କିଟ ବିଶ୍ୱବିଦ୍ୟାଳୟରେ ୨ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ କିଟ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କଲା ୟୁଜିସି। ଛାତ୍ରୀଙ୍କ ମୃତ୍ୟୁ ପଛରେ ଅବୈଧ ଓ ବେଆଇନ କାର୍ଯ୍ୟକଳାପକୁ ନେଇ ଅଙ୍ଗୁଳି ଉଠାଇଛନ୍ତି ୟୁଜିସି ପ୍ୟାନେଲ୍। ଡକ୍ଚର ନାଗେଶ୍ୱର ରାଓଙ୍କ ନେତୃତ୍ୱାଧୀନ ଟିମ୍ ଯେଉଁ ତଦନ୍ତ ରିପୋର୍ଟ ଦେଇଛି, ସେଥିରେ କିଟ୍ ବିଶ୍ୱବିଦ୍ୟାଳୟର ଅବହେଳାକୁ ଦାୟୀ କରାଯାଇଛି। କ୍ୟାମ୍ପସରେ ବେଆଇନ କାମ ଚାଲିଥିଲା। ଅଭିଯୋଗ କଲେ ଅଭିଯୋଗକାରୀଙ୍କୁ ନିରାଶ କରାଯାଉଥିଲା। ପାଲଟା ମାନସିକ ଚାପ ପକାଇ ଅଭିଯୋଗକୁ ଏଡ଼ାଇବାକୁ ଯଥାସମ୍ଭବ ପ୍ରୟାସ ହେଉଥିଲା। ସେଥିଲାଗି ବେଆଇନ କାର୍ଯ୍ୟକଳାପକୁ ରୋକିବା ଦିଗରେ କିଟ୍ ପ୍ରଶାସନ ଫେଲ୍ ମାରିଛି। ସେଥିଲାଗି କିଟ୍ ପ୍ରଶାସନ ହିଁ ଅପରାଧିକ କାର୍ଯ୍ୟକଳାପକୁ ବୃଦ୍ଧି ଦିଗରେ ସହାୟକ ସାଜିଥିବାରୁ ସେମାନେ ହିଁ ଏହା ଲାଗି ଉତ୍ତରଦାୟୀ ବୋଲି ସ୍ପଷ୍ଟ କରିଛି ୟୁଜିସି।

ଏହା ସହ କମିଟି କଡ଼ା ସୁପାରିଶ ବି କରିଛି। ମେ ୨୦ରେ କ୍ୟାମ୍ପସ ପରିଦର୍ଶନ ସହ ଷ୍ଟେକ ହୋଲଡରଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ୟୁଜିସି ପ୍ୟାନେଲ୍। ଯୌନ ଶୋଷଣ ଆରୋପ ଗୁଡ଼ିକର ଉପଯୁକ୍ତ ତଦନ୍ତ କରି ଆବଶ୍ୟକୀୟ ଆକ୍ସନ ନେବାରେ ଫେଲ୍ ମାରିଛି କିଟ୍ ବୋଲି ୟୁଜିସି ରିପୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଛି। ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ସମେତ ପରିଚାଳନାରେ ଗୁରୁତର ତୃଟି ପରିଲକ୍ଷିତ କରିଛି ପ୍ୟାନେଲ୍। ହଷ୍ଟେଲର ଅବସ୍ଥା ଅତି ଦୟନୀୟ। ଗୋଟିଏ ଛୋଟ ରୁମରେ ୩ଜଣ ଲେଖାଏଁ ଛାତ୍ରୀ ରହୁଛନ୍ତି। ବିନା ସାଂସ୍କୃତିକ ବିଚାରରେ ଦେଶ ବାହାରର ଛାତ୍ରୀଙ୍କୁ ରଖାଯାଉଥିଲା। ଯୌନ ଶୋଷଣ ଅଭିଯୋଗକୁ ଜାଣିଶୁଣି ଏଡ଼ାଇ ଦେଉଥିଲେ କିଟ୍ କର୍ତ୍ତୃପକ୍ଷ ନଚେତ୍ ବେଆଇନ ଭାବେ କମ୍ପ୍ରମାଇଜ୍ କରିବାକୁ ବାଧ୍ୟ କରାଯାଉଥିଲା। ନେପାଳୀ ଛାତ୍ରଛାତ୍ରୀଙ୍କୁ ଜୋରଜବରଦସ୍ତି କ୍ୟାମ୍ପସରୁ ବାହାର କରିବା, ସୁରକ୍ଷାକର୍ମୀଙ୍କୁ ଲଗାଇ ମାଡ଼ ମାରିବା ଆଦି ଘଟଣାକୁ ବି ଇଙ୍ଗିତ କରିଛି ପ୍ୟାନେଲ୍। ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସିର ସଦସ୍ୟ ଓ ୟୁନିଭରସିଟିର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଉତ୍ତରଦାୟୀ କରିଛି ୟୁଜିସି। ଏମାନଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରି ଆକ୍ସନ ନିଆଯିବା ଦରକାର ବୋଲି ସୁପାରିଶ କରିଛି ପ୍ୟାନେଲ୍। କାରଣ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଯୌନ ଶୋଷଣ ସମ୍ୱନ୍ଧୀୟ ଅଭିଯୋଗ ଉପରେ ଆକ୍ସନ ନେବାରେ ଫେଲ୍ ମାରିଛି। ତଦନ୍ତରେ କୌଣସି ସ୍ୱଛତା କି ପ୍ରୋଟୋକଲର ଅନୁପାଳନ ହୋଇନି। ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିବା ଆଗରୁ ଦୁଇ ଦୁଇ ଥର କିଟ ପ୍ରଶାସନକୁ ଅବଗତ କରାଇଥିଲେ। କିନ୍ତୁ ସବୁଥର ବେଆଇନ ଭାବେ କମ୍ପ୍ରମାଇଜ୍ କରିବାକୁ ଆଇସିସି ସଦସ୍ୟ ଛାତ୍ରୀଙ୍କ ଉପରେ ଚାପ ପକାଇଥିଲେ। ସଂପୃକ୍ତ ଯୁବକକୁ ଦଣ୍ଡବିଧାନ ଲାଗି ୟୁନିଭରସିଟିର କ୍ଷମତା ଥିବା ସତ୍ତ୍ୱେ ଏହା ନ କରି ପାଲଟା ଫେବର ଦର୍ଶାଇଥିଲେ ମେମ୍ୱର। ଆଉ ଏହି ଘଟଣାରେ ମର୍ମାହତ ଛାତ୍ରୀ ଜଣକ ବାଧ୍ୟ ହୋଇଥିଲେ ଆତ୍ମହତ୍ୟା କରିବାକୁ। ନ୍ୟାୟ ଦିଆଯାଇଥିଲେ ହୁଏତ ଝିଅଟି ଏଭଳି ଚରମ ପଦକ୍ଷେପ ନେଇନଥାନ୍ତା। ଫେବୃଆରୀ ୧୬ରେ ପ୍ରକ୍ରିତି ଲାମସାଲ, ବିଟେକର ତୃତୀୟ ବର୍ଷ ଛାତ୍ରୀ ହଷ୍ଚେଲ ରୁମରେ ଆତ୍ମହତ୍ୟା କରିଥିଲେ। ମେ ୨ରେ ଆଉ ଜଣେ ନେପାଳୀ ଛାତ୍ରୀ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଥିଲେ।


Naxatra News is now on Whatsapp
Join and get latest news update delivered to you via whatsapp
Join Now