ଓ୍ୱାୟାନାଡ଼ରେ ପ୍ରଳୟଙ୍କାରୀ ଭୂସ୍ଖଳନ;ମୃତ୍ୟୁ ସଂଖ୍ୟା ୩ଶହ ପାର୍

ଓ୍ୱାୟାନାଡ଼ରେ ପ୍ରଳୟଙ୍କାରୀ ଭୂସ୍ଖଳନ, ହିମାଚଳପ୍ରଦେଶରେ ବାଦଲଫଟା ବର୍ଷା ଓ ଉତ୍ତରାଖଣ୍ଡରେ ଲଗାଣ ବର୍ଷାରେ ଜନଜୀବନ ବିପଦରେ ପଡ଼ିଛି। ଓ୍ୱାୟାନାଡ଼ରେ ମୃତ୍ୟୁ ସଂଖ୍ୟା ୩ଶହ ପାର୍ କରିସାରିଲାଣି। ଆହୁରି ୨ଶହ ନିଖୋଜ ଅଛନ୍ତି। ହିମାଚଳପ୍ରଦେଶରେ ବାଦଲଫଟା ବର୍ଷାରେ ଏବେ ବି ୫୦ରୁ ଅଧିକ ଲୋକଙ୍କ ପତ୍ତା ମିଳିନି। ଆଉ ଉତ୍ତରାଖଣ୍ଡରେ ଲଗାଣ ଭାରି ବର୍ଷାରେ ୧୪ ଜଣଙ୍କ ଜୀବନ ଗଲାଣି। ୭ହଜାରରୁ ଉର୍ଦ୍ଧ୍ୱ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର ଲାଗି ବଡ଼ ଅଭିଯାନ ଜାରି ରହିଥିଲା।

ଘର ଭାସିଗଲା। ପରିବାର ବିଛିନ୍ନ ହୋଇଗଲେ। ନିଜ ଆଖି ଆଗରେ ଚାଲିଗଲା ପରିଜନଙ୍କ ଜୀବନ। କିଏ ମାତି ତଳେ ପୋତିହୋଇଗଲା ତ କିଏ ନଦୀରେ ଭାସିଗଲା। ଓ୍ୱାୟାନାଡ଼ରେ ପ୍ରଳୟଙ୍କାରୀ ଭୂସ୍ଖଳନ, ହିମାଚଳପ୍ରଦେଶରେ ବାଦଲଫଟା ବର୍ଷା ଓ ଉତ୍ତରାଖଣ୍ଡରେ ଲଗାଣ ବର୍ଷାରେ ଜନଜୀବନ ବିପଦରେ ପଡ଼ିଛି। କେରଳର ଓ୍ୱାୟାନାଡ଼ରେ ପ୍ରଳୟଙ୍କାରୀ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୩ଶହ ପାର୍ କରିସାରିଛି। ରେସକ୍ୟୁ ଅପରେସନ ଜାରି ରହିଛି। ଚୁରଲମାଲାରେ ବାୟୁସେନାର ହେଲିକେପ୍ଟରକୁ ବି ଷ୍ଟାଣ୍ଡ୍‌ବାଏରେ ରଖାଯାଇଛି। ଅଭିନେତା ମୋହନଲାଲ ଯିଏ ବି ଟେରିଟୋରି ଆର୍ମିରେ ଅନରାରି ଲେଫ୍ଟନାଣ୍ଟ କୋଲୋନେଲ ଅଛନ୍ତି, ସେ ବି ଓ୍ୱାୟାନାଡ଼ରେ ପହଞ୍ଚି ରେସକ୍ୟୁ ଅପରେସନକୁ ଦେଖିବା ସହ ପ୍ରଭାବିତ ଅଞ୍ଚଳ ବୁଲିଥିଲେ। ଏଭଳି ବଡ଼ ଧରଣର ଭୂସ୍ଖଳନ ବିପତ୍ତିରେ ସେ ମର୍ମାହତ ବୋଲି କହିଛନ୍ତି। ଏବେ ବି କାଦୁଅ ଭିତରେ ଅନେକ ଲୋକ ଥିବା ଆଶଙ୍କା କରାଯାଉଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରେସକ୍ୟୁ ଅପରେସନ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଲାଣି। ୯୩ଟି ଆଶ୍ରୟସ୍ଥଳରେ ୧୦ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ରଖାଯାଇଛି। ୧୪୮ ଜଣଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ରେସକ୍ୟୁ ଅପରେସନରେ ୧୪ଶହରୁ ଅଧିକ ଲୋକ ନିୟୋଜିତ ଅଛନ୍ତି। ଡ୍ରୋନ୍ ଭିତ୍ତିକ ରାଡାର ଖୁବଶୀଘ୍ର ନିୟୋଜିତ କରାଯିବ। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ୧ ଲକ୍ଷ ଟଙ୍କା ଓ ତାଙ୍କ ପତ୍ନୀ ଟି.କେ.କମଳା ୩୩ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଇଛନ୍ତି। ସେପଟେ ଭାରତୀୟ ସେନା ଜବାନମାନେ ବି ରେସକ୍ୟୁ ଅପରେସନକୁ ସହଜ କରିବାକୁ ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି। ତାଣ୍ଡବର ୫ ଦିନ ପରେ ବି ମାଟି କାଦୁଅ ଓ ବନ୍ୟାପାଣିରୁ ଶବ ଉଦ୍ଧାର ଚାଲିଛି।

ଉତ୍ତରାଖଣ୍ଡରେ ଭାରି ବର୍ଷା ଲାଗି ଶନିବାର ବି ସକାଳୁ ରେସକ୍ୟୁ ଅପରେସନ ଆରମ୍ଭ ହୋଇପାରିନଥିଲା। କେଦାରନାଥରେ ୪ଶହରୁ ଅଧିକ ତୀର୍ଥଯାତ୍ରୀ ଫସିଛନ୍ତି। ଏନଡିଆରଏଫ ଓ ଏସଡିଆରଏଫ ସେଥିଲାଗି ପାଦରେ ଚାଲି ଚାଲି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ। ଗଲା ଦୁଇ ଦିନ ଭିତରେ ୭ହଜାରରୁ ଅଧିକ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବାରେ ସକ୍ଷମ ହୋଇଛନ୍ତି ଉଦ୍ଧାରକାରୀ ଦଳ। ଏୟାରଲିଫ୍ଟ ସହ ଅନ୍ୟାନ୍ୟ ବିକଳ୍ପ ରାସ୍ତା ଦେଇ ଉଦ୍ଧାର କରାଯାଇଥିଲା। ଖରାପ ପାଗ ଲାଗି ଏମଆଇ-୧୭ ବିମାନ ବି ଉଡ଼ାଣ କରିପାରିନଥିଲା। ଭୀମବଳି, ଗୌରୀକୁଣ୍ଡରେ ଥିବା ଆଶ୍ରୟସ୍ଥଳରେ ତୀର୍ଥଯାତ୍ରୀଙ୍କୁ ରଖି ମାଗଣା ଖାଦ୍ୟ ଓ ପିଇବା ପାଣିର ବ୍ୟବସ୍ଥା କରିଛି ପ୍ରଶାସନ। ହେଲ୍ପଲାଇନ ନମ୍ୱର ବି ଜାରି କରାଯାଇଛି।ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ କହିଛି ଯେ, ଯମୁନୋତ୍ରୀ, ଗଙ୍ଗୋତ୍ରୀ ଓ ବଦ୍ରିନାଥ ଯାତ୍ରା ସୂଚାରୂରୂପେ ଜାରି ରହିଛି। କେବଳ କେଦାରନାଥ ଯାତ୍ରାକୁ ଅସ୍ଥାୟୀ ଭାବେ ନିଲମ୍ୱିତ କରାଯାଇଛି। ଏଭଳି ଯାତ୍ରା ପୂର୍ବରୁ ପାଣିପାଗର ପୂର୍ବାନୁମାନ ତଥ୍ୟକୁ ଦେଖିବାକୁ ଅପିଲ୍ କରାଯାଇଛି। ଜୁଲାଇ ୩୧ରେ ପ୍ରବଳ ବର୍ଷାରୁ କେଦାରନାଥ, ଟିହରି, ଚମୋଲି, ଡେରାଡୁନ୍ ଓ ହରିଦ୍ୱାର ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି।

ସେପଟେ ହିମାଚଳପ୍ରଦେଶରେ ବାଦଲଫଟା ବର୍ଷାରେ ଏବେ ବି ୫୦ଜଣଙ୍କ ପତ୍ତା ମିଳୁନି। ଏହା ଉପରେ ପୁଣି ବିପତ୍ତି ଉପରେ ବିପତ୍ତି ମାଡ଼ି ଆସିଲାଣି। ଦାରଚା ପାଖରେ ବାଦଲଫଟା ବର୍ଷାରେ ଦୁଇଟି ପୋଲ କ୍ଷତିଗ୍ରସ୍ତ ହୋଇଛି।  ସିମଲା, ମଣ୍ଡି ଓ କୁଲୁରେ ଏ ଯାଏ ୭ଜଣଙ୍କ ମୃତ ଦେହ ଉଦ୍ଧାର କରାଗଲାଣି। ୬୦ରୁ ଉର୍ଦ୍ଧ୍ୱ ଘର ଭାସିଯାଇଥିଲା। ଏନଡିଆରଏଫ ଓ ଏସଡିଆରଏଫ ଫସିଥିବା ଲୋକଙ୍କୁ ଉଦ୍ଧାର ଲାଗି ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ସେନା ଅସ୍ଥାୟୀ ପୋଲ କରି ଲୋକଙ୍କ ପାଖକୁ ଯିବାକୁ ପ୍ରୟାସ କରିଥିଲେ। ବାଦଲଫଟା ବର୍ଷା ଲାଗି ଅନେକ ଜାଗାରେ ଭୂସ୍ଖଳନ ବି ହୋଇଛି। ଗମନାଗମନ ବାଧାପ୍ରାପ୍ତ ହୋଇଛି। କୁଲ୍ଲୁ-ମନାଲୀ ବାଇପାସ୍ ରୋଡରେ ଗାଡିର ଲମ୍ୱା ଲାଇନ୍ ଲାଗିଥିଲା। କୁଲ୍ଲୁ-ମନାଲି ରାଜପଥ ଧୋଇଯିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଭାବିତ ରାମପୁରର ସମେଜ ଗାଁରୁ ସିଆଇଏସଏଫ ଜବାନ ବି ଭଙ୍ଗା ଘରୁ ଲୋକଙ୍କ ଆସବାବପତ୍ର କାଢ଼ିବାରେ ଲାଗିଛନ୍ତି। ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ୫୦ହଜାର ଟଙ୍କା ଓ ଆସନ୍ତା ୩ ମାସ ଯାଏ ୫ହଜାର ଟଙ୍କା ଲେଖାଏଁ ଭଡ଼ା ବାବଦକୁ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ଏହା ସହ ଖାଦ୍ୟ, ଗ୍ୟାସ୍ ସିଲିଣ୍ଡର ସହ ଅନ୍ୟାନ୍ୟ ଅତ୍ୟାବଶକୀୟ ସାମଗ୍ରୀ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଭୂସ୍ଖଳନ, ବାଦଲଫଟା ବର୍ଷା ଓ ଲଗାଣ ବର୍ଷା ଦାଉ ସାଧିଛି। ଅନେକଙ୍କ ଜୀବନ ନେଇଗଲା। ଅନେକ ଏବେ ବି ନିଖୋଜ। ଆଉ ଅନେକ ବିପଦ ମୁହଁରେ। ପ୍ରକୃତିର ଏଭଳି କୋପ ଯେମିତି କେରଳ, ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ସୀମିତ ନୁହେଁ। ବରଂ ପ୍ରାୟ ଜାଗାରେ ଏହାର ବିଭୀଷିକା ଦେଖିବାକୁ ମିଳିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *