ଦେଶର ପ୍ରଥମ ମୁସଲମାନ ମହିଳା ନ୍ୟୁରୋ ସର୍ଜନ, ମାରିୟମ

Spread the love

ନୂଆଦିଲ୍ଲୀ: ଜଣେ ଭାରତୀୟ ଝିଅଙ୍କ ସଫଳତାର କାହାଣୀ। ନିଜ ଅଦମ୍ୟ ଇଛାଶକ୍ତି ଓ  ଦକ୍ଷତା ବଳରେ ଆଜି ସେ ମୁସଲମାନ ସମ୍ପ୍ରଦାୟରୁ ଦେଶର ପ୍ରଥମ ମହିଳା ନ୍ୟୁରୋ ସର୍ଜନ ହୋଇଛନ୍ତି। ଡକ୍ତର ମାରିଅମ ଆଫିଫା ଅନସାରୀ ଏପରି ଗୌରବର ଅଧିକାରିଣୀ ହୋଇ ଅନେକ ଋଢିବାଦୀ ମୁସଲମାନଙ୍କୁ ଝିଅଙ୍କ ପ୍ରତି ସେମାନଙ୍କ ଦୃଷ୍ଟିଭଙ୍ଗି ବଦଳାଇବାକୁ ବାଧ୍ୟ କରିଛନ୍ତି।

ମୁଁ ଧଳା କୋର୍ଟ ପିନ୍ଧିବି, ଷ୍ଟେଥୋସ୍କୋପରେ ରୋଗୀଙ୍କ ପରୀକ୍ଷା କରିବି। କୁନି ଝିଅଟି ଏମିତି ସ୍ବପ୍ନ ଦେଖିଆସୁଥିଲା ତାର କୁନି କୁନି ଆଖିରେ। ଯାହା ଆଜି ସତ ହୋଇଛି। ପିଲାଟି ଦିନରୁ ମାରିୟମଙ୍କର ଲକ୍ଷ୍ୟ ଥିଲା ଜଣେ ଡାକ୍ତର ହେବେ। ନିଟ ପ୍ରବେସିକା ପରୀକ୍ଷାରେ ୧୩୭ ରାଙ୍କ ହାସଲ କରିବା ପରେ ଏହି ସ୍ବପ୍ନ ତାଙ୍କର ବାସ୍ତବ ରୂପ ନେଇଥିଲା। ସ୍କୁଲ ସମୟରୁ ମାରିୟମ ବେଶ ବିଚକ୍ଷଣ ଥିଲେ। ଅଧ୍ୟୟନ କାଳରେ ବହୁ ସଫଳତାର ଅଧିକାରୀ ହୋଇଥିଲେ ସେ। ଜଣେ ମୁସଲମାନ ଝିଅ ହୋଇଥିବାରୁ ତାଙ୍କ ପ୍ରାଥମିକ ଶିକ୍ଷା ମାଲେଗାଁଓର ଏକ ଉର୍ଦ୍ଦୁମିଡିୟରେ ହୋଇଥିଲା।

ପରେ ସମାନ ମାଧ୍ୟମରେ ସେ ନିଜ ଦଶମ ଶ୍ରେଣୀ ଶେଷ କରିଥିଲେ ହାଇଦ୍ରାବାଦରୁ। ହାଇଦ୍ରାବାଦର ରାଜକୁମାରୀ ଡୁରୁସେବାର ବାଳିକା ହାଇସ୍କୁଲରୁ ୧୦ମରେ ଟପର ହୋଇ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।  ଯୁକ୍ତ ଦୁଇ ପରେ ମାରିୟମ ଓସମାନିଆ ମେଡିକାଲ କଲେଜରୁ ଏମବିବିଏସ ଓ ସାଧାରଣ ଅସ୍ତ୍ରୋପଚାରରେ ମାଷ୍ଟର ଡିଗ୍ରୀ କରିଥିଲେ। ଏମବିବିଏସ ସମୟରେ ସେ ୫ଟି ସ୍ବର୍ଣ୍ଣ ପଦକ ପାଇଛନ୍ତି। ୨୦୧୯ରେ ସେ ତାଙ୍କ ପିଜି ଶେଷ କରି ଇଂଲଣ୍ଡର ରୋୟାଲ କଲେଜ ଅଫ ସର୍ଜନସ୍‌ ରୁ ଏମଆରସିଏସ ଶେଷ କରିଥିଲେ। ୨୦୨୦ରେ ନାସନାଲ ବୋର୍ଡ କୋର୍ସରେ ଡିପ୍ଲୋମା ମଧ୍ୟ କରିଥିଲେ। ଭାରତରେ ସ୍ପେସାଲିଷ୍ଟ ଡାକ୍ତରଙ୍କ ପାଇଁ ଏହା ଏକ ସ୍ବତନ୍ତ୍ର ପୋଷ୍ଟଗ୍ରାଜୁଏଟ ଡିଗ୍ରୀ ସମ୍ମାନ। ୨୦୨୦ ନିଟ ଏସଏସ ପରୀକ୍ଷାରେ ସେ ଟପର ହେବା ପରେ ଓସମାନିଆ ମେଡିକାଲ କଲେଜ ତରଫରୁ ତାଙ୍କୁ ମାଗଣାରେ ଏମସିଏରେ ଆଡମିଶନ ମିଳିଥିଲା।

ଆଜି ଦେଶର ପ୍ରଥମ ମୁସଲମାନ ମହିଳା ନ୍ୟୁରୋ ସର୍ଜନ ହେବା ପରେ ସେ କୁହନ୍ତି, ତାଙ୍କ ସଫଳତା ଭଗବାନଙ୍କ ଆଶୀର୍ବାଦ ଓ ଏବେ ତାଙ୍କ ଉପରେ ଅନେକ ଦାୟିତ୍ବ ରହିଛି। ଅନ୍ୟ ମୁସଲମାନ ଝିଅମାନଙ୍କ ଉଦ୍ଦେଶ୍ୟରେ ମାରିୟମ କହିଛନ୍ତି, ଲକ୍ଷ୍ୟ ପଥରେ ଅଗ୍ରସ ହୋଇଚାଲ। ଲୋକଙ୍କୁ କହିବାର ସୁଯୋଗ ଦିଅନାହିଁ। ତୁମେ କିଛି କରିପାରିବ ନାହିଁ ସେମାନଙ୍କ ଚିନ୍ତାଧାରା ଉପରେ, ହେଲେ ସେମାନଙ୍କୁ ଭୁଲ ପ୍ରମାଣିତ କରିପାରିବ।

ମାରିୟମଙ୍କ ମା ପେସାରେ ଜଣେ ଶିକ୍ଷୟିତ୍ରୀ ହୋଇଥିବା ବେଳେ ଜଣେ ଏକକ ଅଭିଭାବକ ଥିଲେ। ଆଜି ମାରିୟମଙ୍କ ସଫଳତା ପାଇଁ ମାରିୟମଙ୍କ ସହ ତାଙ୍କ ମା ମଧ୍ୟ ବେଶ ଖୁସି ଅଛନ୍ତି।

Leave a Reply

Your email address will not be published. Required fields are marked *