ବିଚାର ବିଭାଗୀୟ ତଦନ୍ତ ପୁଲିସର ମନୋବଳ ଭାଙ୍ଗିଦେଉଛି

ଜଣେ ଆନ୍ଦୋଳନରତ ଚାଷୀଙ୍କ ମୃତ୍ୟୁ ସନ୍ଦର୍ଭରେ ବିଚାର ବିଭାଗୀୟ ତଦନ୍ତ ନେଇ ପଞ୍ଜାବ ଓ ହରିଆଣା ହାଇକୋର୍ଟ ଦେଇଥିବା ରାୟ ବିରୁଦ୍ଧରେ ଯାଇ ଏଭଳି ଯୁକ୍ତି ଦର୍ଶାଇଛନ୍ତି ହରିଆଣା ସରକାର। ଏହା ଉପରେ ରହିତାଦେଶ ଲାଗି କରିଥିବା ପ୍ରାର୍ଥନା କାଟ୍ ଖାଇଛି ସୁପ୍ରିମକୋର୍ଟରେ। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ କହିଛନ୍ତି, ପୁଲିସ ଦ୍ୱାରା ବଳପ୍ରୟୋଗ ସମ୍ପର୍କରେ କମିଟି ରିପୋର୍ଟ ଦେବ। ଏହା ଉପରେ ହାଇକୋର୍ଟ ନଚେତ୍ ସୁପ୍ରିମକୋର୍ଟ ବିଚାର କରିବେ। ଏମଏସପିକୁ ଆଇନଗତ ମାନ୍ୟତା ଦେବା ଦାବିରେ ପଞ୍ଜାବ-ହରିଆଣା ସୀମାରେ ଆନ୍ଦୋଳନରତ ଚାଷୀ ଶୁଭକରନ ସିଂଙ୍କ ଫେବୃଆରୀ ୨୧ରେ ମୃତ୍ୟୁ ହୋଇଥିଲା। ଅଭିଯୋଗ ହୋଇଥିଲା, ଶୁଭକରନଙ୍କ ମୃତ୍ୟୁ ହରିଆଣା ପୁଲିସ ଗୁଳିରେ ହୋଇଛି। ଏ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଶୁଭକରନଙ୍କ ପରିବାର। ଏହାର ଶୁଣାଣୀ କରି ପଞ୍ଜାବ ଓ ହରିଆଣା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜିଏସ ସନ୍ଧାଓ୍ୱାଲିଆ ଓ ଜଷ୍ଟିସ୍ ଲପିତା ବାନାର୍ଜୀ କହିଥିଲେ, ତଦନ୍ତ ଭାର ପଞ୍ଜାବ କି ହରିଆଣା ପୁଲିସକୁ ଦେଇହେବନି ଏ କଥା ସତ। ସେଥିଲାଗି ହାଇକୋର୍ଟ ୩ ଜଣିଆ କମିଟି ଗଠନ କରିଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜୟଶ୍ରୀ ଠାକୁରଙ୍କ ଅଧ୍ୟକ୍ଷତାରେ କମିଟିରେ ପଞ୍ଜାବ ଅତିରିକ୍ତ ଡିଜି ପାରମୋଦ୍ ବାନ୍ ଓ ହରିଆଣାର ଅତିରିକ୍ତ ଡିଜି ଅମିତାଭ ସିଂ ଧିଲୋନ ଅଛନ୍ତି। ଏହାରି ଭିତରେ ମାମଲା ସୁପ୍ରିମକୋର୍ଟରେ ଫାଇଲ୍ ହୋଇଥିଲା। ଶୁଣାଣୀ ବେଳେ ହରିଆଣା ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଜୁଡ଼ିସିଆଲ କମିଟିକୁ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଏହା ପୁଲିସର ମନୋବଳକୁ ହତୋତ୍ସାହ କରିଦେଉଛି। ଏହାର ଉତ୍ତରରେ ବିଚାରପତି କହିଥିଲେ,ଚାଷୀଙ୍କ ମୃତ୍ୟୁ ସମ୍ୱନ୍ଧରେ ଅନେକ ଭିଡ଼ିଓ ଭାଇରାଲ ହେଉଛି। ବାସ୍ତବରେ ଏହା ସତ ନା ମିଛ। ଯଦି ମିଛ ହୋଇଥିବ, ପୁଲିସ ତଦନ୍ତ କରି ଏହାକୁ କମିଟିକୁ ଦେବ। କିନ୍ତୁ ଏଜି କହିଥିଲେ, କମିଟି କେମିତି ଏହାକୁ ପରଖିବ ଯେ, ସେତେବେଳେ ପୁଲିସ ଅଧିକ ବଳପ୍ରୟୋଗ କରିଥିଲା ନା ନାହିଁ। ଜଷ୍ଟିସ କାନ୍ତ କହିଥିଲେ, ଅପେକ୍ଷା କରିବା। ଆଗ କମିଟି କଅଣ ଅନୁଧ୍ୟାନ କଲା ଓ ରିପୋର୍ଟ ଦେଉଛି। କମିଟି କେବଳ ରିପୋର୍ଟ ଦେବ। ନିଷ୍ପତ୍ତି ତ ହାଇକୋର୍ଟ ନଚେତ ସୁପ୍ରିମକୋର୍ଟ ନେବେ। ଜଷ୍ଟିସ୍ ଭୂୟାଁ କହିଥିଲେ, କମିଟିର ନେତୃତ୍ୱ ବି ନେଉଛନ୍ତି ଜଣେ ଅବସରପ୍ରାପ୍ତ ବିଚାରପତି। ଲଖିମପୁର ଖେରି ହିଂସାରେ ବି ତ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ତଦନ୍ତ କମିଟି କହି ସ୍ମରଣ କରାଇଦେଇଥିଲେ। ଜଷ୍ଟିସ କାନ୍ତ ମୌଖିକ ଭାବେ କହିଛନ୍ତି, ଯେଉଁ ମାମଲାରେ ଦୁଇ ରାଜ୍ୟର ପୁଲିସ କୌଣସି ନିଷ୍କର୍ସରେ ପହଞ୍ଚିପାରୁନାହାନ୍ତି। ସେଠାରେ ହାଇକୋର୍ଟ ଜଣେ ନିରପେକ୍ଷ ଅମ୍ପାୟାରଙ୍କୁ ନିଯୁକ୍ତ ଦେଇଛନ୍ତି। ଅଗଷ୍ଟ ୨୨ରେ ଏହାର ପରବର୍ତ୍ତୀ ଶୁଣାଣୀ ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *