ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ହାର ୧୨.୯୮ ପ୍ରତିଶତ ହୋଇଛି

Spread the love

ଭୁବନେଶ୍ୱର : ୨୦୦୨- ୦୩ରୁ ୨୦୨୧-୨୨ ମଧ୍ୟରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ହାର ୧୨.୯୮ ପ୍ରତିଶତ ହୋଇଛି । ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ଶିଳ୍ପ ଓ ଶିଳ୍ପାୟନ କ୍ଷେତ୍ରରେ ବେଶ୍ ଅଗ୍ରଗତି ହୋଇପାରିଛି । ଟେକ୍ସଟାଇଲ, ଟେକ୍ନିକାଲ ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ, ଆତିଥ୍ୟ ଇତ୍ୟାଦି ଅଧିକ ରୋଜଗାର ସୃଷ୍ଟି କରୁଥିବା କ୍ଷେତ୍ରଗୁଡ଼ିକରେ ସରକାର ଅଧିକ ଶିଳ୍ପ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଆଂଚଳିକ ବୈଷମ୍ୟକୁ ପରାହତ କରିବାକୁ ଶିଳ୍ପ ବିକାଶରେ ମଧ୍ୟ ଆଞ୍ଚଳିକ ସମାନତା ଉପରେ ଗୁରୁତ୍ୱ ଦିଆଯାଉଛି । ଶିଳ୍ପ ବିକାଶରେ ଆଞ୍ଚଳିକ ସମାନତାକୁ ଦୃଷ୍ଟିରେ ରଖି ବିଜୁ ଏକ୍ସପ୍ରେସ୍‌ୱେ ଓ ବିଜୁ ଆର୍ôଥକ କରିଡରର ବିକାଶ ପାଇଁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ସୂଚନା ଦେଇଛନ୍ତି ।

ଗୁରୁବାର ମୁଖ୍ୟମନ୍ତ୍ରୀ ଶିଳ୍ପ ବିଭାଗର ସମୀକ୍ଷା କରିଥିଲେ । ସମୀକ୍ଷା ପରେ ମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ଓଡ଼ିଶା ଦେଶର ଦ୍ରୁତତମ ଅଭିବୃଦ୍ଧିଶୀଳ ରାଜ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ଓ ପୁଞ୍ଜିବିନିଯୋଗକୁ ଆକର୍ଷିତ କରିବାରେ ଦ୍ୱିତୀୟ ସ୍ଥାନରେ ରହିଛି । ଶିଳ୍ପନୀତି, ଭିତିଭୂମି ବିକାଶ ଏବଂ କର୍ମକୁଶଳତାର ତିନୋଟି ବିନ୍ଦୁ ଉପରେ ଧ୍ୟାନ ରଖି ରାଜ୍ୟ ନିବେଶକମାନଙ୍କ ପାଇଁ ପସନ୍ଦଯୋଗ୍ୟ ସ୍ଥାନ କରିପାରିଛି ।

ସେହିପରି ବିଭାଗର ପ୍ରମୁଖ ଶାସନ ସଚିବ  ହେମନ୍ତ ଶର୍ମା କହିଥିଲେ ଯେ ମେଟାଲ୍‌, ମେଟାଲ୍ ଡାଉନ୍ ଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ ଶିଳ୍ପ, କେମିକାଲସ୍ ଏବଂ ପେଟ୍ରୋକେମିକାଲସ୍‌, ଟେକ୍ସଟାଇଲ୍ ଏଣ୍ଡ ଟେକ୍‌ନିକାଲ ଟେକ୍ସଟାଇଲ୍‌, ଆଇ.ଟି/ଆଇଟିଏସ୍‌, ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ ଇତ୍ୟାଦି କ୍ଷେତ୍ରକୁ ସରକାରଙ୍କ ଗୁରୁତ୍ୱ ଯୋଗୁ ପ୍ରମୁଖ ଶିଳ୍ପ ନିବେଶମାନଙ୍କୁ ଓଡ଼ିଶା ଆକର୍ଷିତ କରିପାରୁଛି । ପୁଞ୍ଜିବିନିଯୋଗରେ ଅଭିବୃଦ୍ଧି, ଶିଳ୍ପ ପାର୍କ, ସ୍ୱତନ୍ତ୍ର ଇକୋନୋମିକ୍ ଜୋନ୍ ଏବଂ ଉତ୍ସର୍ଗୀକୃତ ଶିଳ୍ପ କରିଡର ପରି ବିଶ୍ୱସ୍ତରୀୟ ଶିଳ୍ପ ଭିତିଭୂମି ପ୍ରତିଷ୍ଠା ଦ୍ୱାରା ନିବେଶକମାନେ ଆକୃଷ୍ଟ ହୋଇପାରୁଛନ୍ତି । ଏହି ପଦକ୍ଷେପଗୁଡ଼ିକ କେବଳ ବୃହତ୍ ଶିଳ୍ପଗୁଡ଼ିକୁ ଆକୃଷ୍ଟ କରିନାହିଁ ବରଂ ଏମ୍‌.ଏସ୍‌.ଏମ୍‌.ଇ ଅଭିବୃଦ୍ଧିକୁ ମଧ୍ୟ ପ୍ରୋତ୍ସାହିତ କରୁଛି ବୋଲି ଶ୍ରୀ ଶର୍ମା କହିଥିଲେ ।

ଏହି ଅବସରରେ ସେ ବିଭିନ୍ନ ଶିଳ୍ପଭିତିକ ପଲିସି ଓ ଶିଳ୍ପ ପାର୍କ ସଂପର୍କରେ ଆଲୋକପାତ କରିଥିଲେ । ଶିଳ୍ପ ବଜେଟ୍ ରେ ବୃଦ୍ଧି, ଶିଳ୍ପ ଯୋଗୁ ନିଯୁକ୍ତି ସୁଯୋଗ ଏବଂ ସର୍ବୋପରି ରାଜ୍ୟରେ ଶିଳ୍ପ ବିକାଶର ପ୍ରମୁଖ ଫଳାଫଳ ସଂପର୍କରେ ସେ ଉପସ୍ଥାପନା ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଡ୍‌କୋ ଏବଂ ଇପିକଲ୍ ର ଅଧ୍ୟକ୍ଷ ଭୂପେନ୍ଦ୍ର ସିଂହ ପୁନିଆ, ଶିଳ୍ପ ନିର୍ଦ୍ଦେଶକ ମ. ସାଦ୍ଦିକ୍ ଆଲାମ୍ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *