ନିଟ୍ ବିଭ୍ରାଟ : ଗ୍ରେସ ମାର୍କ ପରୀକ୍ଷାର୍ଥୀଙ୍କ ସ୍କୋରକାର୍ଡ ରଦ୍ଦ

ନିଟ୍ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି। ଗ୍ରେସ ମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କ ସ୍କୋରକାର୍ଡ ରଦ୍ଦ କରିଦେଇଛନ୍ତି ଅଦାଲତ। ଯଦିଓ କାଉନସେଲିଂ ଉପରେ କୌଣସି ରୋକ୍ ଲଗାଇବାକୁ ମନାକରିଦେଇଛନ୍ତି ସୁପ୍ରିମକୋର୍ଟ। କିନ୍ତୁ ଗ୍ରେସ ମାର୍କ ପାଇଥିବା ୧୫୬୩ ପରୀକ୍ଷାର୍ଥୀ ପୁଣି ପରୀକ୍ଷା ଦେବେ ବୋଲି ସ୍ପଷ୍ଟ କରିଦେଇଛନ୍ତି କୋର୍ଟ। ନିଟ୍ ବିବାଦକୁ ନେଇ ସୁପ୍ରିମକୋର୍ଟ ନୋଟିସ୍‌ ଜାରି କରି ଦୁଇ ସପ୍ତାହ ଭିତରେ ଜବାବ ମାଗିଛନ୍ତି। ଜୁଲାଇ ୮ରେ ପରବର୍ତ୍ତୀ ଶୁଣାଣୀ ହେବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ସରକାର। ଯିଏ ବି ଦୋଷୀ ନିସ୍ତାର ପାଇବେନି।

ନିଟ-ୟୁଜି ପରୀକ୍ଷାରେ ଯେଉଁ ପରୀକ୍ଷାର୍ଥୀଙ୍କୁ ଗ୍ରେସ୍ ମାର୍କ ମିଳିଥିଲା, ତାକୁ ରଦ୍ଦ କରିଦେଲେ ସୁପ୍ରିମକୋର୍ଟ। ୧୫୬୩ ପରୀକ୍ଷାର୍ଥୀ ପୁଣି ପରୀକ୍ଷା ଦେବେ। ଆଉ ଏ ପରୀକ୍ଷାର ରେଜଲ୍ଟ ଜୁନ୍ ୨୩ରେ ବାହାରିବ। ଏହା ପରେ ହିଁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସ୍ପଷ୍ଟ କରିଦେଇଛନ୍ତି ସୁପ୍ରିମକୋର୍ଟ। ଗ୍ରେସ ମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କ ସ୍କୋର୍‌ କାର୍ଡ ରଦ୍ଦ କରିଦେଇଛନ୍ତି ଅଦାଲତ।  ଗ୍ରେସ ମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କୁ ଦୁଇଟି ବିକଳ୍ପ ଦେଇଛି ଏନଟିଏ। ପୁଣି ଥରେ ପରୀକ୍ଷା ଦେବେ ନଚେତ ବିନା ଗ୍ରେସ୍‌ ମାର୍କରେ କାଉନସେଲିଂରେ ଭାଗ ନେଇପାରିବେ। ଏନଟିଏ କେବଳ ୬ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିବା ୧୫୬୩ ପରୀକ୍ଷାର୍ଥୀଙ୍କ ପାଇଁ ଏହାକୁ ଲାଗୁ କରିବ। ଏନଟିଏର ଓକିଲ କହିଥିଲେ, ଗୁରୁବାର ହିଁ ପୁନଃ ପରୀକ୍ଷାର ବିଜ୍ଞପ୍ତି ଜାରି କରାଯିବ। ଜୁନ୍ ୨୩ ସୁଦ୍ଧା ରେଜଲ୍ଟ ବାହାରିବ। ଯାହା ଫଳରେ ଜୁଲାଇରୁ ହେବାକୁ ଥିବା କାଉନସେଲିଂ ଯେମିତି ବାଧାପ୍ରାପ୍ତ ହେବନି। ଗ୍ରେସ ମାର୍କ ପାଇଥିବା ୧୫୬୩ ପରୀକ୍ଷାର୍ଥୀଙ୍କ ଭିତରୁ ଯିଏ ପୁ଼୍ଣି ଥରେ ପରୀକ୍ଷା ଦେବେନି। ସେମାନଙ୍କ ରେଜଲ୍ଟ ବିନା ଗ୍ରେସ୍‌ମାର୍କରେ ପୁରୁଣା ସ୍କୋରକାର୍ଡ ଆଧାରରେ ବିବେଚନା କରାଯିବ।

ଆବେଦନକାରୀ କାଉନସେଲିଂ ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ। ପରୀକ୍ଷାରେ ଅନିୟମିତତା, ରେଜଲ୍ଟରେ ବିଭ୍ରାଟ ଓ ନାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ଦ୍ୱାରା ୧୫ଶହରୁ ଅଧିକ ପରୀକ୍ଷାର୍ଥୀଙ୍କୁ ଲସ୍ ଅଫ ଟାଇମ୍ ଆଧାରରେ ପରୀକ୍ଷାରେ ଦିଆଯାଇଥିବା ଗ୍ରେସ ମାର୍କିଂ ଦେବା ସମ୍ୱନ୍ଧରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏହି ୩ଟି ଆଧାରକୁ ନେଇ ନିଟ୍-ୟୁଜି ୨୦୨୪ ରେଜଲ୍ଟକୁ ଚ୍ୟାଲେଞ୍ଜ୍ କରାଯାଇଥିଲା କୋର୍ଟରେ। ଏନଟିଏ ଦ୍ୱାରା ଦିଆଯାଇଥିବା ଗ୍ରେସ ମାର୍କ ମନମୁଖୀ ବୋଲି କୁହାଯାଇଥିଲା। ୭୨୦ ନମ୍ୱରରୁ ଅଧିକାଂଶ ଛାତ୍ରଛାତ୍ରୀ ୭୧୯ ଓ ୭୧୮ ନମ୍ୱର ବି ଆଣିଛନ୍ତି। ଯାହା କି ଅସମ୍ଭବ।  ଲସ୍‌ ଅଫ ଟାଇମ୍‌ର ଆଳ ନେଇ ଦିଆଯାଇଥିବା ଗ୍ରେସ ମାର୍କ ପଛପଟୁ ଅନ୍ୟାୟ ଭାବେ ପ୍ରବେଶ ଦେବାର ବାଟ ବୋଲି ଅଭିହିତ କରାଯାଇଥିଲା ପିଟିସନରେ। ଗୋଟିଏ ନିର୍ଦ୍ଦିଷ୍ଟ ସେଣ୍ଟରର ୬୭ ପରୀକ୍ଷାର୍ଥୀ ତ ୭୨୦ରୁ ୭୨୦ ନମ୍ୱର ଆଣିବା ସବୁ ସନ୍ଦେହର ସୀମା ଟପିଗଲା। ଆଉ କିଛି ଆବେଦନକାରୀ ପେପର ଲିକ୍ ବୋଲି ଦର୍ଶାଇ ଯୁକ୍ତି ବାଢ଼ିଥିଲେ ଯେ, ଘଟଣାର ଯାଞ୍ଚ ନ ସରିବା ଯାଏ କାଉନସେଲିଂକୁ ସ୍ଥଗିତ ରଖାଯାଉ। ପରୀକ୍ଷାରେ ହୋଇଥିବା ଅନିୟମିତତାର ଯାଞ୍ଚ ଏସଆଇଟି ଦ୍ୱାରା କରାଯାଉ ବୋଲି ଅନେକ ଦାବି କରିଥିଲେ। ସେପଟେ ଏନଏସୟୁଆଇ ନିଟ୍ ରେଜଲ୍ଟ ବିଭ୍ରାଟକୁ ନେଇ ବିକ୍ଷୋଭ କରିଛି। ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳୁଛି ଶିକ୍ଷା ବିଭାଗ କହି ଗର୍ଜିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନିଟ୍ ପରୀକ୍ଷାରେ କୌଣସି ଅନିୟମିତତା ହୋଇନି। ପିଲାଙ୍କ ମନରେ ଥିବା ସମସ୍ତ ସନ୍ଦେହ ଦୂର କରାଯିବ। ସରକାର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି। ଯିଏ ବି ଦୋଷୀ ନିସ୍ତାର ପାଇବେନି।

ନିଟ୍ ରେଜଲ୍ଟ ବିଭ୍ରାଟ ଓ ପେପର ଲିକ୍‌କୁ ଆଗରୁ ଖଣ୍ଡନ କରିଆସିଛି ଏନଟିଏ। ତେବେ ଏହାର ତଦନ୍ତ ଲାଗି ୟୁପିଏସସିର ପୂର୍ବତନ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଯାଞ୍ଚ କରୁଛନ୍ତି। କିଛି ଦିନ ଭିତରେ ଯାଞ୍ଚ ରିପୋର୍ଟ ସାମ୍ନାକୁ ଆସିବ। ଯେଉଁ ୬ଟି କେନ୍ଦ୍ରରେ ଗ୍ରେସମାର୍କ ଦିଆଯାଇଥିଲା, ସେଥିରେ ଛତିଶଗଡ଼ର ବାଲୋଦ, ଦନ୍ତେଓ୍ୱାଡ଼ା ଓ ବାହାଦୁରଗଡ଼ ଥିଲା। ମେଘାଳୟ, ସୁରାଟ ଓ ଚଣ୍ଡିଗଡ଼ର ଗୋଟିଏ ଲେଖାଏଁ କେନ୍ଦ୍ର ଅନ୍ତର୍ଭୁକ୍ତ।

ବ୍ୟୁରୋ ଇନପୁଟ୍ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *