମୁମ୍ୱାଇ ଆତଙ୍କି ହମଲା ପଛରେ ପାକିସ୍ତାନସ୍ଥିତ ଲସ୍କର-ଏ-ତୋଏବା ଆତଙ୍କବାଦୀ ସଂଗଠନ ଓ ରାଣାର ଭୂମିକାକୁ ଯାଞ୍ଚ କରୁଥିଲା ଏନଆଇଏ। ଜୁନ୍ ୧୦, ୨୦୨୦ରେ ପ୍ରତ୍ୟର୍ପଣ ଦୃଷ୍ଟିରୁ ୬୨ ବର୍ଷୀୟ ରାଣାକୁ ଅସ୍ଥାୟୀ ଗିରଫଦାରି ଲାଗି ଦାବି କରିଥିଲା ଭାରତ। ବାଇଡେନ୍ ପ୍ରଶାସନ ବି ରାଣାର ଭାରତ ପ୍ରତ୍ୟର୍ପଣକୁ ସମର୍ଥନ କରିଥିଲେ। ଏନଆଇଏ ଚାର୍ଜସିଟରେ ଉଲ୍ଲେଖ କରିଥିଲା କି, ୨୬/୧୧ ଆତଙ୍କି ଆକ୍ରମଣର ମାଷ୍ଟରମାଇଣ୍ଡ୍ ଡେଭିଡ୍ କୋଲମୈନ ହେଡଲିକୁ ମୁମ୍ୱାଇର କେଉଁଠି କେଉଁଠି ଆକ୍ରମଣ କରାଯିବ। ସେ ସବୁ ଜାଗାର ରେକି କରିଥିଲା ରାଣା। ଆଉ ଏହାର ଏକ ବିସ୍ତୃତ ରୂପରେଖ ତିଆରି କରି ପାକିସ୍ତାନୀ ଆତଙ୍କବାଦୀଙ୍କୁ ଦେଇଥିଲା ରାଣା। ମୁମ୍ୱାଇ ଆତଙ୍କି ଆକ୍ରମଣର ମାଷ୍ଚରମାଇଣ୍ଡ ଡେଭିଡ ଓରଫ୍ ଦାଉଦ୍ ସଇଦ୍ ଗିଲାନୀର ପିଲାଦିନର ସାଙ୍ଗ ହେଉଛି ରାଣା। ହେଡଲି ଜଣେ ଆମେରିକା ନାଗରିକ। ଡେଭିଡର ମାଆ ଆମେରିକା ଓ ପିତା ପାକିସ୍ତାନର ଥିଲେ। ଆମେରିକୀୟ ଅଧିକାରୀ ଅକ୍ଚୋବର ୨୦୦୯ରେ ଚିକାଗୋରୁ ଡେଭିଡକୁ ଗିରଫ କରିଥିଲେ। ଦୋଷୀ ସାବ୍ୟସ୍ତ ହେବାରୁ ଜାନୁଆରୀ ୨୪, ୨୦୧୩ରେ ୩୫ ବର୍ଷ ଜେଲ ଦଣ୍ଡ ସଜ୍ଜା ଶୁଣାଇଥିଲେ କୋର୍ଟ। ପାକିସ୍ତାନୀ ସେନାରେ ଏକ ଡାକ୍ତର ଭାବେ କାମ କରୁଥିଲା ରାଣା। ଏହା ପରେ କାନାଡ଼ା ସିଫ୍ଟ ହୋଇ କାନାଡ଼ାର ନାଗରିକତ୍ୱ ଗ୍ରହଣ କରିଥିଲା ରାଣା। ଚିକାଗୋରେ ଫାଷ୍ଟ ଓ୍ୱାର୍ଲଡ ଇମିଗ୍ରେସନ ସର୍ଭିସେସ୍ ନାଁରେ କନସଲଟାନ୍ସି ଫାର୍ମ ଖୋଲି କମ୍ପାନୀର ଏକ ଶାଖା ମୁମ୍ୱାଇରେ ଖୋଲିଥିଲା ରାଣା। ଆଉ ଏହା ଜରିଆରେ ଡେଭିଡକୁ ମୁମ୍ୱାଇ ଆକ୍ରମଣର ବ୍ଲୁପ୍ରିଣ୍ଟ୍ ଦେଇଥିଲା ରାଣା। ୨୦୦୮ରେ ମୁମ୍ୱାଇକୁ ସମୁଦ୍ରପଥରେ ପଶିଥିଲେ ଆତଙ୍କବାଦୀ। ଏହି ଆତଙ୍କି ଆକ୍ରମଣରେ ୬ ଆମେରିକୀୟ ନାଗରିକ ସମେତ ମୋଟ୍ ୧୬୬ ଲୋକଙ୍କ ମୃତ୍ୟୁ ହୋଇଥିଲା। ୩ଶହରୁ ଅଧିକ ଆହତ ହୋଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now