ଥମୁନି ଲସଏଞ୍ଜେଲ୍ସ ହିଂସା..

ଲସ ଏଞ୍ଜେଲସରେ ହଙ୍ଗାମା ଓ ଅରାଜକତା ଜାରି ରହିଛି। ନାସନାଲ ଗାର୍ଡସ ମୁତୟନ ସତ୍ତ୍ୱେ ଥମୁନି ହିଂସା। ଅବୈଧ ପ୍ରବାସୀଙ୍କ ବିରୁଦ୍ଧରେ ଚାଲିଥିବା ଅଭିଯାନ ବିରୁଦ୍ଧରେ ଲସ ଏଞ୍ଜେଲ୍ସର ଦଙ୍ଗା ସ୍ଥିତି ଉପୁଜିଛି। ଲୋକେ ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ସଡ଼କକୁ ଓହ୍ଲାଇଛନ୍ତି। ଏହା ହିଂସା ରୂପ ନେଇସାରିଛି। ଅନେକ ଗାଡ଼ିରେ ନିଆଁ ଲଗାଇଦେଇଛନ୍ତି। ପରିସ୍ଥିତିକୁ ମୁକାବିଲା ଲାଗି ଟ୍ରମ୍ପ ନାସନାଲ ଗାଇଡ୍ସ ବି ମୁତୟନ କରିଛନ୍ତି। ତା ସତ୍ତ୍ୱେ ସ୍ଥିତି ନିୟନ୍ତ୍ରଣକୁ ଆସୁନି। ଆନ୍ଦୋଳନକାରୀ ତୃତୀୟ ଦିନରେ ବି ଅନେକ ଗାଡ଼ିରେ ନିଆଁ ଲଗାଇବା ସହ ରାସ୍ତା ଅବରୋଧ କରିଛନ୍ତି। ସୁରକ୍ଷାବଳ ଆନ୍ଦୋଳନକାରୀଙ୍କ ଉପରେ ଲୁହବୁହ ଗ୍ୟାସ ପ୍ରୟୋଗ ସହ ରବର ବୁଲେଟ ମାଡ଼ କରିଛନ୍ତି। ଡାଉନଟାଉନର ମେଟ୍ରୋପଲିଟାନ ଡିଟେନସନ ସେଣ୍ଟର ବାହାରେ ଶତାଧିକ ଲୋକ ରୁଣ୍ଡ ହୋଇ ବିକ୍ଷୋଭ ଜାରି ରଖିଛନ୍ତି। ଏହି ଡିଟେନସେନ ସେଣ୍ଟରରୁ ଅବୈଧ ଅପ୍ରବାସୀଙ୍କୁ ହେପାଜତରେ ରଖାଯିବା ନେଇ ଆନ୍ଦୋଳନର ନିଆଁ ତେଜିଛି। ପୁଲିସ ଆନ୍ଦୋଳନକାରୀଙ୍କ ଭିତରେ ଧସ୍ତାଧସ୍ତି ରୁ ପୁଲିସ ଉପରକୁ ବିକ୍ଷୋଭକାରୀମାନେ ପଥର ମାଡ଼ ବି କରିଛନ୍ତି। କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗୋଓ୍ୱିନ୍ ନ୍ୟୁଜକମ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖି ନାସନାଲ ଗାଇଡ୍ସଙ୍କୁ ହଟାଇବାକୁ ଦାବି କରିଛନ୍ତି। ସେନା ମୁତୟନ ପରେ ସହରରେ ଉତ୍ତେଜନା ବଢ଼ିଛି। ଏଭଳି ସେନା ମୁତୟନ ଦ୍ୱାରା ରାଜ୍ୟର ସଂପ୍ରଭୁତାର ଗଭୀର ଉଲ୍ଲଂଘନ ହୋଇଥିବା ଦର୍ଶାଇଛନ୍ତି ଗଭର୍ଣ୍ଣର ନ୍ୟୁଜକମ୍। ରାଷ୍ଟ୍ରପତି ଜାଣିଶୁଣି ନାଗରିକଙ୍କ ଭିତରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ଲସଏଞ୍ଜେଲସରେ ସ୍ଥିତିକୁ ନିୟନ୍ତ୍ରଣ ଲାଗି ପୁଲିସ ବେଶ୍ ସକ୍ଷମ ଅଟେ। ଏହା ସହ ଆଇନକୁ ହାତକୁ ନ ନେବାକୁ ଆନ୍ଦୋଳନକାରୀଙ୍କୁ ଅପିଲ୍ କରିଛନ୍ତି ଗଭର୍ଣ୍ଣର। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ପରାମର୍ଶ ଦେଇଛନ୍ତି। ଯଦି ଟ୍ରମ୍ପ ସେନାକୁ ହଟାଇବେନି, ତେବେ ସେ ଆଇନର ଆଶ୍ରୟ ନେବେ ବୋଲି ଧମକ ଦେଇଛନ୍ତି ଗଭର୍ଣ୍ଣର। ଅପ୍ରବାସ ବିଭାଗ ପକ୍ଷରୁ ଦେଶତମାମ ତଲାସି ଅଭିଯାନ ଜାରି ରହି ବେଆଇନ ନାଗରିକଙ୍କୁ ଗିରଫଦାରି ଜାରି ରହିଛି। ଗଲା ସପ୍ତାହରେ ଲସଏଞ୍ଜେଲ୍ସରୁ ୧୧୮ ଜଣଙ୍କୁ ଗିରଫ କରାଯାଇଛି। ଏହାକୁ ବିରୋଧ କରି ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ ଲୋକେ ଅପ୍ରବାସନ ବିଭାଗର ଡିଟେନସଟ ସେଣ୍ଟର ଆଗରେ ବିକ୍ଷୋଭ ଜାରି ରଖିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ କାଲିଫର୍ଣ୍ଣିଆ ଗଭର୍ଣ୍ଣର ଓ ଲସଏଞ୍ଜେଲ୍ସ ମେୟରଙ୍କ ଉପରେ କ୍ଷୋଭ ଝାଡ଼ି ଆଇନଶୃଙ୍ଖଳା ପରିସ୍ଥିତି ସମ୍ଭାଳିବାରେ ବିଫଳ ବୋଲି ଆରୋପ ଲଦିଥିଲେ। ଆଉ ଦଙ୍ଗା ନିୟନ୍ତ୍ରଣ ଲାଗି ନାସନାଲ ଗାଇଡ୍ସକୁ ମୁତୟନ କରିବାକୁ ନିଷ୍ପତ୍ତି ନେଇଥିଲେ। ଅବୈଧ ନାଗରିକଙ୍କୁ ବିଦ୍ରୋହୀ ବୋଲି ବିବେଚନା କରିଛନ୍ତି ଟ୍ରମ୍ପ। ଦଙ୍ଗା ସ୍ଥିତି ଲାଗି ଗଭର୍ଣ୍ଣର ଓ ମେୟର କ୍ଷମା ମାଗିବା ଉଚିତ। ଆନ୍ଦୋଳନକାରୀ ନାଁରେ ଉପଦ୍ରବୀ ମାତିଛନ୍ତି। ମାସ୍କ ପିନ୍ଧି ହିଂସା ଉପଜାଉଛନ୍ତି। ସେଥିଲାଗି ମାସ୍କଧାରୀଙ୍କୁ ଆଗ ଧରି ଆକ୍ସନ ନେବାକୁ ନିର୍ଦେଶ ଦେଇଛନ୍ତି ଟ୍ରମ୍ପ। ଶୁୂକ୍ରବାରଠୁ ଆଇସିଇ ବା ଆମେରିକା ଇମିଗ୍ରେସନ ଆଣ୍ଡ କଷ୍ଟମ୍ସ ଏନଫୋର୍ସମେଣ୍ଟ ରେଡ୍ ଜାରି ରଖିଛି। ୨୦୨୪ ଅନୁସାରେ ଲସ ଏଞ୍ଜେଲ୍ସରେ ୧୩.୫ ଲକ୍ଷ ଅଣନାଗରିକ ରହୁଛନ୍ତି। ଏଭଳି ଅଣନାଗରିକଙ୍କୁ ଗିରଫ ପରେ ଡାଉନଟାଉନର ସିଭିକ ସେଣ୍ଟର, ଲିଟିଲ ଟୋକିୟୋ ଓ ଚାଇନାଟାଉନ୍ ଭଳି ଅଞ୍ଚଳରେ ଆନ୍ଦୋଳନ ହିଂସାର ରୂପ ନେଇଛି। ଅନେକ ଦୋକାନରେ ଲୁଟପାଟ ହୋଇଛି। ଏଲନ ମସ୍କ ଜଳିଥିବା କାରରେ ମେକ୍ସିକୋ ପତାକା ଉଡ଼ୁଥିବାର ଫଟୋ ସେୟାର କରି ଏହାକୁ ବିରୋଧ କରିଛନ୍ତି। ସେନାର ଏଭଳି ଆକ୍ସନ ଅନୁଚିତ୍। ରାଷ୍ଟ୍ରପତି ଟ୍ରମ୍ପ ବି ଆନ୍ଦୋଳନକାରୀଙ୍କୁ ବିଦ୍ରୋହୀ ବୋଲି ବିବେଚନା କରିଛନ୍ତି। ଏହା ପୂର୍ବରୁ ଲସଏଞ୍ଜେଲ୍ସରେ ୨ହଜାର ଫେଡେରାଲ ଫୋର୍ସ ପଠାଇଥିଲେ ଟ୍ରମ୍ପ। କାଲିଫର୍ଣ୍ଣିଆ ରାଜ୍ୟର ସୀମା ମେକ୍ସିକୋକୁ ଲାଗିଛି। ଅପ୍ରବାସୀ ମେକ୍ସିକୋ ସୀମା ପାର୍ କରି ଆମେରିକା ପହଞ୍ଚନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *