କାର୍ତ୍ତିକ ମାସର ପଞ୍ଚକବ୍ରତ ଆରମ୍ଭ ହୋଇଛି। ଚଳିତବର୍ଷ ପଞ୍ଚକ ବ୍ରତ ୫ ଦିନ ପରିବର୍ତ୍ତେ ୪ ଦିନ ଅନୁଷ୍ଠିତ ହେବ। ସେଥିପାଇଁ ଚଳିତବର୍ଷ ମହାପ୍ରଭୁଙ୍କ ଲଷ୍ମୀନୃସିଂହ ବେଶକୁ ବାଦ ଦେଇ ଅନ୍ୟ ୪ ଟି ବେଶ ଅନୁଷ୍ଠିତ ହେବ । ଏହି ୪ ଦିନରେ ମହାପ୍ରଭୁ ଭିନ୍ନ ଭିନ୍ନ ବେଶରେ ସଜେଇ ହେବେ।
ପଞ୍ଚକ ବ୍ରତର ପ୍ରଥମ ଦିନ ବଡ ଏକାଦଶୀ ତିଥିରେ ଠିଆକିଆ ବେଶ ବା ଲକ୍ଷ୍ମୀନାରାୟଣ ବେଶରେ ସଜେଇ ହୋଇଛନ୍ତି ମହାପ୍ରଭୁ। ଏହି ଦୁର୍ଲଭ ବେଶକୁ ଦର୍ଶନ କରି ଶ୍ରଦ୍ଧାଳୁ ବିମୋହିତ ହୋଇଯାଉଛନ୍ତି। ସେହିପରି ବୁଧବାର ମହାପ୍ରଭୁ ବାଙ୍କଚୁଡା ବେଶ ପରେ ଗୁରୁବାର ଡାଳିକିଆ କିମ୍ବା ତ୍ରିବିକ୍ରମ ବେଶ ଓ ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣମାରେ ଚତୁର୍ଦ୍ଧାମୂର୍ତ୍ତି ସୁନାବେଶରେ ସଜେଇ ହେବେ। ତେବେ ଅତ୍ୟଧିକ ଭିଡ଼କୁ ଦୃଷ୍ଟିରେ ରଖି ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ଲୋକମାନେ ବ୍ୟାରିକେଡ଼ରେ ଯାଇ ସିଂହଦ୍ୱାର ପଟେ ପ୍ରବେଶ କରି ଅନ୍ୟ ତିନି ଦ୍ୱାର ପଟେ ପ୍ରସ୍ଥାନ କରୁଛନ୍ତି। ପଞ୍ଚକ ୪ ଦିନ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଟ୍ରାଫିକ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ଅନ୍ୟପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଦର୍ଶନ ଶୃଙ୍ଖଳା କରାଯାଇଛି l ମହାପ୍ରଭୁଙ୍କ ନୀତିକାନ୍ତି ତଥା ଭକ୍ତଙ୍କ ଦର୍ଶନ ଶୃଙ୍ଖଳା ଦୃଷ୍ଟିରୁ ନିଆଯାଇଥିବା ଏହି ପଦକ୍ଷେପ ସକାଶେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ। ସେପଟେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ଚରମ ବିଶୃଙ୍ଖଳା ଦେଖାଦେଇଛି। ସିଂହଦ୍ଵାର ସମ୍ମୁଖରେ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଠେଲାପେଲା। ବ୍ୟାରିକେଡରେ ପ୍ରବେଶ କରିବା ପରିବର୍ତ୍ତେ ସିଂହଦ୍ଵାର ସମ୍ମୁଖରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଛନ୍ତି। ଫଳରେ ଭିଡ଼ ଭିତରେ ଛୋଟ ପିଲା ଓ ବୟସ୍କ ବ୍ୟକ୍ତି କଲବଲ ହୋଇଛନ୍ତି।
ଶ୍ରୀମନ୍ଦିରରେ ହରିଉତ୍ଥାପନ ଏକାଦଶୀ ନୀତି। ଠାକୁର ଆଷାଢ଼ ଶୁକ୍ଳ ଏକାଦଶୀରେ ନିଦ୍ରା ଯାଇଥିଲେ । ୪ମାସ ପରେ ହରିଉତ୍ଥାପନ ଏକାଦଶୀ ଅବସରରେ ନିଦ୍ରାରୁ ଉଠିଥିଲେ ମହାପ୍ରଭୁ।
Naxatra News is now on Whatsapp
Join and get latest news update delivered to you via whatsapp
Join Now