ବାଲ୍ୟ ବିବାହ ଉପରେ ଲାଗୁନି ରୋକ୍

Spread the love

ସମାଜରେ ବାଲ୍ୟ ବିବାହ ପ୍ରଥା ଆଜି ବି ଚାଲିଛି I ବୟସ ହେବା ପୂର୍ବରୁ କୁନି କୁନି ପିଲାଙ୍କୁ ବିବାହ କରାଉଛନ୍ତି ପରିବାର ଲୋକ I ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ୧୫ବର୍ଷର ଝିଅକୁ ବିବାହ କରାଉଥିଲେ ପରିବାର ଲୋକେ I ହେଲେ ଘଟଣା ଘଟିବା ପୂର୍ବରୁ ଘଟଣାସ୍ଥଳରେ ପହଂଚି ବାହାଘରକୁ ବନ୍ଦ କରିଛି ପ୍ରଶାସନ I ଅନ୍ୟପଟେ ନିଜର ମାନବିକତା ଦେଖାଇ ଝିଅଟିର ସମସ୍ତ ପଢ଼ା ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ସ୍ଥାନୀୟ ସରପଞ୍ଚ I ପିପିଲି ଅଞ୍ଚଳରୁ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଝିଅର ବାହାଘର ପାଇଁ ସରିଥିଲା ସବୁ ପ୍ରସ୍ତୁତ । ରାତି ପାହିଲେ ହୋଇଥାନ୍ତା ବାହାଘର।  ହେଲେ ବନ୍ଦ ହୋଇଗଲା ବିବାହ। ଘଟଣାଟି ଦେଖିବାକୁ ମିଳିଛି ପିପିଲି ନିକଟସ୍ଥ ସଁଅପୁର ଗାଁରେ। ଗରିବୀ ଅଭାବର ପରିସ୍ଥିତିରେ ପଡି ନିଜର ନାବାଳିକା ଝିଅକୁ ଜାଣି ଶୁଣି ବାହା କରାଇଦେଉଥିଲେ ବାପା ମା। ଝାଟି ମାଟି ଚାଳ ଘର ଯୋଉଠି ହାଣ୍ଡି ସେଇଠି ଶୋଇବା, ଡିବି ଆଲୁଅରେ ପାଠପଢା । ସତେ ଯେମିତି ସବୁ ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ । ନାଁ ଅଛି ବିଜୁଳି ନାଁ ଅଛି ପକାଘର।  ଦିନ ମଜୁରିଆ ବାପା ମା।  ଝିଅର ବିବାହ କରିବାକୁ ବାପା ମାଙ୍କୁ ଘାରିଥିଲା ଚିନ୍ତା । ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୫ ବର୍ଷର ଝିଅକୁ ଚାକିରୀଆ ଜ୍ୱାଇଁ ସହ ବିବାହ କରାଇବାକୁ ବସିଥିଲେ ବାପା ମା । ଝିଅ ମଧ୍ୟ ବାପା ମାଙ୍କୁ ଦେଖି ବିବାହ ପାଇଁ ରାଜି ହୋଇଥିଲା ।

ନାବାଳିକା ଜଣଙ୍କ ନବମ ଶ୍ରେଣୀର ଛାତ୍ରୀ ଅଟନ୍ତି। ବାହାହେବା ପାଇଁ ଇଚ୍ଛାନଥିଲେ ବି ବାହାଘର ପାଇଁ ରାଜି ହୋଇଥିଲେ ନାବାଳିକା। ଏନେଇ ସେ ନିଜ ସହପାଠୀଙ୍କୁ ଜଣାଇଥିଲା। ସାଙ୍ଗ ଜଣଙ୍କ କାହାକୁ ଖାତିରି ନ କରି ସ୍ଥାନୀୟ ସରପଞ୍ଚଙ୍କୁ ଏନେଇ ଅବଗତ କରାଇଥିଲା। ଫଳରେ ବିବାହର କିଛି ସମୟ ପୂର୍ବରୁ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରି ବାଲ୍ୟ ବିବାହ ବନ୍ଦ କରିଥିଲେ। ଏଥିସହ ସ୍ଥାନୀୟ ସରପଞ୍ଚ ନାବାଳିକା ଝିଅର ପାଠ ପଢା ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବାଲ୍ୟବିବାହ ନେଇ ବାରମ୍ୱାର ସଚେତନ କରାଇବା ପରେ ମଧ୍ୟ ବନ୍ଦ ହେଉନି ବାଲ୍ୟ ବିବାହ।

ପିପିଲିରୁ ସନ୍ତୋଷ କୁମାର ପ୍ରଧାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *